ସୌମ୍ୟ ରଞ୍ଜନ ବିହାରା

ଦିନକୁ ଦିନ ଗଣମାଧ୍ୟମର ପରିସର ବ୍ୟାପକ ହେବାରେ ଲାଗିଛି। ଏହାର ପ୍ରଭାବ ମଧ୍ୟ ଜନଜୀବନ ଉପରେ ଦେଖିବାକୁ ମିଳୁଛି। ଏସବୁ ଦୃଷ୍ଟିରୁ ଗଣମାଧ୍ୟମର ବିଶ୍ଳେଷଣ ଜରୁରି ହୋଇପଡ଼ିଛି। ଏହାକୁ ଆଖି ଆଗରେ ରଖି ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମ୍ସି), ଢେଙ୍କାନାଳ ପକ୍ଷରୁ ନିକଟରେ ପ୍ରକାଶିତ ହୋଇଛି ପୁସ୍ତକ ‘ସମ୍ବାଦ ପ୍ରସଙ୍ଗ- ୨’।

ବିଭିନ୍ନ ଖବରକାଗଜ ଓ ପତ୍ରପତ୍ରିକାରେ ପ୍ରକାଶିତ ଗଣମାଧ୍ୟମ ସମ୍ପର୍କିତ ମୋଟ ୨୫ଟି ନିବନ୍ଧ ଏହି ପୁସ୍ତକରେ ସ୍ଥାନିତ ହୋଇଛି। ସ୍ୱାଧୀନତା ପୂର୍ବରୁ ଗଣମାଧ୍ୟମର ଭୂମିକା, ପରବର୍ତ୍ତୀ ସମୟରେ ଏହାର ଚାହିଦା ଓ ବର୍ତ୍ତମାନର ଆବଶ୍ୟକତା ଆଦିର ଆମୂଳାନ୍ତ ବିଭବ ବିଭିନ୍ନ ନିବନ୍ଧରେ ଉଲ୍ଲେଖ କରାଯାଇଛି।

ଗଣମାଧ୍ୟମର ଭାଷା କିଭଳି ହେବା ଦରକାର, ଗଣମାଧ୍ୟମର ନୀତି ଓ ସାମାଜିକ ଦାୟିତ୍ୱ, ସମ୍ବାଦ ଓ ସାହିତ୍ୟର ସମ୍ପର୍କ, ସାମ୍ବାଦିକତାର ଧର୍ମ, ଅନୁବାଦର ଭୂମିକା ଆଦି ବିଷୟରେ ରଚନାମାନ ଏଥିରେ ପ୍ରକାଶିତ ହୋଇଛି। ସାମ୍ବାଦିକତା ଛାତ୍ରଛାତ୍ରୀ, କାର୍ଯ୍ୟରତ ସାମ୍ବାଦିକ, ଗବେଷକଙ୍କ ପାଇଁ ଏହା ନିଶ୍ଚିତ ଲାଭପ୍ରଦ ହେବ।

ଖ୍ୟାତନାମା ଲେଖକ ମନୋଜ ଦାସଙ୍କଠାରୁ ଆରମ୍ଭ କରି ହରପ୍ରସାଦ ଦାସ, କିମ୍ବଦନ୍ତୀ ସାମ୍ବାଦିକ ରାଧାନାଥ ରଥଙ୍କଠୁଁ ସତ୍ୟ ମହାପାତ୍ର, ଶିକ୍ଷାବିତ୍ ଡକ୍ଟର ପ୍ରଦୀପ ମହାପାତ୍ରଙ୍କ ଠାରୁ ଡକ୍ଟର ଗୌରହରି ଦାସ ଆଦିଙ୍କ ସମୃଦ୍ଧ ଲେଖା ପୁସ୍ତକକୁ ଆହୁରି ପାଠକୀୟ କରିଛି।

ସ୍ୱାଧୀନତା ପୂର୍ବରୁ କିପରି ଗଣମାଧ୍ୟମ ଜନସେବାରେ ଉତ୍ସର୍ଗୀକୃତ ହେଉଥିଲା ଓ ଲୋକଙ୍କ ସ୍ୱର ହୋଇ ସାମାଜିକ ସମସ୍ୟା ଉପସ୍ଥାପନା କରୁଥିଲା, ସେସବୁକୁ ନେଇ ଦୈନିକ ‘ସମାଜ’ର ପୂର୍ବତନ ସମ୍ପାଦକ ରାଧାନାଥ ରଥ ଆଲୋଚନା କରିଛନ୍ତି।

ସେହିପରି ୧୯୩୬ରୁ ୨୦୧୬ ପର୍ଯ୍ୟନ୍ତ ଓଡ଼ିଆ ସାମ୍ବାଦିକତାର କ୍ରମବିକାଶକୁ ନେଇ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସାମ୍ବାଦିକତା ବିଭାଗର ପୂର୍ବତନ ମୁଖ୍ୟ ଡକ୍ଟର ପ୍ରଦୀପ ମହପାତ୍ରଙ୍କ ତଥ୍ୟଭିତ୍ତିକ ନିବନ୍ଧ ଇତିହାସର ପୃଷ୍ଠା ଲେଉଟାଇବାରେ ବେଶ୍ ସହାୟକ ହୋଇଛି। ବିଶିଷ୍ଟ ସମାଲୋଚକ ହରପ୍ରସାଦ ଦାସ ଭାଷା, ସାହିତ୍ୟ ଓ ସମ୍ବାଦପତ୍ରର ବିମର୍ଶ ନିର୍ମାଣ କରିବାକୁ ଯାଇ ବ୍ୟାକରଣ, ଭାଷା ବ୍ୟବହାର ତଥା ଭାଷା-ସାହିତ୍ୟର ଭବିଷ୍ୟତ ନେଇ ଗୁଡ଼ିଏ ପ୍ରସ୍ତାବ ରଖିଛନ୍ତି।

ଲେଖକ ମନୋଜ ଦାସ ନିବନ୍ଧ ‘ସମ୍ବାଦପତ୍ର, ସ୍ୱାଧୀନତା ଓ ସନ୍ତ୍ରାସବାଦ’ରେ ଖବର, ତୁଚ୍ଛା ଖବର, ବିଭ୍ରାନ୍ତିକର ଖବର ଓ ଉଦ୍ଭ୍ରାନ୍ତିକର ଖବରର ଏକ ତୁଳନାତ୍ମକ ବିବରଣୀ ଉଲ୍ଲେଖ କରିଛନ୍ତି। ସେହିଭଳି ଲେଖକ ଡକ୍ଟର ମୃଣାଳ ଚାଟାର୍ଜୀ ଅତି ସରଳଭାବେ ଗଣମାଧ୍ୟମର ସ୍ୱାଧୀନତା ଓ ସାମାଜିକ ଦାୟିତ୍ୱ ସମ୍ପର୍କରେ ଆଲୋକପାତ କରିଛନ୍ତି। ସେ ଏଥିରେ ସମ୍ବାଦପତ୍ର ସମ୍ପର୍କିତ ବିଭିନ୍ନ ଧାରା ଓ ନିୟମ, ଭାରତୀୟ ପ୍ରେସ୍ କାଉନସିଲ୍‌ ଭୂମିକା, ସମ୍ପାଦକୀୟ ବିଷୟବସ୍ତୁ, ଗଣମାଧ୍ୟମର ବିଶ୍ୱସନୀୟତା ଆଦି ଉପରେ ଉଦାହରଣ ମାଧ୍ୟମରେ ବୁଝାଇଛନ୍ତି।

‘ଗୋଷ୍ଠୀ ବେତାର’ର ଆବଶ୍ୟକତା, ରାଜ୍ୟରେ ବର୍ତ୍ତମାନର ସ୍ଥିତି ଓ ଭବିଷ୍ୟତରେ ଏହାର ଚାହିଦା ଉପରେ ପୁଙ୍ଖାନୁପୁଙ୍ଖ ବିବରଣୀ ନିଜ ନିବନ୍ଧରେ ପ୍ରଦାନ କରିବାରେ ସଫଳ ହୋଇଛନ୍ତି ପ୍ରଦୀପ୍ତ ଦତ୍ତ।

ସମ୍ବାଦ ଓ ସାହିତ୍ୟର ସମ୍ପର୍କ, ଏ ଦୁଇଟିର ସାମ୍ୟ ଓ ବୈଷମ୍ୟ ଆଦି ଉପରେ ଉଦାହରଣ ଦେଇ କଥାକାର ଗୌରହରି ଦାସ ଅତିସୁନ୍ଦର ଭାବେ ବିଷୟଟିକୁ ତୋଳି ଧରିଛନ୍ତି। ଓଡ଼ିଶାରେ ସାମ୍ବାଦିକତା ଓ ରାଜନୀତିର ଚିତ୍ର ବିଶେଷକରି ଗଣମାଧ୍ୟମ ଓ ରାଜନେତାଙ୍କ ସମ୍ପର୍କକୁ ନେଇ ଜ୍ୟୋତି ପ୍ରକାଶ ମହାପାତ୍ରଙ୍କ ଏକ ନିବନ୍ଧ ଅନେକ ତଥ୍ୟ ଉପସ୍ଥାପନ କରେ।

ଏହିପରି ସବୁ ଚିନ୍ତାଶୀଳ ନିବନ୍ଧ ଗଣମାଧ୍ୟମର ବିଭିନ୍ନ ଦିଗ ଉପରେ ଆଧାରିତ ହୋଇଛି । ଆଶା, ଗଣମାଧ୍ୟମ ସମ୍ପର୍କରେ ଅଧିକ ଚର୍ଚ୍ଚା ଓ ବିଶ୍ଳେଷଣ କରିବାରେ ପୁସ୍ତକଟି ସହାୟକ ହେବ।

ଭାରତୀୟ ଜନ ସଞ୍ଚାର ସଂସ୍ଥାନର ରୌପ୍ୟ ଜୟନ୍ତୀ ଅବସରରେ ସଂସ୍ଥାନର ଆଞ୍ଚଳିକ ନିର୍ଦ୍ଦେଶକ ଡକ୍ଟର ମୃଣାଳ ଚାଟାର୍ଜୀଙ୍କ ପରିକଳ୍ପନା ଓ ସମ୍ପାଦନାରେ ପୁସ୍ତକଟି ପ୍ରକାଶିତ ହୋଇଛି।

୨୦୦୩ ମସିହାରେ ବିଭିନ୍ନ ଚିନ୍ତାଶୀଳ ବ୍ୟକ୍ତିତ୍ୱମାନଙ୍କ ଗଣମାଧ୍ୟମ ସମ୍ପର୍କିତ ନିବନ୍ଧଗୁଡ଼ିକୁ ନେଇ ଭାରତୀୟ ଜନ ସଞ୍ଚାର ସଂସ୍ଥାନ ପକ୍ଷରୁ ପ୍ରକାଶିତ ହୋଇଥିଲା ପୁସ୍ତକ ‘ସମ୍ବାଦ ପ୍ରସଙ୍ଗ’।

(ଲେଖକ ଭାରତୀୟ ଜନ ସଞ୍ଚାର ସଂସ୍ଥାନରେ ଆକାଡେମିକ୍ ଆସିଷ୍ଟାଣ୍ଟ ଭାବେ କାର୍ଯ୍ୟ କରୁଛନ୍ତି)

Comment