ଓଡ଼ିଶାଲାଇଭ୍‌ ବ୍ୟୁରୋ

କଂଗ୍ରେସ ଦଳ ପାଇଁ ସମୟଗୁଡିକ କିଛି ଭଲ ଚାଲୁନାହିଁ। କ୍ରମାଗତ ଭାବେ ଗତ ୧୭ ବର୍ଷ ଧରି ନିଜର ପରିଚୟ ହଜାଇ ଚାଲିଥିବା ଦଳ ପାଇଁ ଯେଉଁ ଶେଷ ପଦଟି ଥିଲା ତାହା ମଧ୍ୟ ହାତରୁ ଖସିବା ଏକ ରକମ ସ୍ପଷ୍ଟ। ନିକଟରେ ଓଡ଼ିଶା ହାଇକୋର୍ଟ ଦଳର ଜଣେ ବରିଷ୍ଠ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିଥିଲେ ଏବଂ ତା’ ପରଠାରୁ କଂଗ୍ରେସ ଏକ ବଡ଼ ପରିଚୟ ସଙ୍କଟ ଦେଇ ଗତି କରୁଛି।

ଦଳର ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂହଙ୍କ ନାଁରେ ଆସିଥିବା ନିର୍ବାଚନୀ ଅଭିଯୋଗକୁ କୋର୍ଟ କାଏମ ରଖିଛନ୍ତି। ତାଙ୍କ ବିରୁଦ୍ଧରେ ଅଭିଯୋଗ ହୋଇଥିଲା ଯେ ୨୦୧୪ ବିଧାନସଭା ନିର୍ବାଚନରେ ସେ ଜାଲ ଜାତି ପ୍ରମାଣପତ୍ର ଦାଖଲ କରିଥିଲେ। ଯୋଗେଶଙ୍କ ବିଧାୟକ ପଦ ରଦ୍ଧ ହେବା ପରେ ନିଜେ ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଥିଲେ ଯେ ହାଇକୋର୍ଟର ରାୟ ପରେ କାଗଜପତ୍ର ଦୃଷ୍ଟିରୁ ଦେଖିଲେ କଂଗ୍ରେସ ବରୋଧୀ ଦଳ ନେତା ମର୍ଯ୍ୟାଦା ହରାଇଛି।

ବ୍ୟବସ୍ଥା ଅନୁସାରେ ବିରୋଧୀ ଦଳ ନେତା ପଦ ପାଇଁ ଏକ ରାଜନୈତିକ ଦଳକୁ ମୋଟ ଆସନର ଏକ ଦଶମାଂଶ ଆସନ ହାସଲ କରିବା ପାଇଁ ହେବ। ଓଡ଼ିଶା ବିଧାନସଭାର ମୋଟ ବିଧାୟକ ସଂଖ୍ୟା ୧୪୭ ହୋଇଥିବା ବେଳେ ବିରୋଧୀ ଦଳ ନେତା ପଦ ପାଇଁ ୧୫ ଜଣ ବିଧାୟକ ଥିବା ଦରକାର। ଏହି ଗଣିତ ଅନୁସାରେ ନରସିଂହ ମିଶ୍ର ବିରୋଧୀ ଦଳ ନେତା ପଦ ପାଇଆସିଥିଲେ। ଯୋଗେଶଙ୍କ ପଦ ଅସିଦ୍ଧ ହେବା ପରେ କଂଗ୍ରେସ ଆସନ ସଂଖ୍ୟା ଏବେ ୧୪କୁ ଖସି ଆସିଛି।

ଶ୍ରୀ ମିଶ୍ରଙ୍କ କହିବା କଥା ହେଲା ବିରୋଧୀ ଦଳ ନେତା ପଦ ଆବଶ୍ୟକ କି ନା ସେହି ନିଷ୍ପତ୍ତି ପ୍ରକୃତରେ ସରକାରଙ୍କୁ ନେବାକୁ ପଡିବ। ଏହି ଘଟଣାର ଆଉ ଏକ ଦିଗ ହେଉଛି କଂଗ୍ରେସ ଦଳ ବିରୋଧୀ ଦଳ ନେତା ପଦ ବଜାୟ ରଖିପାରିବ ଯଦି ଯୋଗେଶ ସିଂହ ହାଇକୋର୍ଟ ରାୟ ବିରୁଦ୍ଧରେ ସୁପ୍ରିମକୋର୍ଟ ଯିବେ ଏବଂ ଏକ ରହିତାଦେଶ ଆଣିପାରିବେ।

ହାଇକୋର୍ଟ ରାୟ ଆସିବା ପରେ କଂଗ୍ରେସ ପକ୍ଷରୁ କୁହାଯାଇଥିଲା ଯେ ରାୟ ବିରୁଦ୍ଧରେ ଦଳ ସର୍ବୋଚ୍ଚ ନ୍ୟାୟାଳୟ ଯିବା ପାଇଁ ପ୍ରସ୍ତୁତ ହେଉଛି। ଯୋଗେଶଙ୍କ ବିଧାୟକ ନିର୍ବାଚନ ବିରୁଦ୍ଧରେ ହାରିଯାଇଥିବା ପ୍ରାର୍ଥୀ ବଜେପିର ସହଦେବ ଜାକ୍ସା ଓ ଅନ୍ୟ ଜଣେ ଭୋଟର ଅଜୟ ପଟେଲ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଏମାନେ ଅଭିଯୋଗ କରିଥିଲେ ଯେ ଯୋଗେଶ ନିଜକୁ ‘ଭୂୟାଁ’ ଆଦିବାସୀ ସମ୍ପ୍ରଦାୟର ଦାବି କରି ମିଛ ଓ ଜାଲ ଜାତି ପ୍ରମାଣପତ୍ର ଦାଖଲ କରିଥିଲେ।

Comment