ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଜେପି ନେତା ବି ଏସ୍ ୟେଦୁରପ୍ପାଙ୍କୁ ଡାକି ସରକାର ଗଠନ କରିବାକୁ ପ୍ରସ୍ତାବ ଦେଇଛନ୍ତି ରାଜ୍ୟପାଳ ବଜୁଭାଇ ବାଲା।

ସରକାର ଗଠନକୁ ନେଇ କର୍ଣ୍ଣାଟକରେ ସୃଷ୍ଟି ହୋଇଥିବା ରାଜନୀତିକ ସଙ୍କଟ ଟଳିଛି। ସରକାର ଗଠନ କରିବା ପାଇଁ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବି ଏସ୍ ୟେଦୁରପ୍ପାଙ୍କୁ ରାଜ୍ୟପାଳ ବାଜୁଭାଇ ବାଲା ଡାକିଛନ୍ତି। ଏନେଇ ରାଜଭବନରୁ କୌଣସି ସ୍ପଷ୍ଟ ସୂଚନା ମିଳି ନଥିଲେ ମଧ୍ୟ ଜଣେ ବିଜେପି ବିଧାୟକଙ୍କ କହିବା ଅନୁଯାୟୀ ୟେଦୁରପ୍ପା କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବେ ଗୁରୁବାର ଶପଥ ଗ୍ରହଣ କରିବେ। ମେ ୨୧ ତାରିଖରେ ବିଧାନସଭାରେ ୟେଦୁରପ୍ପା ନିଜର ସଂଖ୍ୟାଗରିଷ୍ଠତା ଦେଖାଇବେ।

ଶପଥ ଗ୍ରହଣ ଉତ୍ସବରେ କେବଳ ୟେଦୁରପ୍ପା ହିଁ ଶପଥ ଗ୍ରହଣ କରିବେ। ଅନ୍ୟ ମନ୍ତ୍ରୀମାନେ ଶପଥ ଗ୍ରହଣ କରିବେ ନାହିଁ। ମେ ୨୧ରେ ସଂଖ୍ୟା ଗରିଷ୍ଠତା ପ୍ରମାଣ କରିବା ପରେ ଅନ୍ୟ ମନ୍ତ୍ରୀମାନେ ଶପଥ ଗ୍ରହଣ କରିବେ। ତେବେ ୟେଦୁରପ୍ପାଙ୍କ ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିମ୍ବା ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହା ଯୋଗଦେବେ ନାହିଁ।

ୟେଦୁରପ୍ପାଙ୍କୁ ସରକାର ଗଠନ ପାଇଁ ରାଜ୍ୟପାଳ ବଜୁଭାଇ ବାଲା ଆମନ୍ତ୍ରିତ କରିବା ପରେ କଂଗ୍ରେସ ସମାଲୋଚନା କରିଛି। କଂଗ୍ରେସ ନେତା ପି ଚିଦାମ୍ବରମ ଏବଂ କପିଲ ଶିବଲ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟପାଳ ନେଇଥିବା ନିଷ୍ପତ୍ତିକୁ ଭୁଲ ବୋଲି କହିଛନ୍ତି। ଏହାସହ ବିଜେପି ଗଣତନ୍ତ୍ରକୁ ହତ୍ୟା କରୁଛି ବୋଲି ଉଭୟ ନେତା କହିଛନ୍ତି।

୨୨୪ ଆସନରୁ ୨୨୨ ଅସନରେ ଭୋଟ ହୋଇଥିଲା। ସେଥିମଧ୍ୟରୁ ବିଜେପି ୧୦୪ଟି ଆସନ ପାଇଥିବା ବେଳେ କଂଗ୍ରେସ ୭୮ ଏବଂ ଜେଡିଏସ୍‌ ୩୮ ଆସନରେ ଜିତିଥିଲା। ହେଲେ ସରକାର ଗଠନ କରିବା ପାଇଁ ମ୍ୟାଜିକ ସଂଖ୍ୟା ଥିଲା ୧୧୨। କୌଣସି ଦଳ ପାଖରେ ୧୧୨ ଆସନ ନଥିବାର ଜେଡିଏସ୍ ସହ କଂଗ୍ରେସ ମେଣ୍ଟ ଘୋଷଣା କରିଥିଲା। ଏଚଡି କୁମାର ସ୍ୱାମୀଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ କହିଥିଲା।

କୁମାର ସ୍ୱାମୀ ୧୧୭ ବିଧାୟକଙ୍କ ସମର୍ଥନ ଥିବା ରାଜ୍ୟପାଳଙ୍କୁ କହିଥିଲେ। ସରକାର ଗଠନ କରିବା ପାଇଁ ତାଙ୍କୁ ସୁଯୋଗ ଦିଆଯାଉ ବୋଲି ଦାବି କରିଥିଲେ। ଏପଟେ ୟେଦୁରପ୍ପା ମଧ୍ୟ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ କରିବାକୁ ତାଙ୍କୁ ଆମନ୍ତ୍ରିତ କରାଯାଉ ବୋଲି କହିଥିଲେ। ସାମ୍ବିଧାନିକ ନିୟମ ଅନୁଯାୟୀ ନିଷ୍ପତ୍ତି ନିଆଯିବ ବୋଲି ରାଜ୍ୟପାଳ ଉଭୟ ନେତାଙ୍କୁ କହିଥିଲେ। ହେଲେ ବୁଧବାର ସନ୍ଧ୍ୟାରେ ରାଜ୍ୟପାଳ ସରକାର ଗଠନ ପାଇଁ ୟେଦୁରପ୍ପାଙ୍କୁ ଡାକିଛନ୍ତି।

Comment