ଓଡ଼ିଶାଲାଇଭ୍‌ ବ୍ୟୁରୋ

୨୦୧୯ ବର୍ଷର ପଦ୍ମ ପୁରସ୍କାର ପାଇଁ ଅନଲାଇନ ଦରଖାସ୍ତ ଓ ସୁପାରିଶ ପ୍ରକ୍ରିୟା ଆରମ୍ଭ ହୋଇଛି। ମେ’ ପହିଲାରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇଥିଲା ବେଳେ ସାଧାରଣତନ୍ତ୍ର ଦିବସ ପୂର୍ବରୁ ପଦ୍ମଶ୍ରୀ, ପଦ୍ମ ଭୂଷଣ ଓ ପଦ୍ମ ବିଭୂଷଣ ପୁରସ୍କାର ଘୋଷଣା କରାଯିବ।

ସେପ୍ଟେମ୍ବର ୧୫ ହେଉଛି ଦରଖାସ୍ତ ଗ୍ରହଣର ଶେଷ ତାରିଖ। କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରାଳୟ, ରାଜ୍ୟ ସରକାର, କେନ୍ଦ୍ରଶାସିତ ଅଞ୍ଚଳ, ଭାରତ ରତ୍ନ, ପଦ୍ମ ବିଭୂଷଣପ୍ରାପ୍ତ ବ୍ୟକ୍ତି ଓ ବିଭିନ୍ନ ଅନୁଷ୍ଠାନ ତଥା ଅନ୍ୟ ସୂତ୍ରରୁ ଏହି ଦରଖାସ୍ତ ଗ୍ରହଣ କରାଯାଉଛି। ଏହିଭଳି କରିବାର ଉଦ୍ଦେଶ୍ୟ ପଦ୍ମ ପୁରସ୍କାରକୁ ବ୍ୟାପକ କରିବା। ବିଭିନ୍ନ କ୍ଷେତ୍ରରେ ଯେଉଁମାନେ ପାରଦର୍ଶିତା ଲାଭ କରିଛନ୍ତି ସେମାନଙ୍କ ନାମ ସୁପାରିଶ କରାଯାଇପାରେ।

କେନ୍ଦ୍ର ଗୃହ ମନ୍ତ୍ରାଳୟର ବିଜ୍ଞପ୍ତି ଅନୁସାରେ କେବଳ ଅନଲାଇନରେ ହିଁ ପଦ୍ମ ପୁରସ୍କାର ପାଇଁ ଆବେଦନ କରାଯାଇ ପାରିବ। ଦେଶର ଯେ କୌଣସି ନାଗରିକ ଚାହିଁଲେ ମନୋନୟନରେ ସାମିଲ ହୋଇପାରିବେ। ଏପରିକି ନିଜେ ନିଜ ପାଇଁ ମଧ୍ୟ ସୁପାରିଶ କରି ପାରିବେ। ପଦ୍ମ ପୁରସ୍କାର ଆବେଦନ ପାଇଁ ୱେବସାଇଟ ହେଉଛି www.padmaawards.gov.in

ଏଥିପାଇଁ ଯେଉଁ ଫର୍ମାଟ ଅଛି ସେଥିରେ ମଗାଯାଇଥିବା ସମସ୍ତ ଆବଶ୍ୟକୀୟ ବିବରଣୀ ସହିତ ୮୦୦ ଶବ୍ଦ ମଧ୍ୟରେ ସୁପାରିଶ କରାଯାଉଥିବା ବ୍ୟକ୍ତିଙ୍କ ସମ୍ପର୍କରେ ଏକ ସୂଚନା/ଲେଖା ପ୍ରଦାନ କରିବାକୁ ପଡ଼ିବ। କେଉଁ କ୍ଷେତ୍ରରେ ସେ ପାରଦର୍ଶିତା ହାସଲ କରିଛନ୍ତି ତାହା ସ୍ପଷ୍ଟ ଭାବେ ଉଲ୍ଲେଖ କରିବା ପାଇଁ ଏହି ବିଜ୍ଞପ୍ତିରେ ଅନୁରୋଧ କରାଯାଇଛି। ଜାତି, ଧର୍ମ, ବର୍ଗ, ଲିଙ୍ଗ,ସାମାଜିକ ସ୍ଥିତି ନିର୍ବିଶେଷରେ ସମସ୍ତେ ପଦ୍ମ ପୁରସ୍କାର ପାଇଁ ଆବେଦନ କରିପାରିବେ।

Comment