ଓଡ଼ିଶାଲାଇଭ୍‍ ବ୍ୟୁରୋ

ଦେଶର ଏକ ନିର୍ଦ୍ଦିଷ୍ଟ ସମୟର ସାମାଜିକ, ରାଜନୀତିକ ଓ ଅର୍ଥନୀତିର ବ୍ୟବସ୍ଥା ଡାକଟିକେଟରେ ପ୍ରତିଫଳିତ ହୋଇଥାଏ। ଡାକଟିକେଟ ସଂଗ୍ରହ କରୁଥିବା ବ୍ୟକ୍ତି କିମ୍ବା ଛାତ୍ରଛାତ୍ରୀଙ୍କ ଜ୍ଞାନ ଏହା ମାଧ୍ୟମରେ ବିକଶିତ ହୋଇଥାଏ। ଡାକଟିକେଟ ସଂଗ୍ରହରେ ଆଗ୍ରହ ବୃଦ୍ଧି ପାଇଁ କେନ୍ଦ୍ର ସରକାର ଦେଶର ମେଧାବୀ ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହନ ଯୋଗାଇଦେବାକୁ ଘୋଷଣା କରିଛନ୍ତି। ଫଳରେ ମେଧାବୀମାନେ ପାଉଥିବା ପ୍ରୋତ୍ସାହନରେ ଆଉ ଏକ ସୁଯୋଗ ଯୋଡି ହୋଇଯାଇଛି।

ଡାକଟିକେଟ ସଂଗ୍ରହରେ ରୁଚି ରଖୁଥିବା ମେଧାବୀ ଛାତ୍ରଛାତ୍ରୀଙ୍କୁ କେନ୍ଦ୍ର ଯୋଗାଯୋଗ ମନ୍ତ୍ରାଳୟ ଅଧୀନସ୍ଥ ଡାକେ ବିଭାଗ ବୃତ୍ତି ପ୍ରଦାନ କରିବ। ସରକାରୀ ଓ ଘରୋଇ ସ୍କୁଲରେ ଷଷ୍ଠ, ସପ୍ତମ ଓ ଅଷ୍ଟମ ଶ୍ରେଣୀରେ ପଢୁଥିବା ଛାତ୍ରଛାତ୍ରୀମାନଙ୍କୁ ଏହି ବୃତ୍ତି ମିଳିବ।

ଦୀନଦୟାଲ ସ୍ପର୍ଶ ଯୋଜନାରେ ପ୍ରତି ଡାକ ସର୍କଲରୁ ସର୍ବାଧିକ ୪୦ଜଣଙ୍କୁ ମିଳିବ ବୃତ୍ତି। ଡାକ ସର୍କଲଗୁଡିକ ମାଧ୍ୟମରେ ଡାକ ଟିକଟ ସଂଗ୍ରାହକ ଛାତ୍ରଛାତ୍ରୀଙ୍କ ରୁଚି ଓ ପ୍ରକଳ୍ପର ମାନ ନିର୍ଦ୍ଧାରଣ ପରେ ବୃତ୍ତି ପ୍ରଦାନ କରାଯିବ। ବୃତ୍ତି ବାବଦରେ ପ୍ରତି ପିଲାଙ୍କୁ ବାର୍ଷିକ ୬ ହଜାର ଟଙ୍କା ଲେଖାଏଁ ଯୋଗାଇ ଦିଆଯିବ।

ସରକାରୀ ହେଉ ବା ବେସରକାରୀ ସ୍କୁଲରେ ଗୋଟିଏ ଲେଖାଏଁ ଡାକ ଟିକଟ ସଂଗ୍ରାହକ କ୍ଲବ ଗଠନ କରାଯିବ। ଡାକଟିକେଟ ସଂଗ୍ରହରେ ଆଗ୍ରହ ଥିବା ଛାତ୍ରଛାତ୍ରୀମାନେ ଏହି କ୍ଲବର ଜଣେ ଲେଖାଏଁ ସଦସ୍ୟ ହେବେ। କ୍ଲବ୍‍ ପରିଚାଳନା ପାଇଁ ରାଜ୍ୟସ୍ତରୀୟ କମିଟି ଗଠନ କରାଯିବ। କମିଟି ହିଁ ନିର୍ଦ୍ଧାରଣ କରିବ ପ୍ରକଳ୍ପର ବିଷୟବସ୍ତୁ। ଜଣେ ଛାତ୍ର ଗୋଟିଏ ବର୍ଷ ବୃତ୍ତି ପାଇଥିଲେ ମଧ୍ୟ ପରବର୍ତ୍ତୀ ବର୍ଷ ପାଇଁ ଆବେଦନ କରିପାରିବେ।

Comment