ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ଵରର ବରମୁଣ୍ଡା ପଡ଼ିଆରେ ୫୦ହଜାର ଛାତ୍ରଛାତ୍ରୀ ଏକ ସ୍ଵରରେ ଗାଇଛନ୍ତି ‘ବନ୍ଦେ ଉତ୍କଳ ଜନନୀ’। କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ରଚିତ ଏହି ଗୀତ ପ୍ରତିଟି ଓଡ଼ିଆର ହୃଦୟର ଗୀତ ହୋଇଥିବାରୁ ସମଗ୍ର ଓଡ଼ିଶାର ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀମାନେ ବରମୁଣ୍ଡା ପଡ଼ିଆରେ ଏକତ୍ରିତ ହୋଇ ଏକ ସ୍ଵରରେ ଏହି ଗୀତ ଗାଇ ନୂଆ ଉଦାହରଣ ସୃଷ୍ଟି କରିଛନ୍ତି।

ଭାରତୀୟ ଶିକ୍ଷା ସଂସ୍ଥାନ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ସବୁକ୍ଷେତ୍ରରେ ଶ୍ରେଷ୍ଠ ହେବାକୁ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ। ବର୍ତ୍ତମାନ ଶିକ୍ଷା ସହିତ ନୃତ୍ୟ, ସଙ୍ଗୀତ, କ୍ରୀଡ଼ା ଆଦି ବିଭିନ୍ନ କ୍ଷେତ୍ରରେ ବିପୁଳ ସୁଯୋଗ ରହିଛି। ଯାହାବି କରନ୍ତୁ, ନିଷ୍ଠାର ସହ କରନ୍ତୁ, ନିଜ ନିଜ କ୍ଷେତ୍ରରେ ଶ୍ରେଷ୍ଠ ହୋଇ ରାଜ୍ୟ ଓ ଦେଶର ଗୌରବ ବଢାଇବାକୁ ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ।

ମଞ୍ଚାସୀନ ମୁଖ୍ୟମନ୍ତ୍ରୀଙ୍କ ସହ କିଛି ଛାତ୍ରଛାତ୍ରୀ ଆଲୋଚନା କରିଥିଲେ। ଶିକ୍ଷା ଓ ଅନ୍ୟାନ୍ୟ କ୍ଷେତ୍ରରେ ଓଡ଼ିଶାର ବିକାଶ ପାଇଁ ଛାତ୍ରଛାତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ। ସେମାନଙ୍କଠାରୁ ମୁଖ୍ୟମନ୍ତ୍ରୀ କ’ଣ ଆଶା କରୁଛନ୍ତି ବୋଲି ଛାତ୍ରଛାତ୍ରୀମାନେ ଜାଣିବାକୁ ଚାହିଁଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ, ପାଠ ସହ ଅନ୍ୟାନ୍ୟ କ୍ଷେତ୍ରରେ ସଫଳତା ପାଇଁ ଉଦ୍ୟମ କରିବା ଉଚିତ୍।

ଏହି କାର୍ଯ୍ୟକ୍ରମରେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟନାରାୟରଣ ପାତ୍ର, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟର ପାତ୍ର, ରାଜ୍ୟ ଯୋଜନାବୋର୍ଡ ଉପାଧ୍ୟକ୍ଷ ବିଷ୍ଣୁ ଦାସ, ଭୁବନେଶ୍ଵର ସାଂସଦ ଡ. ପ୍ରସନ୍ନ କୁମାର ପାଟ୍ଟଶାଣି, ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନର ପ୍ରତିଷ୍ଠାତା ଡ. କରୁଣାକର ପ୍ରଧାନ ଉପସ୍ଥିତ ଥିଲେ।

Comment