ଓଡ଼ିଶାଲାଇଭ୍ ବ୍ୟୁରୋ

ମହାନଦୀ ଟ୍ରିବ୍ୟୁନାଲକୁ ଗ୍ରୀନ୍ ସିଗନାଲ ଦେଇଛି କେନ୍ଦ୍ର କ୍ୟାବିନେଟ। ଏହି ସବୁଜ ସଙ୍କେତ ଆସିବା ପରେ ଏହା ନବୀନ ପଟ୍ଟନାୟକଙ୍କ ସରକାର ପାଇଁ ଭଲ ଖବର ବୋଲି କୁହାଯାଉଛି।

ନବୀନ ପଟ୍ଟନାୟକଙ୍କ ସରକାର ପାଇଁ ଏହିଭଳି ଏକ ଭଲ ଖବର ହୁଏତ ଆଉ କେବେ ଆସିନଥାନ୍ତା। ବିଜେପୁର ପାଇଁ ନିର୍ବାଚନ ପ୍ରଚାର ଜୋର ଧରିଥିବା ବେଳେ ମହାନଦୀ ଜଳ ଆବଣ୍ଟନ ପାଇଁ ଟ୍ରିବ୍ୟୁନାଲ ଗଠନ ସଂକ୍ରାନ୍ତ ଖବର ଶାସକ ଦଳ ପାଇଁ ଠିକଣା ସମୟରେ ଆସିଛି ବୋଲି ଧରି ନେବାକୁ ହେବ।

ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ମହାନଦୀ ଜଳ ବିବାଦର ସମାଧାନ ପାଇଁ ଏକ ଟ୍ରିବ୍ୟୁନାଲ ଗଠନ ସକାଶେ କେନ୍ଦ୍ର କ୍ୟାବିନେଟ ମଙ୍ଗଳବାର ଦିନ ଏକ ପ୍ରସ୍ତାବକୁ ମଞ୍ଜୁରି ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ପଛରେ ଅବଶ୍ୟ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ହିଁ ବଡ଼ କାରଣ। ଗତ ମାସରେ ଓଡ଼ିଶା ସରକାରଙ୍କ ଏକ ଆବେଦନକୁ ଗ୍ରହଣ କରି ସୁପ୍ରିମକୋର୍ଟ ମାସକ ଭିତରେ ଟ୍ରିବ୍ୟୁନାଲ ଗଠନ ପାଇଁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଦୀର୍ଘ ସମୟ ଧରି ଓଡ଼ିଶାର ଦାବିକୁ ଗ୍ରହଣ କରା ନଯିବା ଓ ଯୁକ୍ତିକୁ କର୍ଣ୍ଣପାତ କରା ନଯିବା ଫଳରେ ବାଧ୍ୟ ହୋଇ ଓଡ଼ିଶା ସରକାର ୨୦୧୬ ଡିସେମ୍ବର ମାସରେ ସର୍ବୋଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲେ। ଓଡ଼ିଶା ସରକାରଙ୍କ ପକ୍ଷରୁ ହୋଇଥିବା ଆବେଦନରେ ଦୁଇଟି କଥା କୁହାଯାଇଥିଲା। ମହାନଦୀର ଉପରମୁଣ୍ଡରେ ଛତିଶଗଡ ସରକାରଙ୍କ ପକ୍ଷରୁ ଯେତେସବୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି ତାହାକୁ ତୁରନ୍ତ ରୋକିବା ଓ ଏହି ବିବାଦର ସମାଧାନ ପାଇଁ ଏକ ଟ୍ରିବ୍ୟୁନାଲ ଗଠନ ପାଇଁ ଦାବି ହୋଇଥିଲା।

ଟ୍ରିବ୍ୟୁନାଲ ଗଠନ ପାଇଁ କେନ୍ଦ୍ର କ୍ୟାବିନେଟ ବୈଠକରେ ନିଷ୍ପତ୍ତି ହେବା ପରେ ବର୍ତ୍ତମାନ ଏହି ବିବାଦର ନ୍ୟାୟିକ ସମାଧାନ ହେବ। ମହାନଦୀ ଟ୍ରିବ୍ୟୁନାଲ ଚାରିଟି କଥା ଉପରେ ବିଚାର କରିବ। ଏହି ତିନୋଟି ଦିଗ ହେଲା-

୧. ସମଗ୍ର ମହାନଦୀ ବେସିନରେ ମିଳୁଥିବା ଜଳ କିଭଳି ମହାନଦୀ ଉପତ୍ୟକାର ରାଜ୍ୟ ଗୁଡ଼ିକ ଭିତରେ ସମାନ ଭାବେ ବଣ୍ଟନ ହେବ।

୨. ପ୍ରତି ରାଜ୍ୟ କେତେ ପରିମାଣରେ ଜଳ ଛାଡ଼ିବେ।

୩. ବର୍ତ୍ତମାନ ପ୍ରତି ରାଜ୍ୟର ଜଳ ବ୍ୟବହାରର ଢାଞ୍ଚା କ’ଣ?

୪. ଭବିଷ୍ୟତରେ ମହାନଦୀ ଜଳକୁ ନେଇ କ’ଣ କରାଯିଵ?

ଆନ୍ତଃରାଜ୍ୟ ନଦୀ ଜଳ ବିବାଦ ଆଇନ ୧୯୫୬ ଅନୁସାରେ ଟ୍ରିବ୍ୟୁନାଲ ତାର ରିପୋର୍ଟ ତିନି ବର୍ଷ ମଧ୍ୟରେ ପ୍ରଦାନ କରିବ। ନିହାତି ଆବଶ୍ୟକ ହେଲେ ଏହି ସମୟ ସୀମାକୁ ଆଉ ଦୁଇ ବର୍ଷ ପର୍ଯ୍ୟନ୍ତ ବଢାଯାଇପାରିବ।

Comment