ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୁରୀ ଶ୍ରୀମନ୍ଦିର ଫଟୋ ସ୍ଥାନରେ ଇସ୍କନ ମନ୍ଦିର ଫଟୋ ଛାପି ବିବାଦରେ ଛନ୍ଦି ହୋଇପଡିଥିବା ଭାରତୀୟ ରେଳ ପର୍ଯ୍ୟଟନ ଉନ୍ନୟନ ନିଗମ (ଆଇଆରସିଟିସି) ଆନ୍ଦୋଳନ ପରେ ଚେତିଛି। 

ଭାରତ ଦର୍ଶନ ତୀର୍ଥଯାତ୍ରାର ପ୍ରଚାର ପାଇଁ ପୋଷ୍ଟରରେ  ଶ୍ରୀମନ୍ଦିର ଫଟୋ ପରିବର୍ତ୍ତେ ଇସ୍କନ ମନ୍ଦିର ଫଟୋ ଥିବା ପୋଷ୍ଟର ଦେଶର ପ୍ରମୁଖ ରେଳଷ୍ଟେସନ୍‌ରେ ଆଇଆରସିଟିସି ପକ୍ଷରୁ ଲଗାଯାଇଥିଲା। ଏ ସମ୍ପର୍କିତ ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଓଡ଼ିଶାରେ ସୃଷ୍ଟି ହୋଇଥିଲା ତୀବ୍ର ପ୍ରତିକ୍ରିୟା। ଆଇଆରସିଟିସି କର୍ତ୍ତୃପକ୍ଷ ପୁରୀ ଶ୍ରୀମନ୍ଦିରକୁ ଜାଣିଶୁଣି ଅବହେଳା କରୁଛନ୍ତି ବୋଲି ଜଗନ୍ନାଥପ୍ରେମୀମାନେ ଅଭିଯୋଗ କରିଥିଲେ। ଏପରିକି ପୁରୀ ରେଳଷ୍ଟେସନ୍ ସମ୍ମୁଖରେ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ପୋଷ୍ଟରରୁ ଇସ୍କନ ମନ୍ଦିର ଫଟୋ ଉଠାଇ ଶ୍ରୀମନ୍ଦିର ଫଟୋ ସ୍ଥାନୀତ କରିବା ପାଇଁ ସେନା ଦାବି କରିଥିଲା। ଏ ସମ୍ପର୍କରେ ସେନା ରେଳବାଇ ମନ୍ତ୍ରୀଙ୍କୁ ଦାବିପତ୍ର ଷ୍ଟେସନ୍ ମ୍ୟାନେଜରଙ୍କ ମାଧ୍ୟମରେ ପ୍ରଦାନ କରିଥିଲା।

ଓଡ଼ିଶାରେ ଆନ୍ଦୋଳନ ତେଜୁଥିବା ଦେଖି ଆଇଆରସିଟିସି କର୍ତ୍ତୃପକ୍ଷ ମାରିଥିବା ପୋଷ୍ଟର ଯାଞ୍ଚ୍ କରିଥିଲେ। ତ୍ରୁଟି ଥିବା ଜାଣିବା ପରେ ଆଇଆରସିଟିସି ମୁମ୍ବାଇ ଜୋନ୍ ମହାପ୍ରବନ୍ଧକ ଓ ଭୁବନେଶ୍ଵର ଆଞ୍ଚଳିକ ପ୍ରବନ୍ଧକ ଦୁଃଖ ପ୍ରକାଶ କରିଥିଲେ। ଦେଶର ବିଭିନ୍ନ ରେଳଷ୍ଟେସନ୍‌ରେ ମରାଯାଇଥିବା ବିବାଦୀୟ ପୋଷ୍ଟରଗୁଡିକୁ ହଟାଇ ଦିଆଯାଇଛି।

ପୁରୀ ଶ୍ରୀମନ୍ଦିର ଫଟୋ ଥାଇ ଭାରତ ଦର୍ଶନ ତୀର୍ଥଯାତ୍ରା ପୋଷ୍ଟର କେବେ ଲାଗିବ ଆଇଆରସିଟିସି କର୍ତ୍ତୃପକ୍ଷ ସ୍ପଷ୍ଟ କରିନାହାନ୍ତି। ତେବେ ଓଡ଼ିଶାବାସୀଙ୍କ ଧାର୍ମିକ ଭାବାବେଗକୁ ସମ୍ମାନ ଦେବାରେ ଆଇଆରସିଟିସି କେବେ ଅବହେଳା କରିନାହିଁ। ଶ୍ରୀମନ୍ଦିରର ପ୍ରଚାର ପାଇଁ ଆଇଆରସିଟିସି ଉଦ୍ୟମ ଜାରି ରଖିଛି। ଜାଣିଶୁଣି ଏଭଳି ଭୁଲ୍ କରାଯାଇନାହିଁ ବୋଲି ଆଇଆରସିଟିସି କର୍ତ୍ତୃପକ୍ଷ ସଫେଇ ଦେଇଛନ୍ତି।

ତୀର୍ଥଯାତ୍ରା ଟ୍ରେନ୍ ସମ୍ପର୍କରେ ପ୍ରଚାର ପାଇଁ  ଆଇଆରସିଟିସି ମାରିଥିବା ପୋଷ୍ଟର ସମ୍ପର୍କରେ ପୂର୍ବତଟ ରେଳପଥର କୌଣସି ସମ୍ପର୍କ ନାର୍ହିଁ ବୋଲି ମୁଖ୍ୟ ଲୋକସମ୍ପର୍କ ଅଧିକାରୀ ଜ୍ୟେତିପ୍ରକାଶ ମିଶ୍ର କହିଛନ୍ତି। ଏହି ବିବାଦୀୟ ପୋଷ୍ଟରଗୁଡିକ ହଟାଇବା ପାଇଁ ଆଇଆରସିଟିସି କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦିଆଯାଇଛି ବୋଲି ସେ କହିଛନ୍ତି।

Comment