ବାଲେଶ୍ୱରରୁ କୃଷ୍ଣ କୁମାର ମହାନ୍ତି 

ବର୍ଷେ ଭିତରେ ଏକ ପ୍ରମୁଖ ଦର୍ଶନୀୟ ସ୍ଥାନର ରୂପ ନେଇଛି ଚାନ୍ଦିପୁରର ଭାସମାନ ରାଧାକୃଷ୍ଣ ମନ୍ଦିର। ପାଣିରେ ଭାସୁଥିବା ଭଳି ପ୍ରତୀୟମାନ ହୁଏ ଏହି ମନ୍ଦିର। ଧଳା ମାର୍ବଲରେ ରାଧାକୃଷ୍ଣ ବିଗ୍ରହ ସାଙ୍ଗକୁ ଗୋଟେ ପାଖରେ ସମୁଦ୍ର ବିପରୀତ ପଟେ ବୁଢାବଳଙ୍ଗ ନଦୀରୁ ବହି ଆସୁଥିବା ସୁଲୁସୁଲିଆ ପବନ ଆପଣଙ୍କୁ ଘଡ଼ିଏ ଅଟକାଇ ଦେବ

ବିଶ୍ୱବିଦିତ ଚାନ୍ଦିପୁର ବେଳାଭୂମିକୁ ବୁଲିବାକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଏବେ ଆକର୍ଷଣର କେନ୍ଦ୍ର ପାଲଟିଛି ଏକ ବିଶାଳ ଜଳାଶୟ ଉପରେ ଭାସମାନ ରାଧାକୃଷ୍ଣ ମନ୍ଦିର। ମନ୍ଦିରରେ ପୂଜା ପାଉଛନ୍ତି ଶଙ୍ଖମଲମଲ ଧଳା ମାର୍ବଲ ପଥରରେ ତିଆରି ରାଧାକୃଷ୍ଣଙ୍କ ଯୁଗଳ ମୂର୍ତ୍ତି, ଯାହାକୁ ଦେଖିଲେ ଶ୍ରଦ୍ଧାଳୁଙ୍କ ଆଖି ଫେରେନାହିଁ। ଏତେ ସୁନ୍ଦର ବିଗ୍ରହ ବିରଳ ପ୍ରାୟ।

ପର୍ଯ୍ୟଟକମାନେ ବିଶ୍ୱପ୍ରସିଦ୍ଧ ଅନନ୍ୟ ବେଳାଭୂମିର ସୌନ୍ଦର୍ଯ୍ୟରେ ବିଭୋର ହେବା ସାଙ୍ଗକୁ ଏବେ ଏଥିସହ ଯୋଡ଼ି ହୋଇଯାଇଛି ଏହି ରାଧାକୃଷ୍ଣ ମନ୍ଦିର। ଚାନ୍ଦିପୁରଠାରୁ ମାଛଧରା କେନ୍ଦ୍ର ତଥା ବୁଢାବଳଙ୍ଗ ନଦୀ ମୁହାଣ ବଳରାମଗଡ଼ି ଯିବା ରାସ୍ତାରେ ଦେଢ କିଲୋମିଟର ଯିବା ପରେ ପଡ଼େ ନାଉପାଳଗଡ଼ି। ଏଇ ନାଉପାଳଗଡ଼ି ଠାରେ ବର୍ଷକ ତଳେ ଗଢି ଉଠିଥିବା ରାଧାକୃଷ୍ଣ ମନ୍ଦିରଟିକୁ ନଦେଖି କୌଣସି ପର୍ଯ୍ୟଟକ ଚାନ୍ଦିପୁର ଛାଡ଼ନ୍ତି ନାହିଁ।

ବର୍ଷେ ଭିତରେ ଏକ ପ୍ରମୁଖ ଦର୍ଶନୀୟ ସ୍ଥାନର ରୂପ ନେଇଛି ଭାସମାନ ରାଧାକୃଷ୍ଣ ମନ୍ଦିର। ଚାନ୍ଦିପୁର ବେଳାଭୂମିଠାରୁ ଦୁଇ କିଲୋମିଟର ଦୂରରେ ରହିଥିବା ରାଧାକୃଷ୍ଣଙ୍କ ମନ୍ଦିର ପରିସରରେ ରହିଛି ଏକ ବିରାଟ ପୁଷ୍କରିଣୀ । ଏଥିରେ ବୋଟିଂ ବ୍ୟବସ୍ଥା ସାଙ୍ଗକୁ ପିଲାଙ୍କ ପାଇଁ ମନଲୋଭା ପାର୍କ ମଧ୍ୟ ରହିଛି । ପାର୍କରେ ରଙ୍ଗବେରଙ୍ଗର ପକ୍ଷୀ ସାଙ୍ଗକୁ ଦେଖିବାକୁ ମିଳିବେ ସୁନ୍ଦର ସୁନ୍ଦର ଠେକୁଆ । ତେବେ ସବୁଠୁ ବେଶୀ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛି ରଙ୍ଗୀନ ମାଛ । ମାଛକୁ ଦାନା ଖୁଆଇବା ବେଳେ ଅସଂଖ୍ୟ ରଙ୍ଗୀନ ମାଛ ଜଳ ଉପରକୁ ଚାଲି ଆସିବାର ଦୃଶ୍ୟ ସତରେ ଅଭୁଲା ।

ବାଲେଶ୍ୱର ଜିଲ୍ଲାର ଚାନ୍ଦିପୁର ହେଉଛି ଏକ ପ୍ରମୁଖ ଟୁରିଷ୍ଟ୍ ସ୍ପଟ୍। ଚାନ୍ଦିପୁରର ବିଶେଷତ୍ୱ ହେଲା ତାର ଅନନ୍ୟ ବିଚ୍। କାରଣ ଏ ବିଚ୍‌ରେ ଜୁଆର ଭଟ୍ଟା ସିଷ୍ଟମ୍ ଅନ୍ୟ କୌଣସି ବିଚ୍‌ରେ ଦେଖିବାକୁ ମିଳେନା। ଦୈନିକ ଦୁଇଥର ଜୁଆର ଓ ଦୁଇଥର ଭଟ୍ଟା ହୁଏ। ଭଟ୍ଟା ବେଳେ ପ୍ରାୟ ୪ କିଲୋମିଟର ସମୁଦ୍ର ଭିତରକୁ ପାଣି ଘୁଞ୍ଚିଯାଏ, ଯାହାଦ୍ୱାରା ପର୍ଯ୍ୟଟକମାନେ ଚାଲି ଚାଲି ସମୁଦ୍ର ଭିତରକୁ ଯିବାର ସୁଯୋଗ ପାଇଥାନ୍ତି।

ଦୀର୍ଘତମ ବେଳାଭୂମିର ଏଇ ଅପୂର୍ବ ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ ଜିଲ୍ଲା, ରାଜ୍ୟ ତଥା ଦେଶ ବିଦେଶରୁ ପର୍ଯ୍ୟଟକମାନେ ଆସିଥାନ୍ତି । ଏବେ ଏହି ଦର୍ଶନୀୟ ସ୍ଥାନ ସାଙ୍ଗରେ ଯୋଡ଼ି ହୋଇଯାଇଛି ଆଉ ଗୋଟିଏ ଦର୍ଶନୀୟ ସ୍ଥାନ । ତାହା ହେଉଛି ବଳରାମଗଡ଼ିର ରାଧାକୃଷ୍ଣ ମନ୍ଦିର । ପାଣିରେ ଭାସୁଥିବା ଭଳି ପ୍ରତୀୟମାନ ହେଉଥିବା ସୁନ୍ଦର କାରୁକାର୍ଯ୍ୟଭରା ମନ୍ଦିର, ଧଳା ମାର୍ବଲରେ ରାଧାକୃଷ୍ଣ ବିଗ୍ରହ ସାଙ୍ଗକୁ ଗୋଟେ ପାଖରେ ସମୁଦ୍ର ଓ ବିପରୀତ ପଟେ ବୁଢାବଳଙ୍ଗ ନଦୀରୁ ବହି ଆସୁଥିବା ସୁଲୁସୁଲିଆ ପବନ ଆପଣଙ୍କୁ ଘଡ଼ିଏ ଅଟକାଇ ଦେବ । ଆପଣ ବେଶ୍ କିଛି ସମୟ ମନ୍ଦିରର ପରିଛନ୍ନ ଚଟାଣରେ ବିତାଇବା ଚାହିଁବେ । ସବୁଠାରୁ ଆକର୍ଷଣୀୟ ଅସ୍ତସୂର୍ଯ୍ୟ ରଙ୍ଗର ମାଛ। ପ୍ରାୟ ୨ ଏକର ପରିମିତି ପୋଖରୀରେ ତିନୋଟି ବୋଟ୍ ରହିଛି ଓ ଏଥିରେ ପର୍ଯ୍ୟଟକମାନେ ବୋଟିଂ କରିପାରିବେ । ପୋଖରୀରେ ଆହୁରି ଅଛନ୍ତି ହଜାର ହଜାର ଦେଶୀ ମାଛ । ପର୍ଯ୍ୟଟକମାନେ ମନ୍ଦିର ପରିସରରେ ମିଳୁଥିବା ମାଛଖାଦ୍ୟ କିଣି ପକାଇଲେ ମାଛଗୁଡ଼ିକ ସବୁ ଏକାଠି ହୋଇ କୂଳକୁ ଚାଲିଆସନ୍ତି  । ଏ ଦୃଶ୍ୟ ଦେଖିବାକୁ ବିଶେଷକରି ପିଲାମାନେ ଆଗ୍ରହୀ । ଏହାଛଡ଼ା ବୋଟିଂର ମଜା ନେବାକୁ ପିଲାଠୁ ବୁଢ଼ା ପର୍ଯ୍ୟନ୍ତ ଆଗଭର ହୋଇଥାନ୍ତି । ବାଲେଶ୍ୱର ସହର ସମେତ ଏହାର ଆଖ ପାଖରେ ବୋଟିଂ ସୁବିଧା କୋଉଠି ନଥିବା ବେଳେ ଏହା ପର୍ଯ୍ୟଟକଙ୍କ ଭିତରେ ନୂଆ ଏକ ଉନ୍ମାଦନା ସୃଷ୍ଟି କରିଛି ।

ମନ୍ଦିର ପରିସରରେ ଅଛି ସୁନ୍ଦର ପାର୍କ । ରଙ୍ଗୀନ ଚଢେ଼ଇ ସାଙ୍ଗକୁ ୫୦ ରୁ ଅଧିକ ଠେକୁଆ ଅଛନ୍ତି ଏହି ପାର୍କରେ। ଦର୍ଶକ ସେମାନଙ୍କୁ ବିସ୍କୁଟ ଦେଇ ନିଜ ପାଖକୁ ଡାକିଲେ ଆସନ୍ତି । ପାର୍କ ଭିତରେ ଦୋଳି ରହିଛି, ପିଲାଙ୍କ ଖେଳିବା ପାଇଁ ସ୍ଲାଇଡ଼ର, ମୁଭିଂ ଚେୟାର ସାଙ୍ଗକୁ ଅନ୍ୟ ଖେଳ ସରଞ୍ଜାମ ମଧ୍ୟ ରହିଛି । ତେବେ ବୋଟିଂ ପାଇଁ ଅର୍ଥ ଦେବାକୁ ପଡ଼ୁଥିବା ବେଳେ ବୁଲିବା ପାଇଁ ଅର୍ଥ ଦେବାକୁ ପଡେ଼ ନାହିଁ । ପର୍ଯ୍ୟଟକଙ୍କ ରହିବା ପାଇଁ ଲଜିଂର ସୁବିଧା ମଧ୍ୟ ରହିଛି । ରାଧାକୃଷ୍ଣଙ୍କ ପ୍ରସାଦ ମଧ୍ୟ ପର୍ଯ୍ୟଟକମାନେ କମ୍ ଦାମରେ ପାଇପାରୁଛନ୍ତି । ପ୍ରାୟ ୬୦୦ ଟଙ୍କା ଦେଇ ଲଜିଂ ବୁକିଂ କରି ଗୋଟିଏ ଦିନ ପର୍ଯ୍ୟଟକମାନେ ରହିପାରିବେ । ଏଥିପାଇଁ ଅନ୍‌ଲାଇନ୍ ବୁକିଂର ବ୍ୟବସ୍ଥା ମଧ୍ୟ ରହିଛି । କେବଳ ସେତିକି ନୁହେଁ ଏଠି ବାହାଘର ଓ ବ୍ରତଘର ପାଇଁ ମଧ୍ୟ ଲୋକମାନଙ୍କର ଭିଡ଼ ଜମିଥାଏ ।

ଏହି ଅନନ୍ୟ ଦର୍ଶନୀୟ ସ୍ଥାନ ଉଦ୍‌ଘାଟନ ହେବାକୁ ବର୍ଷେ ପୁରିଛି । ପର୍ଯ୍ୟଟକଙ୍କ ଭିଡ଼ ମଧ୍ୟ ଧିରେଧିରେ ବଢ଼ୁଛି । ବିଶେଷ କରି ଚାନ୍ଦିପୁର ଆସୁଥିବା ପଡେ଼ାଶୀ ପଶ୍ଚିମବଙ୍ଗର ପର୍ଯ୍ୟଟକ ଭିଡ଼ ଜମାଇଥାନ୍ତି । ବାଲେଶ୍ୱର ତଥା ଆଖପାଖ ଅଞ୍ଚଳର ଲୋକେ ମଧ୍ୟ ଶନିବାର ଓ ରବିବାର ଭଳି ଛୁଟି ଦିନରେ ଆସିଥାନ୍ତି । ଇମାମୀ ଜଗନ୍ନାଥ ମନ୍ଦିରପରେ ଏହି ରାଧାକୃଷ୍ଣ ମନ୍ଦିର ପର୍ଯ୍ୟଟକମାନଙ୍କ ପାଇଁ ଆଉ ଗୋଟିଏ ଆକର୍ଷଣ ସାଜିଛି। ଚାନ୍ଦିପୁର ଓ ବଳରାମଗଡ଼ିକୁ ଯାଇଥିବା ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟ ହୋଇ ଆଲୋକୀକରଣ କରାଯାଇ ପାରିଲେ ଏଠାକୁ ଦର୍ଶକ ସମାଗମ ବୃଦ୍ଧି ପାଇବ ବୋଲି କହନ୍ତି ସ୍ଥାନୀୟ ଯୁବକ ସଂଘ ।

 “ମୋ ବାପା ସ୍ୱର୍ଗତ ବୃନ୍ଦାବନ ପଣ୍ଡାଙ୍କର ଏହି ମନ୍ଦିର ହେଉଛି ମାନସ ସନ୍ତାନ । ନିଜ ଘର ବର୍ଦ୍ଧନପୁର ହୋଇଥିବା ବେଳେ ବାପା ବାଲେଶ୍ୱର ଜମିଦାରଙ୍କ ଘରେ ସିରସ୍ତାଦାର ଥିଲେ । ସେ ନିଜେ ଜଣେ ପୁରୋହିତ ମଧ୍ୟ ଥିଲେ । ତାଙ୍କର ସ୍ୱପ୍ନ ଥିଲା ବାଲେଶ୍ୱରରେ ଭଲ ମନ୍ଦିରଟିଏ କରିବାକୁ । ସହର ଭିତରେ ଜମି ନଥିବା ବେଳେ ବେଳାଭୂମି ନିକଟରେ ଜମି ରହିଥିଲା ଓ ସେ ସେଥିରେ ମନ୍ଦିରଟିଏ ନିର୍ମାଣ କରିବାକୁ ଦୀର୍ଘଦିନରୁ ସ୍ୱପ୍ନ ଦେଖୁଥିଲେ । ବାପା ତାଙ୍କର ସମସ୍ତ ଅର୍ଜିତ ସମ୍ପତ୍ତିକୁ ଏହି ମନ୍ଦିର ନିର୍ମାଣ ପଛରେ ଲଗାଇ ଦେଇଛନ୍ତି । ମନ୍ଦିର କାମ ୨୦୧୦ରେ ଆରମ୍ଭ କରିଥିଲେ । ତେବେ ମନ୍ଦିର ନିର୍ମାଣ ପଛରେ ଆମ ୬ ଭାଇଙ୍କର ସେଭଳି ପ୍ରଥମେ ପ୍ରଥମେ ଆଗ୍ରହ ନଥିବା ବେଳେ ବାପାଙ୍କ ଜିଦ୍‌କୁ ଆମେ ସମ୍ମାନ ଦେଇଥିଲୁ । ତେବେ କଥାରେ ଅଛି ଯେଉଁମାନେ ମନ୍ଦିର ନିର୍ମାଣ କରନ୍ତି, ଭଗବାନ ତାଙ୍କୁ ନିଜ ପାଖକୁ ନେଇ ଯାଆନ୍ତି । ତାହା ହିଁ ହେଲା । ମନ୍ଦିର ନିର୍ମାଣ ଶେଷ ହେଉ ହେଉ ୨୦୧୩ ମସିହାରେ ବାପାଙ୍କର ଦେହାନ୍ତ ହୋଇଗଲା। ଏତେ ଟଙ୍କାର ମନ୍ଦିର ତଥା ବାପାଙ୍କ ସ୍ୱପ୍ନକୁ ମାଟି ନକରିବାକୁ ଆମେ ୬ ଭାଇ ସିଦ୍ଧାନ୍ତ ନେଇଥିଲୁ । ମିଳିମିଶି ମନ୍ଦିର ନିର୍ମାଣ ଶେଷ କରିବା ସହ ଏହାକୁ ଆହୁରି କିଭଳି ଆକର୍ଷଣୀୟ କରିହେବ ଚେଷ୍ଟା କରିଥିଲୁ”, କହନ୍ତି ମନ୍ଦିର ପରିଚାଳକ ନରହରି ପଣ୍ଡା।

ଲୋକମାନଙ୍କୁ ଆକର୍ଷିତ କରିବା ପାଇଁ କଲିକତାରୁ ମିସ୍ତ୍ରୀ ଆଣି ବୋଟିଂ ସୁବିଧା କରାଯାଇଛି। ରଙ୍ଗୀନ ମାଛ ଆଣି ପୋଖରୀରେ ଛଡ଼ଯାଇଛି । ପର୍ଯ୍ୟଟକଙ୍କ ସୁବିଧା ପାଇଁ ଠେକୁଆ, ବଗିଚା ଭିତରେ ହାତୀ, ବାଘ, ଡାଇନୋସରଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରାଯାଇଛି । ଏହାକୁ ଭଲ ଏକ ପର୍ଯ୍ୟଟନ କେନ୍ଦ୍ର ଭାବେ ଗଢି ତୋଳିବା ପାଇଁ ନରହରିଙ୍କ ପ୍ରଚେଷ୍ଟା ଏବେ ବି ଜାରି ଅଛି ।

ରାଧାକୃଷ୍ଣଙ୍କ ଶଙ୍ଖମଲମଲ ପଥରର ମୂର୍ତ୍ତିକୁ ରାଜସ୍ଥାନରୁ ତିଆରି କରାଯାଇଛି। ମନ୍ଦିର ନିର୍ମାଣରେ ବାଲେଶ୍ୱର ଓ ନୟାଗଡ଼ର ମୂର୍ତ୍ତିକାରମାନଙ୍କ ସହାୟତା ନିଆଯାଇଥିବା ବେଳେ ମନ୍ଦିର ଚାରିପାଖରେ ଦେବାଦେବୀଙ୍କର ସୁନ୍ଦର ମୂର୍ତ୍ତି ରହିଛି ଯାହାକୁ ଦେଖିଲେ ଆଖି ଲାଖି ହୋଇ ରହିଯାଏ ।

“ସରକାରଙ୍କ ପର୍ଯ୍ୟଟନ ମାନଚିତ୍ରରେ ରାଧାକୃଷ୍ଣ ମନ୍ଦିରର ନାମ ଲିପିବଦ୍ଧ ହେବା ଦିଗରେ ବିଭାଗୀୟ ଅଧିକାରୀମାନେ ଚେଷ୍ଟା କଲେ ଜିଲାର ଅନ୍ୟତମ ପ୍ରମୁଖ ପର୍ଯ୍ୟଟନସ୍ଥଳି ଭଳି ପ୍ରତିଦିନ ଲୋକାସମାଗମ ହୋଇପାରନ୍ତା ଏବଂ ତାଙ୍କ ବାପାଙ୍କ ସ୍ୱପ୍ନ ପୂରଣ ହୁଅନ୍ତା”, କହିଛନ୍ତି ନରହରି।

Comment