ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ରାଜ୍ୟପାଳଙ୍କୁ ଭେଟିଲେ ଆରଜେଡି ନେତା ତେଜସ୍ୱୀ ଯାଦବ
  • ମଣିପୁର-ଗୋଆରେ ସରକାର ଗଠନ କରିବାକୁ କଂଗ୍ରେସର ଦାବି
  • ସାରା ଦେଶରେ ରାଜନୈତିକ ଅସ୍ଥିରତା
  • ରାଷ୍ଟ୍ରପତିଙ୍କୁ ଭେଟିବ କଂଗ୍ରେସ

ବ୍ୟାପିଲା କର୍ଣ୍ଣାଟକ ଇଫେକ୍ଟ। ୩ ରାଜ୍ୟର ବିରୋଧୀ ଦଳ ରାଜ୍ୟପାଳଙ୍କୁ ଭେଟି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦେଲେ ସ୍ମାରକପତ୍ର। କର୍ଣ୍ଣାଟକରେ ସର୍ବାଧିକ ଆସନ ପାଇଥିବା ପାର୍ଟିକୁ ଯେମିତି ସରକାର ଗଠନ ପାଇଁ ସୁଯୋଗ ଦିଆଯାଇଛି ଠିକ୍ ସେମିତି ବିହାର-ଗୋଆ-ମଣିପୁରରେ ସୁଯୋଗ ଦିଆଯାଉ ବୋଲି ବିରୋଧୀ ଦଳର ନେତାମାନେ ଦାବି କରିଛନ୍ତି।

ବିହାରର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ଆଜି ଶତାଧିକ ସମର୍ଥକଙ୍କୁ ନେଇ ରାଜଭବନ ଯାଇଥିଲେ। ରାଜ୍ୟପାଳ ସତ୍ୟପ୍ରିୟ ମଲ୍ଲିକଙ୍କୁ ଭେଟି ସ୍ମାରକପତ୍ର ଦେଇଛନ୍ତି। କର୍ଣ୍ଣାଟକରେ ବିଜେପିକୁ ଯେଉଁ ସୁଯୋଗ ଦିଆଯାଇଛି ବିହାରରେ ଆରଜେଡିକୁ ସେହି ସୁଯୋଗ ଦିଆଯାଉ ବୋଲି ଦାବି କରିଛନ୍ତି।

ବିହାରରେ ୨୦୧୫ରେ ହୋଇଥିଲା ବିଧାନସଭା ନିର୍ବାଚନ। ଏହି ନିର୍ବାଚନରେ ଜେଡି(ୟୁ)-ଆରଜେଡି-କଂଗ୍ରେସ ମେଣ୍ଟ ବିଜୟୀ ହୋଇଥିଲା। ଜେଡି(ୟୁ) ଏବଂ କଂଗ୍ରେସ ତୁଳନାରେ ଆରଜେଡି ଅଧିକ ସଂଖ୍ୟକ ଆସନ ପାଇଥିଲା।

ଜେଡି(ୟୁ) ନେତା ନୀତିଶ କୁମାର ମୁଖ୍ୟମନ୍ତ୍ରୀ ହୋଇଥିବା ବେଳେ ଲାଲୁଙ୍କ ପୁଅ ତେଜସ୍ୱୀ ଯାଦବ ଉପ-ମୁଖ୍ୟମନ୍ତ୍ରୀ ହୋଇଥିଲେ। ୨୪୩ ଆସନରୁ ଆରଜେଡି ଏକାକୀ ୮୦ ଆସନରେ ଜିତିଥିଲା। ହେଲେ ପରବର୍ତ୍ତୀ ସମୟରେ ଜେଡି(ୟୁ)-ଆରଜେଡି ମେଣ୍ଟ ସରକାର ଭାଙ୍ଗି ଯାଇଥିଲା। ଫଳରେ ବିଜେପି ସହ ଜେଡିୟୁ ମିଶି ସରକାର ଗଠନ କରିଥିଲା। ଏବେ କର୍ଣ୍ଣାଟକ ଫର୍ମୁଲା ବିହାରରେ ପ୍ରୟୋଗ କରିବାକୁ ଆରଜେଡି ଦାବି କରିଛି।

ଗୋଆରେ ମଧ୍ୟ ଅନୁରୂପ ଦାବି ତେଜିଛି। ରାଜ୍ୟପାଳ ମୁଦୁଲା ସିହ୍ନାଙ୍କୁ ସ୍ମାରକପତ୍ର ଦେଇ କଂଗ୍ରେସ ସରକାର ଗଠନ କରିବାକୁ ଦାବି କରିଛି। ରାଜ୍ୟପାଳ ଗୋଆରେ କଂଗ୍ରେସକୁ ସଂଖ୍ୟାଗରିଷ୍ଠତା ପ୍ରମାଣ ଦେଖାଇବା ପାଇଁ ସୁଯୋଗ ଦେବାକୁ କଂଗ୍ରେସ ଦାବି କରିଛି।

୨୦୧୭ରେ ଗୋଆରେ ହୋଇଥିଲା ବିଧାନସଭା ନିର୍ବାଚନ। ମୋଟ ୪୦ ଆସନରୁ କଂଗ୍ରେସ ଜିତିଥିଲା ୨୧ଟି। ହେଲେ ନିର୍ବାଚନ ପରେ ବିଜେପି ଏମଜିପି ସହ ମେଣ୍ଟ କରି ସରକାର ଗଠନ କରିଛି। ଏବେ ଗେଆ କଂଗ୍ରେସ ଦାବି କରିଛି ଯେ କର୍ଣ୍ଣାଟକ ପରି ଆମକୁ ସରକାର ଗଠନ କରିବାକୁ ସୁଯୋଗ ଦିଆଯାଉ।

ମଣିପୁର ବିଧାନସଭାର ବିରୋଧୀ ଦଳ ନେତା ଇବୋବି ସିଂହ ମଧ୍ୟ ରାଜ୍ୟପାଳଙ୍କୁ ଭେଟିଛନ୍ତି। ମଣିପୁରରେ କଂଗ୍ରେସ ସର୍ବାଧିକ ଆସନ ପାଇଥିବା ଥିବାରୁ ସରକାର ଗଠନ କରିବା ପାଇଁ ସୁଯୋଗ ଦେବାକୁ ଦାବି କରିଛନ୍ତି ସେ।

୨୦୧୭ ମଣିପୁର ବିଧାନସଭା ନିର୍ବାଚନରେ ମୋଟ ୬୦ ଆସନରୁ ୨୮ଟି ସିଟରେ ବିଜୟୀ ହୋଇଥିଲା କଂଗ୍ରେସ। କିନ୍ତୁ ୨୧ଟି ଆସନ ଜିତିଥିବା ବିଜେପିକୁ ସରକାର ଗଢ଼ିବା ପାଇଁ ଡାକିଥିଲେ ରାଜ୍ୟପାଳ। ଏନପିପି, ଏନପିଏଫ ଏବଂ ଲୋକ ଜନଶକ୍ତି ପାର୍ଟି ସହ ମିଶି ବିଜେପି ସରକାର ଗଢ଼ିଥିଲା।

କଂଗ୍ରେସ ନେତା ଗୁଲାମ ନବି ଆଜାଦ କହିଛନ୍ତି, “କର୍ଣ୍ଣାଟକରେ ଯେଉଁଭଳି ନିଷ୍ପତ୍ତି ନିଆଯାଇଛି ତାହା ଅସାମ୍ବିଧାନିକ। ଏହାକୁ ନେଇ କଂଗ୍ରେସ ଆଜି ସାରା ଦେଶରେ କଳା ଦିବସ ପାଳନ କରିଛି। କର୍ଣ୍ଣାଟକ ମାମଲାକୁ ନେଇ ଆମେ ଶନିବାର ରାଷ୍ଟ୍ରପତିଙ୍କୁ ଭେଟିବୁ।”

ନିକଟରେ ଶେଷ ହୋଇଥିବା କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ବିଜେପି ୧୦୪ଟି ଆସନରେ ଜିତିଛି। କଂଗ୍ରେସ ୭୮ ଏବଂ ଜେଡିଏସ୍ ୩୭ଟି ଆସନରେ ଜତିଛି। କଂଗ୍ରେସ-ଜେଡିଏସ୍ ସହ ମେଣ୍ଟ କରି ସରକାର ଗଠନ କରିବାକୁ ରାଜ୍ୟପାଳଙ୍କ ପାଖରେ ଦାବି କରିଥିଲା। କିନ୍ତୁ ଅଧିକ ଆସନ ପାଇଥିବା ବିଜେପିକୁ ସରକାର ଗଠନ କରିବାକୁ ସୁଯୋଗ ଦେଇଛନ୍ତି ରାଜ୍ୟପାଳ ବାଜୁଭାଇ ବାଲା। ଏହାକୁ ନେଇ ସାରା ଦେଶରେ ସୃଷ୍ଟି ହୋଇଛି ରାଜନୈତିକ ଅସ୍ଥିରତା।

Comment