ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ନୂଆ ମୁଖ୍ୟମନ୍ତ୍ରୀ ୟେଦୁରପ୍ପାଙ୍କୁ ୨୨୨÷୨+୧ ଅର୍ଥାତ ୧୧୨ ଜଣ ବିଧାୟକଙ୍କୁ ଯୋଗାଡ଼ କରିବା ପାଇଁ ହେବ।

କର୍ଣ୍ଣାଟକ ରାଜ୍ୟପାଳ ବାଜୁଭାଇ ବାଲାଙ୍କ ଡକରା କ୍ରମେ ବିଜେପି ନେତା ୟେଦୁରପ୍ପା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ୟେଦୁରପ୍ପାଙ୍କ ଶପଥ ଗ୍ରହଣକୁ କଂଗ୍ରେସ ଏବଂ ଜେଡିଏସ୍‌ ବିରୋଧ କରି ସୁପ୍ରିମକୋର୍ଟରେ ପିଟିସନ ଦାଖଲ କରିଥିବାରୁ ଏହି ଘଟଣାର ତର୍ଜମା ଆହୁରି ବାକି ଅଛି। ସୁପ୍ରିମକୋର୍ଟ ଶୁକ୍ରବାର ଦିନ ଏନେଇ ଅଧିକ ଶୁଣାଣି କରିବେ। ବର୍ତ୍ତମାନ ପ୍ରଶ୍ନ ହେଉଛି ୟେଦୁରପ୍ପା ଆବଶ୍ୟକ ହେଉଥିବା ଆଉ ୮ ବିଧାୟକ କେମିତି ଯୋଗାଡ଼ କରିବେ?

କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ମୋଟ ୨୨୪ ଆସନ ଭିତରୁ ୨୨୨ଟି ଆସନରେ ଭୋଟ ଗ୍ରହଣ କରାଯାଇଛି ଓ ଅନ୍ୟ ଦୁଇଟି ଆସନରେ ନିର୍ବାଚନ ସ୍ଥଗିତ ରଖାଯାଇଛି। ଏଣୁ ନୂଆ ମୁଖ୍ୟମନ୍ତ୍ରୀଙ୍କୁ ୨୨୨÷୨+୧ ଅର୍ଥାତ ୧୧୨ ଜଣ ବିଧାୟକଙ୍କୁ ଯୋଗାଡ଼ କରିବା ପାଇଁ ହେବ ଯାହାଫଳରେ କି ସେ ଆସ୍ଥା ଭୋଟରେ ବିଜୟଲାଭ କରିପାରିବେ। ଆବଶ୍ୟକ ସଂଖ୍ୟକ ବିଧାୟକ ଯୋଗାଡ଼ କରିବା ପାଇଁ ବିଜେପି ପକ୍ଷରୁ ରଣନୀତି ମଧ୍ୟ ପ୍ରସ୍ତୁତ କରାଯାଇଛି।

ଏହି ରଣନୀତି ଅନୁସାରେ କଂଗ୍ରେସ ଦଳର କିଛି ଲିଙ୍ଗାୟତ ସମ୍ପ୍ରଦାୟର ବିଧାୟକ ବିଜେପି ସରକାରକୁ ସମର୍ଥନ ଦେବେ। ଏହି ବିଧାୟକମାନେ କଂଗ୍ରେସ-ଜେଡିଏସ୍‌ ବୁଝାମଣାରେ ସନ୍ତୁଷ୍ଟ ନୁହଁନ୍ତି।

ଖବର ଅନୁଯାୟୀ ୧୨ ଜଣ କଂଗ୍ରେସ ଅସନ୍ତୁଷ୍ଟ ବିଧାୟକ ଚାହାନ୍ତି ନାହିଁ କୁମାରସ୍ୱାମି ମୁଖ୍ୟମନ୍ତ୍ରୀ ହୁଅନ୍ତୁ। କୁମାରସ୍ୱାମି ଭୋକାଲିଗା ସଂପ୍ରଦାୟର। ଭୋକାଲିଗା ତଥା ଲିଙ୍ଗାୟତଙ୍କ ଭିତରେ ପାରମ୍ପରିକ ଶତ୍ରୁତା ରହିଛି। ୟେଦୁରପ୍ପା ଲିଙ୍ଗାୟତ ଗୋଷ୍ଠିର। ଆଉ ଏକ ବଡ଼ କଥା ହେଉଛି ବିରୋଧୀ ଶିବିରରେ ଥିଲେ ମଧ୍ୟ ଏହି ଲିଙ୍ଗାୟତ ବିଧାୟକମାନେ ୟେଦୁରପ୍ପାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହାଁନ୍ତି।

ଖାଲି ସେତିକି ନୁହେଁ, କର୍ଣ୍ଣାଟକ ନିର୍ବାଚନରେ କଂଗ୍ରେସ ଅଳ୍ପସଂଖ୍ୟକ କାର୍ଡ ଖେଳିଥିଲେ ହେଁ ଲିଙ୍ଗାୟତମାନେ ବିପୁଳ ପରିମାଣରେ ବିଜେପିକୁ ଭୋଟ ଦେଇଥିଲେ। ଅନୁମାନ କରାଯାଉଛି ବିଜେପି ସରକାରକୁ ଯେଉଁ ବିଧାୟକମାନେ ସମର୍ଥନ କରିବେ ସମ୍ଭବତଃ ସେମାନେ ମୁଖ୍ୟମନ୍ତ୍ରୀ ୟେଦୁରପ୍ପା ଆସ୍ଥା ଭୋଟ ଲୋଡ଼ିବା ଦିନ ଗୃହରେ ଅନୁପସ୍ଥିତ ରହିପାରନ୍ତି।

କର୍ଣ୍ଣାଟକରେ ସରକାର ଗଠନ ପ୍ରସଙ୍ଗରେ ବିଜେପିର ଯୁକ୍ତି ହେଉଛି ଯେ ଲୋକେ କଂଗ୍ରେସକୁ ପ୍ରତ୍ୟଖ୍ୟାନ କରିଛନ୍ତି ଓ ଜନାଦେଶ ବିଜେପି ସପକ୍ଷରେ ଯାଇଛି। ଅନ୍ୟ ଦଳ ଜେଡିଏସ୍ ବହୁ ଦୂରରେ ତୃତୀୟ ସ୍ଥାନରେ ରହିଛି। ବିଜେପି କହୁଛି ଅଳ୍ପ କିଛି ଆସନ କମ ପଡ଼ିବାର ଅର୍ଥ ନୁହେଁ ଆମେ ସରକାର ଗଠନରୁ ଓହରିଯିବୁ।

ବିଜେପି ପକ୍ଷରୁ ଗୁଜୁରାଟ ଘଟଣାର ଏକ ଉଦାହରଣ ଦିଆଯାଉଛି। ତାହା ହେଉଛି ୧୯୯୬ ନିର୍ବାଚନରେ ବିଜେପି ସର୍ବାଧିକ ଆସନ ପାଇଥିଲେ ହେଁ ସରକାର ଗଠନ ପାଇଁ ବିଜେପିକୁ ସୁଯୋଗ ମିଳିଲା ନାହିଁ ଏବଂ ଶଙ୍କର ସିଂହ ବଘେଲାଙ୍କୁ ସୁଯୋଗ ଦିଆଗଲା। କିନ୍ତୁ ସଂଖ୍ୟାଗତ ସମର୍ଥନ ନଥିବା କାରଣରୁ ବଘେଲା ସରକାର ବେଶୀ ଦିନ ତିଷ୍ଠି ପାରିନଥିଲା।

Comment