ଓଡ଼ିଶାଲାଇଭ୍ ବ୍ୟୁରୋ
କାଶ୍ମୀର ବିଶ୍ୱବିଦ୍ୟାଳୟରୁ ଅଚାନକ ଗାଏବ ହୋଇଯାଇଥିବା ଅଧ୍ୟାପକ ମହମ୍ମଦ ରଫି ଭଟ୍ଟ ହିଜବୁଲ ମୁଜାହିଦ୍ଦିନ ଆତଙ୍କବାଦୀ ସଙ୍ଗଠନରେ ସାମିଲ ହୋଇଥିଲେ। ଅଧ୍ୟାପକରୁ ଆତଙ୍କବାଦୀ ବନିଥିବା ମହମ୍ମଦ ରଫି ଭଟ୍ଟ ଆଜି ପୋଲିସ ଗୁଳିରେ ନିହତ ହୋଇଛନ୍ତି।
ପାଠ ପଢ଼ାଇ ପିଲାଙ୍କ ଭବିଷ୍ୟତ ଗଢ଼ୁଥିଲେ। ସମାଜରେ ମୁଣ୍ଡ ଟେକି ବାଟ ଚାଲିବା ପାଇଁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଉଥିଲେ କାଶ୍ମୀର ବିଶ୍ୱବିଦ୍ୟାଳୟର ପ୍ରଫେସର ମହମ୍ମଦ ରଫି ଭଟ୍ଟ। ହେଲେ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ଛାଡ଼ି ମାତ୍ର ୩୬ ଘଣ୍ଟା ତଳେ ହିଜବୁଲ୍ ମୁଜାହିଦ୍ଦିନ ଆତଙ୍କବାଦୀ ସଙ୍ଗଠନରେ ସାମିଲ ହୋଇଥିବା ପ୍ରଫେସର ଭଟ୍ଟ ରବିବାର ସୁରକ୍ଷା କର୍ମୀଙ୍କ ଗୁଳିରେ ନିହତ ହୋଇଛନ୍ତି। ଏହି ଘଟଣା ଜଣାପଡ଼ିବା ପରେ ଆଧ୍ୟାପକରୁ ଆତଙ୍କବାଦୀ ବନିଥିବା ମହମ୍ମଦ ରଫି ଭଟ୍ଟଙ୍କୁ ନେଇ ଚାରିଆଡ଼େ ଚର୍ଚ୍ଚା।
ଦକ୍ଷିଣ କାଶ୍ମୀରର ସୋପିଆଁ ଜିଲ୍ଲାରେ ରବିବାର ସକାଳେ ସୁରକ୍ଷା ବଳ ଏବଂ ଆତଙ୍କବାଦୀଙ୍କ ଭିତରେ ହୋଇଥିଲା ଗୁଳିବିନିମୟ। ଏଥିରେ ଟଳି ପଡ଼ିଥିଲେ ୪ ଜଣ ଆତଙ୍କବାଦୀ। ଏହି ଆତଙ୍କବାଦୀ ସଙ୍ଗଠନରେ ଅଧ୍ୟାପକ ମହମ୍ମଦ ରଫି ଭଟ୍ଟ ଥିବା ଜାଣିପାରିଥିଲା ପୋଲିସ। ଫଳରେ ତାଙ୍କୁ ଆତ୍ମସମର୍ପଣ କରିବା ପାଇଁ ପୋଲିସ ପକ୍ଷରୁ କୁହାଯାଇଥିଲା। ହେଲେ ସେ ଶୁଣି ନଥିଲେ। ସୁରକ୍ଷା ବଳଙ୍କ ଗୁଳିରେ ତଳେ ଟଳି ପଡ଼ିଥିଲେ ମହମ୍ମଦ ରଫି ଭଟ୍ଟ।
ଶୁକ୍ରବାରଠାରୁ ହଠାତ୍ ମହମ୍ମଦ ରଫି ଭଟ୍ଟ କୁଆଡ଼େ ଗାଏବ ହୋଇଯାଇଥିଲେ। ବିଶ୍ୱବିଦ୍ୟାଳୟର କର୍ମଚାରୀ ଏବଂ ପରିବାର ବର୍ଗ ଅଧୈର୍ଯ୍ୟ ହୋଇପଡ଼ିଥିଲେ। ଅଚାନକ ମହମ୍ମଦ ରଫି ଭଟ୍ଟ କୁଆଡ଼େ ଗଲେ ସେନେଇ ବିଶ୍ୱବିଦ୍ୟାଳୟ ପକ୍ଷରୁ ସ୍ଥାନୀୟ ଥାନାରେ ଏକ ନିଖୋଜ ମାମଲା ରୁଜୁ କରିଥିଲେ।
ମାମଲାକୁ ଆଧାର କରି ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ଅଧ୍ୟାପକ ମହମ୍ମଦ ରଫି ଭଟ୍ଟ ହିଜବୁଲ୍ ମୁଜାହିଦ୍ଦିନ ଆତଙ୍କବାଦୀ ସଙ୍ଗଠନରେ ଯୋଗ ଦେଇଥିବା ପୋଲିସ ଜାଣିପାରିଥିଲା।
ଏପଟେ ରବିବାର ସକାଳେ କିଛି ଆତଙ୍କବାଦୀ ଦକ୍ଷିଣ କାଶ୍ମୀରର ସୋପିଆଁ ଜିଲ୍ଲାରେ ରହିଥିବା ସୁରକ୍ଷା କର୍ମୀମାନେ ଜାଣିପାରି ସେମାନଙ୍କୁ ଘେରିଥିଲେ। ହେଲେ ଆତଙ୍କବାଦୀମାନେ ସୁରକ୍ଷା କର୍ମୀଙ୍କ ଉପରକୁ ଗୁଳି ଚାଳନା କରିଥିଲେ। ଏହାର ଜବାବରେ ସୁରକ୍ଷା କର୍ମୀମାନେ ପାଲଟା ଗୁଳି ଚଳାଇବାରୁ ୪ ଜଣ ଆତଙ୍କବାଦୀ ନିହତ ହୋଇଥିଲେ। ଆଉ କିଛି ଆତଙ୍କବାଦୀ ଆହତ ହୋଇଥିବା ଜଣାପଡ଼ିଛି। ଏହି ନିହତ ଆତଙ୍କବାଦୀଙ୍କ ଭିତରେ ନିଖୋଜ ଅଧ୍ୟାପକ ମହମ୍ମଦ ରଫି ଭଟ୍ଟ ଥିବା ପୋଲିସ ଦାବି କରିଛି।
ସୁରକ୍ଷା କର୍ମୀଙ୍କ ଗୁଳି ବାଜିବା ପରେ ମହମ୍ମଦ ରଫି ତାଙ୍କ ବାପାଙ୍କୁ ଶେଷ ଥର ପାଇଁ ଫୋନ କରିଥିଲେ। ଏହି ଫୋନ କଲ୍ରେ ସେ କହିଥିଲେ ଯେ ‘ଆଇ ଆମ୍ ସରି’।