ଓଡ଼ିଶାଲାଇଭ୍ ବ୍ୟୁରୋ

କର୍ଣ୍ଣାଟକ ରାଜ୍ୟପାଳଙ୍କ ନିଷ୍ପତ୍ତି ବିରୋଧରେ ବୁଧବାର ରାତିରେ ସୁପ୍ରିମକୋର୍ଟ ଯାଇଥିଲା କଂଗ୍ରେସ। ରାତି ତମାମ୍ ମାମଲାର ବିଚାର ଚାଲିଥିଲା।

କର୍ଣ୍ଣାଟକରେ ହାଇଭୋଲଟେଜ ଡ୍ରାମା। ବି ଏସ୍ ୟେଦୁରପ୍ପାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣରୁ ରୋକିବା ପାଇଁ କଂଗ୍ରେସ ଏବଂ ଜେଡିଏସ୍‌ ବୁଧବାର ରାତି ତମାମ୍ ପାଲା କରିଛନ୍ତି। ବିଳମ୍ବିତ ରାତିରେ ସୁପ୍ରିମକୋର୍ଟକୁ ଯାଇ କର୍ଣ୍ଣାଟକ ରାଜ୍ୟପାଳଙ୍କ ନିଷ୍ପତ୍ତି ବିରୋଧରେ ଫେରାଦ ହୋଇଥିଲେ। କଂଗ୍ରେସ ଏବଂ ଜେଡିଏସ୍ ଆଣିଥିବା ଅଭିଯୋଗର ଶୁଣାଣି ପାଇଁ ମଧ୍ୟରାତ୍ରିରେ ସୁପ୍ରିମକୋର୍ଟ ବସିଥିଲା।

ରାତି ୯ଟା: ବିଜେପି ବିଧାୟକ ଦଳ ନେତା ବି ଏସ୍ ୟେଦୁରପ୍ପାଙ୍କୁ ସରକାର ଗଢ଼ିବା ପାଇଁ ଆମନ୍ତ୍ରଣ କଲେ ରାଜ୍ୟପାଳ ବାଜୁଭାଇ ବାଲା। ଗୁରୁବାର ସକାଳ ୯ଟାରେ ଶପଥ ଗ୍ରହଣ କରିବା ସହ ୧୫ ଦିନ ଭିତରେ ବିଧାନସଭାରେ ସଂଖ୍ୟା ଗରିଷ୍ଠତା ପ୍ରମାଣ ଦେବା ପାଇଁ ୟେଦୁରପ୍ପାଙ୍କୁ କହିଥିଲେ ରାଜ୍ୟପାଳ।

୯ଟା୩୦: ରାଜ୍ୟପାଳଙ୍କ ଏହି ନିଷ୍ପତ୍ତି ସମ୍ପର୍କରେ ଆଲୋଚନା କରିଥିଲେ କଂଗ୍ରେସ ଏବଂ ଜେଡିଏସ୍‌ ନେତା। ସଂଖ୍ୟାଗରିଷ୍ଠତା ପ୍ରମାଣ ଦେବା ପାଇଁ ୧୫ ଦିନ ସମୟ ଦେବା ନିଷ୍ପତ୍ତିକୁ ବିରୋଧ କରିଥିଲା ଜେଡିଏସ୍।

ରାତି ୧୦ଟା୪୦: କଂଗ୍ରେସ ଏବଂ ଜେଡିଏସ୍‌ ରାଜ୍ୟପାଳଙ୍କ ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟ ଗଲେ। ଘଟଣାର ତ୍ୱରିତ ନ୍ୟାୟ ଦାବି କଲେ। ରେଜିଷ୍ଟ୍ରାରଙ୍କ ଅଫିସରେ ପହଞ୍ଚି ଏକ ପିଟିସନ ଦାଖଲ କଲା କଂଗ୍ରେସ।

ରାତି ୧୧ଟା: ଜିଷ୍ଟିସ ଦୀପକ ମିଶ୍ରଙ୍କ ବାସଭବନରେ ସୁପ୍ରିମକୋର୍ଟର ରେଜିଷ୍ଟ୍ରାର ପହଞ୍ଚିଥିଲେ। ଏହାସହ ସୁପ୍ରିମକୋର୍ଟର କିଛି ବରିଷ୍ଠ ଓକିଲ ମଧ୍ୟ ପହଞ୍ଚିଥିଲେ।

୧୨ଟା୨୫: ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଦୀପକ ମିଶ୍ର ମାମଲାର ବିଚାର ପାଇଁ ୩ ଜଣିଆ ଖଣ୍ଡପୀଠ ଗଠନ କରିଥିଲେ। ଜଷ୍ଟିସ ଏକେ ସିକ୍ରି, ଜଷ୍ଟିସ ଅଶୋକ ଭୂଷଣ, ଜଷ୍ଟିସ ଏସଏ ବୋବଡେଙ୍କୁ ନେଇ ଗଠିତ ହୋଇଥିଲା ଖଣ୍ଡପୀଠ।

ରାତି ୧ଟା୪୦: ସୁପ୍ରିମକୋର୍ଟରେ ପହଞ୍ଚିଥିଲେ ବିଚାରପତି। ଉଭୟ ପକ୍ଷର ଓକିଲ ମଧ୍ୟ ଉପସ୍ଥିତ ଥିଲେ। ଆରମ୍ଭ ହେଲା ଯୁକ୍ତିତର୍କ। କଂଗ୍ରେସ ତରଫରୁ ଅଭିଷେକ ମନୁ ସିଙ୍ଗଭି ଏବଂ ବିଜେପି ପକ୍ଷରୁ ମୁକୁଲ ରୋହତଗି ମାମଲା ପରିଚାଳନା କରିଥିଲେ।

କଂଗ୍ରେସର ଅଭିଷେକ ମନୁ ସିଂଙ୍ଗଭି କହିଥିଲେ ଯେ, କର୍ଣ୍ଣାଟକରେ ଯାହା ଘଟିଲା ତାହା ବିଡ଼ମ୍ବନାର ବିଷୟ। ଏମିତି ଘଟଣା ପୂର୍ବରୁ କେବେ ଘଟି ନଥିଲା। କଂଗ୍ରେସ ପାଖରେ ୧୧୭ ବିଧାୟକ ଥିବା ବେଳେ ବିଜେପି ପାଖରେ ରହିଛି ୧୦୪ ବିଧାୟକଙ୍କ ସମର୍ଥନ। ଏଣୁ ବିଜେପି କିପରି ବହୁମତ ପ୍ରମାଣିତ କରିବ?  ସେ ଆହୁରି କହିଥିଲେ ଯେ ଗୋଆରେ କଂଗ୍ରେସ ବଡ଼ ଦଳ ଥିଲା। କିନ୍ତୁ ବିଜେପି ମେଣ୍ଟ କରି କିପରି ସରକାର ଗଠନ କଲା? ଯଦି ଗୋଆରେ ସମ୍ଭବ ହେଉଛି ତାହାଲେ କର୍ଣ୍ଣାଟକରେ କାହିଁକି ନିୟମ ବଦଳିବ?

ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ଆଟର୍ଣ୍ଣି ଜେନେରାଲ ବେଣୁଗୋପାଳଙ୍କୁ ପ୍ରଶ୍ନ କରିଥିଲେ ଯେ ବିଜେପି ସଂଖ୍ୟା ଗରିଷ୍ଠତା କିପରି ପ୍ରମାଣ କରିବ? ଏଥିପାଇଁ ୧୫ ଦିନ ସମୟ କାହିଁକି ଦିଆଯାଇଛି?

ଏହି ପ୍ରଶ୍ନର ଉତ୍ତର ଦେଇ ବେଣୁଗୋପାଳ କହିଥିଲେ ଯେ ରାଜ୍ୟପାଳ ୧୫ ଦିନ ସମୟ ଦେଇଛନ୍ତି। କିନ୍ତୁ ବିଜେପି ପକ୍ଷରୁ କୁହାଯାଇଛି ୭ ଦିନରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦିଆଯିବ।

ବିଜେପି ପକ୍ଷରୁ ମାମଲା ପରିଚାଳନା କରୁଥିବା ମୁକୁଲ ରୋହତଗୀ କହିଥିଲେ ଯେ ରାଷ୍ଟ୍ରପତି ଏବଂ ରାଜ୍ୟପାଳଙ୍କର ବିଶେଷ ଅଧିକାର ରହିଛି। ଏହି ଅଧିକାର ନ୍ୟାୟପାଳିକାଠାରୁ ବହୁ ଉର୍ଦ୍ଧ୍ବରେ। ଏଣୁ ରାଜ୍ୟପାଳଙ୍କ କ୍ଷମତାକୁ ଚାଲେଞ୍ଜ କରିବା ଠିକ୍ ନୁହେଁ।

ଭୋର ୫ଟା୨୫: ଉଭୟ ପକ୍ଷର ଯୁକ୍ତି ଶୁଣିଲେ ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ। ୟେଦୁରପ୍ପାଙ୍କ ଶପଥ ଗ୍ରହଣକୁ ରୋକାଯାଇ ପାରିବ ନାହିଁ ବୋଲି ମତ ଦେଲେ ଖଣ୍ଡପୀଠ। ପରବର୍ତ୍ତୀ ଶୁଣାଣି ଶୁକ୍ରବାର ହେବ।

Comment