ଛନ୍ଦା ମିଶ୍ର

ଏଇ ଅଳ୍ପ କିଛିଦିନ ତଳେ ଏକ ସାମାଜିକ ଉତ୍ସବରେ ଯୋଗ ଦେଇଥିଲି। ଖାଇବା ଟେବୁଲରେ ମୋ ପାଖ ସିଟରେ ଜଣେ ଭଦ୍ରବ୍ୟକ୍ତି ବସିଥାନ୍ତି। ପାଟିରୁ ପ୍ରବଳ ମଦଗନ୍ଧ ଆସୁଥାଏ। ହଠାତ୍ ସେ ଗଳିପଡ଼ିଲେ। ଦୁଇଜଣ ଯୁବକ ଆସି ତାଙ୍କ ଦୁଇକାନ୍ଧ ଧରି ହୋଟେଲର ରୁମ୍ ଭିତରକୁ ନେଲାବେଳକୁ ସେ ପିନ୍ଧିଥିବା ପ୍ୟାଣ୍ଟଟି ଗଳିପଡ଼ିଲା। ଏହା ମୋ ମନରେ ଗଭୀର ଆଘାତ ଦେଲା।

କିଛି ସମୟ ପରେ ଉକ୍ତ ବ୍ୟକ୍ତିଙ୍କୁ ତାଙ୍କ ଡ୍ରାଇଭର ଓ ଅନ୍ୟ ଜଣେ ଯୁବକ ନେଇ ଗାଡିରେ ବସାଇଲେ ଏବଂ ସେ ପରିବାରଟି ସେଠାରୁ ବାହାରିଯିବାକୁ ଉଚିତ ମଣିଲେ।

ପୁରୁଖା ଲୋକେ କହନ୍ତି ମଦ ମଣିଷକୁ ମନ୍ଦ କରିଦିଏ। ଆପଣ ଲକ୍ଷ୍ୟ କରିଥିବେ ପୃଥିବୀରେ ଯେତେ ଅପରାଧ ସଂଘଟିତ ହେଉଛି, ସେ ସବୁଥିରେ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ମଦର ପ୍ରମୁଖ ଭୂମିକା ରହିଛି। ଆଜି ପିଲାଏ କଲେଜ ମାଟି ମାଡିଲା ମାତ୍ରେ ସାଙ୍ଗ ମିଳିଯାଉଛନ୍ତି ମଦ ପିଇବା ପାଇଁ। ପ୍ରଥମେ ପ୍ରଥମେ ମନାକରୁଥିବା ପିଲାଟି ପରେ ପିଇବା ପାଇଁ ବାଧ୍ୟ ହୋଇଯାଉଛି ଓ କ୍ରମଶଃ ଏହା ତାର ଅଭ୍ୟାସରେ ପରିଣତ ହୋଇଯାଉଛି। ଏହାଦ୍ଵାରା ତାର ଭବିଷ୍ୟତ ଅନ୍ଧକାରମୟ ହୋଇଯାଉଛି। ଯେଉଁ ପିଲାଟି ଏଥିରୁ ନିଜକୁ ଦୂରେଇ ରଖତ୍ପାରିଛି, ସେ ଓ ତାର ଅଭିଭାବକ ନିଶ୍ଚିତ ରୂପେ ଭାଗ୍ୟବାନ।

ଆଜି ଦେଶର ୫୦ ଭାଗ ଲୋକ ମଦ କବଳିତ। ଏଥିପାଇଁ ଦାୟୀ କିଏ? ସରକାର, ଯିଏ ନିଜର ରାଜସ୍ଵ ବଢ଼ାଇବା ପାଇଁ ମଦ ଦୋକାନକୁ ଲାଇସେନ୍ସ ଦେଉଛନ୍ତି, ନା ଆଖି ଥାଇ ଅନ୍ଧ ଜନସାଧାରଣ ଯିଏ ମଦ ପିଇ ମାତାଲ ହୋଇ ନାନା କୁକାର୍ଯ୍ୟ କରିଚାଲିଛନ୍ତି।

ଆଜି ମଦ ପାଇଁ ସ୍ଵାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ବିଚ୍ଛେଦ ହୋଇଯାଉଛି। ମଦ ପିଇ ନିଜର ଲିଭର ଓ କିଡନୀ ଆଦି ଖରାପକରି ଅସଂଖ୍ୟ ଲୋକ ମୃତ୍ୟୁମୁଖରେ ପଡୁଛନ୍ତି। ପୃଥିବୀରେ ହେଉଥିବା ସଡ଼କ ଦୁର୍ଘଟଣାଗୁଡ଼ିକ ମଧ୍ୟରୁ ୭୦ ପ୍ରତିଶତ କେବଳ ମଦ ପିଇ ଡ୍ରାଇଭିଂ କରୁଥିବା ଯୋଗୁ ହିଁ ସଂଘଟିତ ହୋଇଥାଏ।

ଆଜି ପ୍ରତ୍ୟେକ କ୍ଷେତ୍ରରେ ଝିଅମାନେ ଆଗରେ ରହୁଥିବା ବେଳେ ଏ କ୍ଷେତ୍ରରେ ମଧ୍ୟ ପଛରେ ପଡ଼ିନାହାନ୍ତି। ଏଇ ଅଳ୍ପ କିଛିଦିନ ତଳେ ଭୁବନେଶ୍ୱରର ଏକ ବାରରେ କେତେକ ପୁଅ ଓ ଝିଅ ମାତାଲ ହୋଇ ଝଗଡ଼ା କରିବା ଘଟଣା ଗଣମାଧ୍ୟମରେ ପ୍ରସାରିତ ହୋଇଥିଲା। ନାରୀ ଯିଏ ପୁରୁଷକୁ କୁପଥରୁ ସୁପଥକୁ ଆଣେ ବୋଲି ବିଶ୍ୱାସ କରାଯାଏ, ସେ ନିଜେ ଯଦି କୁପଥର ଯାତ୍ରୀ ହେବ, ତେବେ କପାଳକୁ ନିନ୍ଦିବା ଛଡା ଅନ୍ୟପନ୍ଥା ନାହିଁ।

ପ୍ରକୃତରେ ମଦ ପିଇଲା ପରେ ମଦୁଆର ଯେତିକି ଅସୁବିଧା ହୁଏ, ତା’ଠାରୁ ଯଥେଷ୍ଟ ବେଶି ଅସୁବିଧା ତା’ ଚାରିପାଖରେ ଥିବା ଲୋକମାନଙ୍କର ହୋଇଥାଏ। ସେ କରୁଥିବା ପ୍ରଳାପ ଓ ନାନା ପ୍ରକାରର ଅସ୍ଵାଭାବିକ ଆଚରଣଗୁଡ଼ିକ ତାର ସାଙ୍ଗସାଥୀ ଓ ପରିବାରବର୍ଗଙ୍କୁ ସହିବାକୁ ହୁଏ।

ଫକୀରମୋହନଙ୍କ ପେଟେଣ୍ଟ ମେଡିସିନ କେତେକ କ୍ଷେତ୍ରରେ ମଦୁଆଙ୍କୁ ସାବାଡ୍ କରିବାରେ ସଫଳ ହେଲେ ବି ସବୁ କ୍ଷେତ୍ରରେ ସେ ମେଡିସିନ କାମ ଦେବନି। ତେବେ ଆଜିର ସରକାର ମଦ ବିକ୍ରିକରି ରାଜସ୍ଵ ବଢାଇବା ସହିତ ମଦ ପିଇଲେ ୫୦୦ଟଙ୍କା ଜରିମାନା ମଧ୍ୟ ନେଉଛନ୍ତି। ଲାଭ ହେଉଛି କାହାର? ବିଷାକ୍ତ ମଦ ମୃତ୍ୟୁ ଘଟଣା ବାରମ୍ବାର ଘଟୁଛି।

ମଦ ଏପରି ଏକ ବସ୍ତୁ, ଯାହାର କୌଣସି ଭେଦଭାବ ନାହିଁ, ମାଲିକଠାରୁ ଚାକର, ଧନୀଠାରୁ ଗରିବ, ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ପ୍ରତ୍ୟେକ ମଦର କବଳିତ ହୋଇ ରହିଛନ୍ତି। ଏହାଦ୍ଵାରା ରାଜସ୍ଵ ଯେତେ ବଢ଼ୁଛି ତା ତୁଳନାରେ ଦୁର୍ଘଟଣା, ପାରିବାରିକ ଅଶାନ୍ତି, ଅନୀତି ଓ ଅନାଚାର ଯଥେଷ୍ଟ ପରିମାଣରେ ବଢିଚାଲିଛି। ସରକାର ଓ ଜନସାଧାରଣଙ୍କର ମିଳିତ ସହଯୋଗ ହିଁ ଏହାର ଦୃଢ ପ୍ରତିକାର କରିପାରିବ। ତେବେ ସରକାର ତାଙ୍କର ରାଜସ୍ଵ ବୃଦ୍ଧି ପାଇଁ ଅବକାରୀ ନୀତିରେ ପରିବର୍ତ୍ତନ କରିବା ଉଚିତ।

(ସୌଜନ୍ୟ – ଭିନ୍ନ ମଣିଷ)

Comment