ଓଡ଼ିଶାଲାଇଭ୍‌ ବ୍ୟୁରୋ

“ଓଡ଼ିଶାର ସ୍ୱାଧୀନତା ସଂଗ୍ରାମୀମାନଙ୍କ ସାମାଜିକ ସୁରକ୍ଷାକୁ ସରକାର ପ୍ରାଥମିକତା ଦେଇଛନ୍ତି। ୨୦୧୭ ଏପ୍ରିଲରୁ ସ୍ୱାଧୀନତା ସଂଗ୍ରାମୀ ଭତ୍ତାର ପରିମାଣ ବୃଦ୍ଧି କରାଯାଇଛି। ବିଶ୍ୱ ଇତିହାସରେ ଭାରତର ସ୍ୱାଧୀନତା ସଂଗ୍ରାମ ସ୍ୱତନ୍ତ୍ର। ଆମର ସ୍ୱାଧୀନତା ସଂଗ୍ରାମୀମାନେ ହେଉଛନ୍ତି ମହାନ ଇତିହାସର ଚଳିନ୍ତି କିମ୍ବଦନ୍ତୀ”, ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଭୁବନେଶ୍ୱର  ସ୍ୱାଧୀନତା ସଂଗ୍ରାମୀ ସଦନଠାରେ ଆୟୋଜିତ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ୩୧ତମ ଶ୍ରାଦ୍ଧ ବାର୍ଷିକୀ ସମାରୋହକୁ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆଜି ହେଉଛି ଆମ ଦେଶର ମହାନ ସ୍ୱାଧୀତନା ସଂଗ୍ରାମୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ଶ୍ରାଦ୍ଧ ଦିବସ । ଦେଶର ସ୍ୱାଧୀନତା ସଂଗ୍ରାମରେ ଗୁରୁତ୍ୱପୂର୍ଣ୍ଣ ନେତୃତ୍ୱ ଦେବା ସହିତ ଓଡିଶାର ସାମାଜିକ, ଆର୍ଥିକ ଓ ସାହିତ୍ୟ କ୍ଷେତ୍ରରେ ସେ ଅନେକ ପରିବର୍ତ୍ତନ ଆଣିଥିଲେ। ସ୍ୱାଧୀନତା ସଂଗ୍ରାମୀମାନେ ଆମ ସମାଜର ପୂଜ୍ୟ। ଆପଣମାନଙ୍କ ତ୍ୟାଗ ଓ ସଂଗ୍ରାମକୁ ମୁଁ ପ୍ରଣାମ ଜଣାଉଛି।”

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ଜୀବନୀ ସମ୍ବଳିତ ଫଟୋଚିତ୍ର ପ୍ରଦର୍ଶନୀକୁ ଉଦଘାଟନ କରିଥିଲେ।

ଦିଲ୍ଲୀରୁ ଆସିଥିବା ସ୍ୱାଧୀନତା ସଂଗ୍ରାମୀ ନିତ୍ୟାନନ୍ଦ ଶର୍ମା କହିଥିଲେ ଯେ, ଭାରତରେ ଶହୀଦ ଓ ସ୍ୱତନ୍ତ୍ରତା ସେନାନିଙ୍କ ପରିଜନଙ୍କ ସାମାଜିକ ସ୍ଥିତି କଣ ରହିଛି ତାର ଅନୁଧ୍ୟାନ କରିବା ପାଇଁ ଏକ ଆୟୋଗ ଗଠନ କରାଯାଉ। ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଏନ.ଆର ମଥଡ ଏଥିରେ ଅଧ୍ୟକ୍ଷତା କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା, ବିଧାୟକ ଦେବୀପ୍ରସାଦ ମିଶ୍ର, ପୂର୍ବତନ ମନ୍ତ୍ରୀ  ବିଶ୍ୱ ଭୂଷଣ ହରିଚନ୍ଦନ, ବିଶିଷ୍ଟ ସ୍ୱାଧୀତନା ସଂଗ୍ରାମୀ ଭବାନୀ ଚରଣ ପଟ୍ଟନାୟକ ଅର୍ଥ ତଥା ଅବକାରୀ ମନ୍ତ୍ରୀ ଶଶି ଭୂଷଣ ବେହେରା, ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ପୂର୍ବତନ ମନ୍ତ୍ରୀ  ସୁରେଶ ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ ।·

ଏହାପରେ ଯୁବସାମୁଖ୍ୟ  ସମାବେଶ ଅନୁଷ୍ଠିତ ହୋଇଥିଲା। ସେଥିରେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ , ପୂର୍ବତନ ମନ୍ତ୍ରୀ ଗଣେଶ୍ବର  ବେହେରା, ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ, ବିଧାୟକ ପ୍ରଭାତ ତ୍ରିପାଠୀ, ପୃଥ୍ୱୀରାଜ ହରିଚନ୍ଦନ, ଏଆଇଟିୟୁସିର ରାମଚନ୍ଦ୍ର ପଣ୍ଡା, ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ପ୍ରମୁଖ ଯୋଗ ଦେଇଥିଲେ। ସାଂସଦ ଭର୍ତ୍ତୃହରି ମହତାବ ପ୍ରାରମ୍ଭିକ ସୂଚନା ଦେଇଥିଲେ।

Comment