ଓଡ଼ିଶାଲାଇଭ୍‌ ବ୍ୟୁରୋ

୨୦୧୮ ରଜ ବଜାରରେ ଓଲିଉଡ୍ ସୁପରଷ୍ଟାର୍ ଅନୁଭବଙ୍କର କୌଣସି ଓଡ଼ିଆ ଫିଲ୍ମ ରିଲିଜ୍ ହେବ ନାହିଁ।

ଏଥର ରଜ ବଜାରକୁ ଆସୁନାହାନ୍ତି ଓଲିଉଡ ଟପଷ୍ଟାର ଅନୁଭବ ମହାନ୍ତି। ୨୦୧୮ ରଜ ବଜାରରେ ଓଲିଉଡ୍ ସୁପରଷ୍ଟାର୍ ଅନୁଭବଙ୍କର କୌଣସି ଓଡ଼ିଆ ଫିଲ୍ମ ରିଲିଜ୍ ହେଉନଥିବା ଜଣାପଡ଼ିଛି। ପ୍ରଥମେ କୁହାଯାଉଥିଲା କି ଅନୁଭବଙ୍କ ଅଭିନୀତ ‘ପ୍ରେମ୍ କୁମାର’ ରଜ ପାଇଁ ତିଆରି ହେଉଛି। ତରଙ୍ଗ ସିନେ ପ୍ରଡକ୍ସନର ଏହି ଫିଲ୍ମର ସୁଟିଂ କିନ୍ତୁ ଅଟକି ରହିଛି।

ତରଙ୍ଗ ସିନେ ପ୍ରଡକ୍ସନର ‘ପ୍ରେମ କୁମାର’ର ନିର୍ଦ୍ଦେଶନା ଦାୟିତ୍ଵରେ ଥିଲେ ତାପସ ସରଘରିଆ। ଏଥିରେ ଅନୁଭବଙ୍କ ଅପୋଜିଟରେ ଥିଲେ ଦୁଇ ନାୟିକା ତମନ୍ନା ଓ ଶିବାନୀ।

‘ପ୍ରେମ କୁମାର’ ଫିଲ୍ମର ସୁଟିଂ ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁଯାୟୀ ଆରମ୍ଭ ହୋଇଥିଲା। ପ୍ରଥମେ ସିନେମାର କ୍ଲାଇମାକ୍ସ ସିନ୍ ସୁଟ୍ କରିବାର ନିଷ୍ପତ୍ତି ନେଇଥିଲେ ନିର୍ଦ୍ଦେଶକ। ସେହି ସଟ୍‌ଟି ଥିଲା-ଅନୁଭବ ଏକ ପାଣି ଟାଙ୍କି ଉପରୁ ତଳକୁ ଡେଇଁବେ। ଏହି ସଟ୍‌ ନେଲାବେଳେ ସୁପରଷ୍ଟାର ଅନୁଭବଙ୍କ ଗୋଡ଼ ଖସିଯାଇଥିଲା। ଫଳରେ ଅନୁଭବ ଗଭୀର ଆହତ ହୋଇଥିଲେ। ଏହାପରେ ଅନୁଭବଙ୍କୁ ହସ୍ପିଟାଲକୁ ନିଆଯାଇ ଚିକିତ୍ସା କରାଯାଇଥିଲା। କୁହାଯାଉଛି ଯେ ଅନୁଭବଙ୍କ ଗୋଡରେ ଆଘାତ ଏତେ ଜୋରରେ ଲାଗିଛି ଯେ ସୁଟିଂ କରିବା ଅବସ୍ଥାରେ ନାହାନ୍ତି। କାରଣ ଫିଲ୍ମର ଗୀତରେ ତାଙ୍କୁ ଡ୍ୟାନ୍ସ କରିବାକୁ ପଡ଼ିବ। ସେପଟେ ଅନେକଗୁଡ଼ିଏ ଆକ୍ସନ ସିନର ସଟ୍ ମଧ୍ୟ ବାକି ଥିଲା।

ଅନୁଭବଙ୍କ ପାଇଁ ‘ପ୍ରେମ କୁମାର’ ଅଟକି ଯାଇଛି। ଏହାର ସୁଟିଂ ବନ୍ଦ ରହିଛି। ଯାହା ଜଣାପଡ଼ୁଛି ନିକଟରେ ଏହି ସିନେମାର କାମ ଆରମ୍ଭ ହେବାକୁ ଯାଉନାହିଁ। ଏହି କାରଣରୁ ପ୍ରଯୋଜନା ସଂସ୍ଥା ଆଗାମୀ ରଜରେ ‘ପ୍ରେମ କୁମାର’ର ରିଲିଜ୍ ସ୍ଥଗିତ ରଖିଥିବା କୁହାଯାଉଛି।

କିନ୍ତୁ ଏହି କଥାକୁ ରାଜନୈତିକ ମହଲରେ ଭିନ୍ନ ଦୃଷ୍ଟିରେ ଦେଖା ଯାଉଛି। ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତି ବିଜୁ ଜନତା ଦଳର ଜଣେ ନେତା। ସେ ରାଜ୍ୟସଭା ସାଂସଦ ମଧ୍ୟ। ଏଣେ ତରଙ୍ଗ ସିନେ ପ୍ରଡକ୍ସନ ହେଉଛି ବିଜୁ ଜନତା ଦଳରୁ ନିଲମ୍ବିତ ଲୋକସଭା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ପାରିବାରିକ ବ୍ୟାବସାୟିକ ସଂସ୍ଥା। ଯେହେତୁ ବୈଜୟନ୍ତ ଆଉ ଦଳରେ ନାହାନ୍ତି, ତେଣୁ ତାଙ୍କ ସହିତ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ବ୍ୟାବସାୟିକ ସ୍ତରରେ ଯୋଡ଼ି ହେବାର ଅର୍ଥ ହେଲା ଦଳର ସୁପ୍ରିମୋଙ୍କ ରୋଷର ଶିକାର ହେବା। ଏକଥାକୁ ଭଲ ଭାବେ ହୃଦୟଙ୍ଗମ କରିଛନ୍ତି ଓଲିଉଡ ଷ୍ଟାର୍ ଅନୁଭବ। ଯେହେତୁ ସେ ‘ପ୍ରେମ କୁମାର’ ସିନେମା ପାଇଁ ବହୁ ଆଗରୁ ରାଜି ହୋଇଥିଲେ। ସେତେବେଳେ ବୈଜୟନ୍ତ ପଣ୍ଡା ବିଜୁ ଜନତା ଦଳର ସଦସ୍ୟ ଥିଲେ। ଏଣୁ ତରଙ୍ଗର ସିନେମାରେ କାମ କରିବାରେ ଅନୁଭବଙ୍କର କିଛି ଅସୁବିଧା ନଥିଲା।

ଅନୁଭବ ଦଳର ସୁପ୍ରିମୋଙ୍କ ରୋଷର ଶିକାର ହୋଇ ନିଜ ରାଜନୈତିକ କ୍ୟାରିଅରକୁ ସଙ୍କଟରେ ପକାଇବାକୁ ଚାହୁଁନାହାନ୍ତି ବୋଲି ଚର୍ଚ୍ଚା ହେଉଛି।

Comment