ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡର ବିଗ୍-ବି ଅମିତାଭ ବଚ୍ଚନ ‘ସାତ ହିନ୍ଦୁସ୍ଥାନୀ’ ଫିଲ୍ମରୁ କ୍ୟାରିଅର୍ ଆରମ୍ଭ କରିଥିଲେ। ଦୀର୍ଘ ୪୭ ବର୍ଷର କ୍ୟାରିଅର ଭିତରେ ସେ ବଲିଉଡର ଅଧିକାଂଶ ନାମୀ ଦାମୀ ନିର୍ଦ୍ଦେଶକଙ୍କ ସହ କାମ କରିଛନ୍ତି। ହେଲେ ଏମିତି ବି କିଛି ନିର୍ଦ୍ଦେଶକଙ୍କ ସହ ତାଙ୍କୁ ଏଯାବତ୍ ସୁଯୋଗ ମିଳିନାହିଁ।

ରାଜ୍ କପୁର

ବଲିଉଡ଼ର ପ୍ରଥମ ସୋ’ ମ୍ୟାନ୍‌ ରାଜ୍ କପୁର ଅମିତାଭ ବଚ୍ଚନ ଅଭିନୟ ଜଗତରେ ପାଦ ଥାପିବା ପରେ ମେରା ନାମ୍ ‘ଜୋକର୍’, ‘ବବି’, ‘ସତ୍ୟମ୍ ଶିବମ୍ ସୁନ୍ଦରମ୍’, ‘ପ୍ରେମ ରୋଗ୍’ ଓ ‘ରାମ ତେରୀ ଗଙ୍ଗା ମୈଲୀ’, ଆଦି ଫିଲ୍ମ ନିର୍ମାଣ କରିଥିଲେ। କିନ୍ତୁ ଏଥିମଧ୍ୟରୁ କୌଣସି ଗୋଟିକରେ କାମ କରିବାର ସୁଯୋଗ ମିଳିନଥିଲା ଅମିତାଭ ବଚ୍ଚନଙ୍କୁ।

ଠିକ୍ ସେହିପରି ‘ଆପ୍‌କି କସମ୍‌’ ଭଳି ବହୁ ସୁପରହିଟ୍ ଫିଲ୍ମର ନିର୍ଦ୍ଦେଶନା ଦେଇଥିବା ପ୍ରଖ୍ୟାତ ନିର୍ଦ୍ଦେଶକ ଜେ ଏମ୍ ପ୍ରକାଶ ମଧ୍ୟ ଅମିତାଭ ବଚ୍ଚନଙ୍କୁ କୌଣସି ଫିଲ୍ମରେ ନିର୍ଦ୍ଦେଶନା ଦେବାର ସୁଯୋଗ ପାଇନଥିଲେ।

ରାକେଶ ରୋଶନ୍

ବଲିଉଡ଼ର ଖ୍ୟାତନାମା ନିର୍ମାତା – ନିର୍ଦ୍ଦେଶକ ରାକେଶ ରୋଶନ୍ ‘ଖୁଦ୍‌ଗର୍ଜି’, ‘କାଲାବାଜାର୍’, ‘କିଶନ୍ କହ୍ନେୟା’, ‘ଖେଲ୍’, ‘କରଣ ଅର୍ଜୁନ’, ‘କୋୟଲ’, ‘କାରୋବାର’, ‘କିଙ୍ଗ୍ ଅଙ୍କଲ୍’, ‘କହୋ ନା ପ୍ୟାର୍ ହେ’, ‘କୋଇ ମିଲ୍‌ଗୟା’, ‘କ୍ରିସ୍‌’, ‘କ୍ରିସ୍‌- ଥ୍ରି’ ଭଳି ବ୍ଲକବଷ୍ଟର ମୁଭି ନିର୍ମାଣ କରିଛନ୍ତି। ହେଲେ ଏ ଯାଏଁ ରାକେଶ ରୋଶନ୍ ବିଗ୍ ବିଙ୍କୁ କୌଣସି ଗୋଟିଏ ସିନେମାରେ ବି ନେଇନାହାନ୍ତି।

ଜେପି ଦତ୍ତା

୧୯୮୫ରେ ମୁକ୍ତିପ୍ରାପ୍ତ ହିଟ୍ ଫିଲ୍ମ ‘ଗୁଲାମି’ରୁ ନିର୍ଦ୍ଦେଶକ ସାଜିଥିଲେ ଜେପି ଦତ୍ତା। ଏହାପରେ ସେ ବର୍ଡର ଏଲ୍ ଓ ସି, ରିଫ୍ୟୁଜି, ଉମ୍‌ରାଓ ଜାନ୍ ଭଳି ଚର୍ଚ୍ଚିତ ସିନେମାର ନିର୍ଦ୍ଦେଶନା ଦେଇଥିଲେ। ହେଲେ ଏଯାବତ୍ ଅମିତାଭ ବଚ୍ଚନଙ୍କୁ କୌଣସି ସିନେମାରେ ଦେଇ ନାହାନ୍ତି ଜେ.ପି. ଦତ୍ତା। ଏହା ଅବଶ୍ୟ ଭିନ୍ନ କଥା ଯେ ଅମିତାଭ ବଚ୍ଚନଙ୍କ ପୁଅ ଅଭିଷେକ ବଚ୍ଚନଙ୍କୁ ଲଞ୍ଚ୍ କରିଥିଲେ ଏହି ନିର୍ଦ୍ଦେଶକ ତାଙ୍କ ଫିଲ୍ମ ‘ରିଫ୍ୟୁଜି’ରେ। ସେ ବିଗ୍ ବିଙ୍କ ବୋହୂ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ ନେଇ ‘ଉମରାଓ ଜାନ୍‌’ ନିର୍ମାଣ କରିଥିଲେ।

ସୁଭାଷ ଘାଇ

ବଲିଉଡ଼ର ଅନ୍ୟତମ ସୋ’ ମ୍ୟାନ୍‌ ସୁଭାଷ ଘାଇ ତାଙ୍କର ସୁଦୀର୍ଘ କ୍ୟାରିଅର୍ ଭିତରେ ‘କାଲିଚରଣ’, ‘ବିଶ୍ୱନାଥ’, ‘ବିଧାତା’, ‘ହିରୋ’, ‘କର୍ମା’,  ‘ମେରି ଜଙ୍ଗ’, ‘ରାମ ଲଖନ’, ‘ସୌଦାଗର୍’, ‘ଖଲନାୟକ୍’, ପରଦେଶ୍, ୟାଦେଁ, କିଶ୍‌ନା ଓ ଯୁବରାଜ ଭଳି ସିନେମାର ନିର୍ଦ୍ଦେଶନା ଦେଇଛନ୍ତି। କିନ୍ତୁ ଏ ଯାଏଁ ସୁଭାଷ ଘାଇଙ୍କ ଅମିତାଭ ବଚ୍ଚନଙ୍କୁ ନିର୍ଦ୍ଦେଶନା ଦେବାର ସୁଯୋଗ ମିଳିନାହିଁ। ସେ ଅବଶ୍ୟ ଅମିତାଭଙ୍କୁ ନେଇ ‘ବନ୍ଧୁଆ’ ଟାଇଟଲ୍‌ରେ ଏକ ଫିଲ୍ମ ନିର୍ମାଣ କରିବେ ବୋଲି ଯୋଜନା କରିଥିଲେ, କିନ୍ତୁ ତାହା ଫ୍ଲୋରକୁ ଯାଇପାରିନଥିଲା।

ରାଜକୁମାର ହିରାନୀ

ବଲିଉଡ଼ର ଆଉ ଜଣେ ନାମୀ ନିର୍ଦ୍ଦେଶକ ହେଲେ ରାଜକୁମାର ହିରାନୀ, ଯିଏ କି ‘ମୁନ୍ନା ଭାଇ ଏମ୍ ବିବି ଏସ୍’, ‘ଲଗେ ରହୋ ମୁନ୍ନାଭାଇ’, ‘ଦ ଥ୍ରି ଇଡିଅଟ୍‌ସ’, ‘ପିକେ’ ଓ ‘ସଞ୍ଜୁ’ (ଅପ୍‌କମିଂ) ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି। ଏଯାବତ୍‌ ରାଜ କୁମାର ହିରାନୀ ସଞ୍ଜୟ ଦତ୍ତ, ଅମୀର ଖାନ୍ ଓ ରଣବୀର କପୁରଙ୍କ ପରି ହିରୋଙ୍କ ସହିତ କାମ କରିଛନ୍ତି, କିନ୍ତୁ ଅମିତାଭ ବଚ୍ଚନଙ୍କୁ ନିର୍ଦ୍ଦେଶନା ଦେବାର ସୁଯୋଗ ପାଇନାହାନ୍ତି।

ମହେଶ ଭଟ୍ଟ

ଅଶି ଓ ନବେ ଦଶକର ଅନ୍ୟତମ ବହୁ ଚର୍ଚ୍ଚିତ ନିର୍ଦ୍ଦେଶକ ହେଲେ ମହେଶ ଭଟ୍ଟ। ସେ ‘ଡାଡି’, ‘ସୂୟମ୍’, ‘ଆୱାରଗୀ’,  ‘ଆଶିକୀ’, ‘ଦିଲ୍ ହେ କେ ମାନ୍‌ତା ନେହିଁ’, ‘ସଡକ୍’, ‘ସାର୍’, ‘ଗୁମ୍‌ରାହ’, ‘କ୍ରିମିନାଲ୍’, ‘ହମ୍ ହେ ରାହି ପ୍ୟାରକେ’ ଓ ‘ଜଖମ୍’ ଆଦି ସମେତ ବେଶ୍ କେତୋଟି ହିନ୍ଦୀ ସିନେମାର ନିର୍ଦ୍ଦେଶନା ଦେଇଛନ୍ତି। ତେବେ ୨୫ରୁ ଅଧିକ ସିନେମାର ନିର୍ଦ୍ଦେଶନା ଦେଇଥିବା ମହେଶ ଭଟ୍ଟ କିନ୍ତୁ ଅମିତାଭ ବଚ୍ଚନଙ୍କୁ ନେଇ କୌଣସି ଫିଲ୍ମ ନିର୍ମାଣ କରିନାହାନ୍ତି।

ଠିକ୍ ସେହିପରି ‘ଦସ୍ତକ୍’, ‘ଗୁଲାମ୍’ ଓ ‘ରାଜ୍’ ସମେତ ୩୦ରୁ ଅଧିକ ସିନେମାର ନିର୍ଦ୍ଦେଶନା ଦେଇଥିବା ଜଣାଶୁଣା ନିର୍ଦ୍ଦେଶକ ବିକ୍ରମ ଭଟ୍ଟଙ୍କ କୌଣସି ବି ସିନେମାରେ ଅଭିନୟ କରିନାହାନ୍ତି ଅମିତାଭ ବଚ୍ଚନ।

Comment