ଓଡ଼ିଶାଲାଇଭ୍ ବ୍ୟୁରୋ
ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ୬ ସପ୍ତାହ ପାଇଁ ଜେଲରୁ ବାହାରିଛନ୍ତି। ଲାଲୁଙ୍କୁ ରାଞ୍ଚି ହାଇକୋର୍ଟ ଜାମିନ ଦେଇଛନ୍ତି। ସ୍ୱାସ୍ଥ୍ୟଜନିତ ସମସ୍ୟା ପାଇଁ ଲାଲୁଙ୍କୁ ଏହି ଜାମିନ ମିଳିଛି। ଗୋ-ଖାଦ୍ୟ ଦୁର୍ନୀତି ମାମଲାରେ ଲାଲୁ ଜେଲ୍ ଯାଇଥିଲେ।
ସବୁଠୁ ବଡ଼ କଥା ହେଉଛି ଶନିବାର ଦିନ ଲାଲୁଙ୍କ ବଡ଼ ପୁଅ ତେଜ ପ୍ରତାପ ଯାଦବଙ୍କର ବାହାଘର। ବାହାଘରର ଦିନକୁ ପୂର୍ବରୁ ଲାଲୁଙ୍କୁ ଅନ୍ତରୀଣ ଜାମିନ ମିଳିଥିବାରୁ ପରିବାର ଲୋକ ଏବଂ ସମର୍ଥକମାନେ ଖୁସି ପ୍ରକାଶ କରିଛନ୍ତି। ଲାଲୁ ପାଟଣାରେ ପହଞ୍ଚିବା ପରେ ସମର୍ଥକମାନେ ତାଙ୍କୁ ଘର ପର୍ଯ୍ୟନ୍ତ ପାଛୋଟି ଆଣିଥିଲେ। ଧୁମଧାମରେ ଲାଲୁଙ୍କ ପୁଅର ବାହାଘର ଆୟୋଜନ କରାଯାଉଛି। ବୁଧବାର ଦିନ ଲାଲୁଙ୍କୁ ୩ ଦିନିଆ ପାରୋଲରେ ଯିବା ପାଇଁ ଅନୁମତି ମିଳିଥିଲା।
୧୨ ସପ୍ତାହ ଅନ୍ତରୀଣ ଜାମିନ ପାଇଁ ଆବେଦନ କରିଥିଲେ ଲାଲୁଙ୍କ ଓକିଲ ଅଭିଷେକ ମନୁ ସିଙ୍ଗଭି ଏବଂ ପ୍ରଭାତ କୁମାର। ହେଲେ କୋର୍ଟ ୬ ସପ୍ତାହ ପାଇଁ ଅନମୁତି ଦେଇଛନ୍ତି।
ଲାଲୁଙ୍କ ପୁଅ ବାହାଘରରେ ସାମିଲ ହୋଇଛନ୍ତି ଯୋଗଗୁରୁ ବାବା ରାମଦେବ। ତେଜ ପ୍ରତାପଙ୍କୁ ଆଶିର୍ବାଦ ଦେବା ପାଇଁ ରାମଦେବ ପାଟଣାସ୍ଥିତ ଲାଲୁଙ୍କ ବାସଭବନରେ ପହଞ୍ଚିଛନ୍ତି।