ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଚନ୍ଦ୍ରଶେଖର ସାହୁ। ତାଙ୍କ ସହ ବିକ୍ରମ ପଣ୍ଡା ଏବଂ ଭଗବାନ ଗନ୍ତାୟତ ମଧ୍ୟ ବିଜେଡିରେ ସାମିଲ ହୋଇଛନ୍ତି। ନିକଟରେ ସେମାନେ କଂଗ୍ରେସ ଦଳରୁ ଇସ୍ତଫା ଦେଇଥିଲେ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଏହି ତିନି ନେତାଙ୍କ ସମେତ ବହୁ ସମର୍ଥକ ବିଜେଡିରେ ଯୋଗ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଏମାନଙ୍କୁ ସ୍ୱାଗତ କରିଥିଲେ।

ଚନ୍ଦ୍ରଶେଖର ସାହୁ କହିଥିଲେ, “ନବୀନଙ୍କ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶାର ବିକାଶ ହୋଇଛି। ସବୁ ବର୍ଗର ଲୋକଙ୍କ ପାଇଁ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ସରକାର ବିକାଶମୂଳକ କାମ କରିଛନ୍ତି। ଏହି ବିକାଶଧାରା ମୋତେ ଆକର୍ଷିତ କରିଛି। ନବୀନ ପଟ୍ଟନାୟକଙ୍କ ସ୍ନେହଁ, ଶ୍ରଦ୍ଧା ମୋତେ ମିଳିବାରୁ ମୁଁ ବିଜେଡିରେ ସାମିଲ୍ ହୋଇଛି।”

ଯେଉଁମାନେ ଆଜି ବିଜେଡିରେ ସାମିଲ ହୋଇଛନ୍ତି ସେମାନେ ୨୧ ବର୍ଷ ହେଲା ବିଜେଡି ବିରୋଧରେ ନିର୍ବାଚନ ଲଢ଼ି ଆସୁଥିଲେ। କିନ୍ତୁ ସେମାନେ ହାତ ଛାଡ଼ି ଶଙ୍ଖ ଫୁଙ୍କିଛନ୍ତି।

ବିଜେଡି ସଭାପତି ନବୀନ ପଟ୍ଟନାୟକ କହିଛନ୍ତି, “ଦଳରେ ଆଜି ଚନ୍ଦ୍ରଶେଖର ସାହୁଙ୍କ ସମେତ ବିକ୍ରମ ପଣ୍ଡା ଏବଂ ଭଗବାନ ଗନ୍ତାୟତ ମିଶିଛନ୍ତି। ସେମାନଙ୍କୁ ମୁଁ ସ୍ୱାଗତ କରୁଛି। ଏମାନେ ଦଳରେ ମିଶିବା ପରେ ଦକ୍ଷିଣ ଓଡ଼ିଶାରେ ବିଜେଡି ଆହୁରି ସୁଦୃଢ଼ ହେବ। ଓଡ଼ିଶାକୁ ବିକାଶ ପଥରେ ଆଗେଇ ନେବା ପାଇଁ ଅଧିକ କାମ କରାଯିବ।”

ବିକ୍ରମ ପଣ୍ଡା କହିଛନ୍ତି, “କଂଗ୍ରେସରେ ଚାଲିଥିବା ଗୋଡ଼ଟଣା ନୀତି ମୋତେ ଅଣନିଶ୍ୱାସୀ କରିଦେଲା। ଏହି ଦଳରେ ଭବିଷ୍ୟତ ଅସୁରକ୍ଷିତ ପରି ମନେହେଲା। ଯେଉଁଥିପାଇଁ ବିଜେଡି ଯୋଗଦେବାକୁ ନିଷ୍ପତ୍ତି ନେଲି। ନବୀନବାବୁଙ୍କ ନେତୃତ୍ୱ ଉପରେ ଆସ୍ଥା ପ୍ରକଟ କରି ମୁଁ ବିଜେଡିରେ ମିଶିଛି।”

ଏହି ମିଶ୍ରଣ ପର୍ବରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ, ବରିଷ୍ଠ ନେତା ସୂର୍ଯ୍ୟନାରାୟଣଙ୍କ ସମେତ ଗଞ୍ଜାମ ଜିଲ୍ଲାର ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ।

Comment