ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗତବର୍ଷ ତୁଳନାରେ ୨୦୧୮ରେ ଓଡ଼ିଆ ସିନେ ଜଗତର ଟିକେ ମାନ୍ଦାବସ୍ଥା ପରିଲକ୍ଷିତ ହେଉଛି। କାରଣ ପ୍ରଥମ ଦୁଇ ମାସରେ ରିଲିଜ୍ ହୋଇଥିବା ଫିଲ୍ମ ସଂଖ୍ୟା କମ୍ ଥିଲା। ଅବଶ୍ୟ ମାର୍ଚ୍ଚ ମାସରେ ସ୍ଥିତି ସୁଧୁରିଛି। ଏଥର ମାର୍ଚ୍ଚରେ ୪ଟି ଓଡ଼ିଆ ସିନେମା ମୁକ୍ତିଲାଭ କରିଛି। ତା’ ଆଗରୁ ଫେବୃଆରୀ ମାସରେ ମାତ୍ର ଗୋଟିଏ ଏବଂ ଜାନୁଆରୀରେ ରିଲିଜ୍ ହୋଇଛି ୨ଟି ଓଡ଼ିଆ ଛବି। ଏମିତି ପ୍ରଥମ ତ୍ରୈମାସିକୀରେ ମାତ୍ର ୭ଟି ଓଡ଼ିଆ ଛବି ପରଦାକୁ ଆସିଛି।

ଜାନୁଆରୀରୁ ମାର୍ଚ୍ଚ ଭିତରେ ରିଲିଜ୍ ହୋଇଥିବା ଓଡ଼ିଆ ସିନେମାଗୁଡ଼ିକ ହେଲା ‘ଓନଲି ପ୍ୟାର୍’, “ହାପି ଲକି’, ‘ଗୁଡୁ ଆଣ୍ଡ୍ ଗୁଡି’, ‘ମନର ମାନସୀ’, ‘ଦୀପୁ ଦ ଡ୍ୟାନ୍ସ ବୟ’, ‘ହତ୍ୟା’ ଏବଂ ‘ଅଜାତ ଶତ୍ରୁ’।

ପ୍ରଥମ ତିନି ମାସ ଭିତରେ ରିଲିଜ୍ ହୋଇଥିବା ସିନେମା ଭିତରୁ  କୌଣସି ଗୋଟିକୁ ଭଲ ବ୍ୟାବସାୟିକ ସଫଳତା ମିଳିନଥିବା ଶୁଣିବାକୁ ମିଳୁଛି। ଏପରିକି ବାବୁସାନ ଷ୍ଟାରର୍ ମୁଭି ‘ଓନଲି ପ୍ୟାର’ ବି ବକ୍ସ ଅଫିସରେ ଫ୍ଲପ୍ ହୋଇଛି। ଏହାକୁ ବାଦ୍ ଦେଲେ ଅନ୍ୟସବୁ ଗୁଡ଼ିକର ବଜେଟ୍ ଅପେକ୍ଷାକୃତ କମ୍।

ମନର ମାନସୀ, ହତ୍ୟା, ଅଜାତଶତ୍ରୁ ଓ ଗୁଡୁ ଆଣ୍ଡ୍ ଗୁଡି ଗୁଡିକରେ ମୁଖ୍ୟତଃ ନୂଆ କଳାକାର, ନୂଆ ପ୍ରଯୋଜକଙ୍କର କାରନାମା ରହିଛି। ‘ମନର ମାନସୀ’ରେ ନୂଆ କଳାକାର ବିଭାସ ଓ ସୋନାଲୀଙ୍କ ଯୋଡ଼ି ଥିବା ବେଳେ ହତ୍ୟାରେ ବି ଥିଲେ ଏକ ନୂଆ ପେଆର୍। ଏମାନେ ହେଲେ ଅର୍ପଣ ଓ ଅନ୍ଵେଷା। ‘ଗୁଡୁ ଆଣ୍ଡ୍ ଗୁଡ଼ି’ରେ ନବାଗତ ନାୟକ ସୂର୍ଯ୍ୟକାନ୍ତ, ଅଜାତ ଶତ୍ରୁରେ ନୂଆ ହିରୋ ସୋନମ୍ ସିଂହ, ନୂଆ ହିରୋଇନ୍ ସାଧ୍‌ଭି ସିଂହ, ଦୀପୁ ଦ ଡ୍ୟାନ୍ସ ବୟରେ ନୂଆ ହିରୋ ମନୋଜ ରାଉତ, ନୂଆ ହିରୋଇନ ଏଲ୍‌ସାଙ୍କର ଏଣ୍ଟ୍ରି ହୋଇଛି ଓଲିଉଡ଼ରେ। ‘ହାପିଲକି’ରେ ନବାଗତା ସସ୍ମିତା ନାୟିକା ଭୂମିକାରେ ଆସିଛନ୍ତି।

୨୦୧୮ର ପ୍ରଥମ ତିନି ମାସ ଭିତରେ ରିଲିଜ୍ ହୋଇଥିବା ଫିଲ୍ମଗୁଡ଼ିକରେ କେତେକ ଫିଲ୍ମ ହେଉଛି ନୂଆ ପ୍ରଯୋଜକଙ୍କର ଏହି ନୂଆ ପ୍ରଯୋଜକମାନେ ହେଲେ ସୁନୀଲ କୁମାର ଦାଶ, (ଓନ୍‌ଲି ପ୍ୟାର), ଯୋଗେନ୍ଦ୍ର କୁମାର ସାହୁ (ମନର ମାନସୀ), ସୂର୍ଯ୍ୟକାନ୍ତ ସାମଲ (ଗୁଡୁ ଆଣ୍ଡ୍ ଗୁଡି), ମନୋଜ ରାଉତ (ଦୀପୁ ଦ ଡ୍ୟାନ୍ସର ବୟ), ଅକ୍ଷର କର (ହତ୍ୟା) ଓ ସୋହମ୍ ସିଂହ (ଅଜାତ ଶତ୍ରୁ)।

ଏହି ଫିଲ୍ମଗୁଡ଼ିକ ମଧ୍ୟରୁ ‘ମନର ମାନସୀ’ର ନିର୍ଦ୍ଦେଶନା ଦେଇଛନ୍ତି ଜଣେ ଡେବ୍ୟୁଟାଣ୍ଟ ଡିରେକ୍ଟର ସଚ୍ଚିଦାନନ୍ଦ ସାମଲ ଠିକ୍ ସେହିପରି ଟେଲି ଦୁନିଆର ଲୋକପ୍ରିୟ ନିର୍ଦ୍ଦେଶକ ଅରୁଣ ଦାସ ପ୍ରଥମ ଥର ପାଇଁ ‘ଦୀପୁ ଦ ଡ୍ୟାନ୍ସବୟ’ ସିନେମାର ନିର୍ଦ୍ଦେଶନା ଦେଇଛନ୍ତି।

ଏହି ସମୟରେ ଜଣେ ନୂଆ ସଙ୍ଗୀତକାର ସିତୁ- ସଞ୍ଜୟଙ୍କର ଓଲିଉଡ଼ରେ ଏଣ୍ଟ୍ରି ହୋଇଛି।

ଆଉ ଏକ ବଡ଼ କଥା ହେଲା ବର୍ଷର ପ୍ରଥମ ତିନି ମାସ ବିତିଗଲା, ଅଥଚ ବାବୁସାନଙ୍କ ବ୍ୟତୀତ ଅନ୍ୟ ଟପ୍ ହିରୋ ଅନୁଭବ, ଅରିନ୍ଦମ୍ କି ସବ୍ୟସାଚୀଙ୍କର କୌଣସି ଫିଲ୍ମ ରିଲିଜ୍ ହେଲା ନାହିଁ।

ଦେଖାଯାଉ, ଆଗକୁ ଓଡ଼ିଆ ସିନେମାର ସଂଖ୍ୟା କେତେ ବଢ଼ୁଛି, ପୁଣି କେଉଁ ନୂଆ କଳାକାରମାନଙ୍କର ପ୍ରବେଶ ହେଉଛି ଓଲିଉଡ଼ରେ।

Comment