ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ୍ ବ୍ୟୁରୋ

ବଲିଉଡ ପରି ଓଲିଉଡରେ ମଧ୍ୟ କେତୋଟି ଥ୍ରିଡି ଫିଲ୍ମ ନିର୍ମିତ ହୋଇଛି। ଏବେ ପୁଣି ଏକ ଓଡ଼ିଆ ଥ୍ରିଡି ମୁଭି ପରଦାକୁ ଆସୁଛି।

ବଲିଉଡରେ ‘ଶିବା କା ଇନସାଫ୍’ ଓ ‘ଛୋଟା ଚେତନ’ ସମେତ ବେଶ୍ କେତୋଟି ହିନ୍ଦୀ ସିନେମା ରିଲିଜ୍ ହୋଇଛି। ଏହିସବୁ ସିନେମା ଖୁବ୍ ଚର୍ଚ୍ଚିତ ହୋଇଥିଲା ସେତେବେଳେ। ଗତ କିଛି ବର୍ଷ ହେବ ବଲିଉଡରେ ଥ୍ରିଡି ଫିଲ୍ମର ଟ୍ରେଣ୍ଡ ଧିମେଇ ଯାଇଛି। ସେହିପରି ଓଲିଉଡରେ ଏଯାଏଁ ମାତ୍ର ତିନିଟି ଓଡ଼ିଆ ଥ୍ରିଡି ମୁଭି ତିଆରି ହୋଇଛି।

ମିତ ବସିଛି ମୁଁ ଭୂତ ସାଥୀରେ

ଓଲିଉଡ ନିର୍ଦ୍ଦେଶକ ସଞ୍ଜୟ ନାୟକ ତାଙ୍କର କ୍ୟାରିଅରରେ ଅନେକଗୁଡ଼ିଏ ସିନେମା ତିଆରି କରିଛନ୍ତି। ତାଙ୍କ ନିର୍ଦ୍ଦେଶିତ ପ୍ରଥମ ଓଡ଼ିଆ ସିନେମା ହେଲା ‘ରାଖି ବାନ୍ଧିଲି ମୋ ରଖିବ ମାନ’। ଏହା ସୁପରହିଟ୍ ହୋଇଥିଲା।

ଏହାପରେ ନିର୍ଦ୍ଦେଶକ ସଞ୍ଜୟ ନାୟକ ଆଉ ପଛକୁ ଫେରି ଚାହିଁନଥିଲେ। ସେ ବିଭିନ୍ନ ଶୈଳୀର ସିନେମା ତିଆରି କରିଚାଲିଲେ। କେତେବେଳେ ସେ କାହାଣୀକୁ ନେଇ ଖେଳିଛନ୍ତି ତ ପୁଣି କେତେବେଳେ ନୂଆ ଟେକନିକର ପ୍ରୟୋଗ କରି ଫିଲ୍ମ ନିର୍ମାଣ କରିଛନ୍ତି।

ନିର୍ଦ୍ଦେଶକ ସଞ୍ଜୟ ନାୟକ ଏସବୁ ଭିତରେ ଗୋଟିଏ ଥ୍ରିଡି ଫିଲ୍ମ ବି ନିର୍ମାଣ କରିଥିଲେ। ଏହି ଫିଲ୍ମର ଟାଇଟଲ୍ ହେଲା ‘ମିତ ବସିଛି ମୁଁ ଭୂତ ସାଥୀରେ’। ଏହାର ପ୍ରଯୋଜନା କରିଥିଲେ ଅନାମ ଚରଣ ସାହୁ। ଏହି ଓଡ଼ିଆ ଛବି ହେଉଛି ସଞ୍ଜୟଙ୍କ ନିର୍ଦ୍ଦେଶିତ ଏକମାତ୍ର ଥ୍ରିଡି ସିନେମା। ଏହା ୨୦୧୪ରେ ରିଲିଜ୍ ହୋଇଥିଲା। ‘ମିତ ବସିଛି ମୁଁ ଭୂତ ସାଥୀରେ’ ଫିଲ୍ମରେ ଆକାଶ, ଦୁଷ୍ମନ୍ତ, ପ୍ରିୟା, ନିକିତା, ପ୍ରେମାଞ୍ଜନ ପରିଡ଼ା ଓ ବିଜୁ ବଡ଼ଜେନା ପ୍ରମୁଖ କଳାକାର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଏହି ଫିଲ୍ମଟିକୁ କିନ୍ତୁ ବ୍ୟାବସାୟିକ ସଫଳତା ମିଳିନଥିଲା। ଏହା କିନ୍ତୁ ଭଲ ବଜେଟରେ ତିଆରି ହୋଇଥିଲା।

କାଉଁରୀ କନ୍ୟା

ଜଣେ ନୂଆ ପ୍ରଯୋଜକ ଓ ନିର୍ଦ୍ଦେଶକ ‘କାଉଁରୀ କନ୍ୟା’ ଟାଇଟଲରେ ଏକ ଓଡ଼ିଆ ସିନେମା ନିର୍ମାଣ କରିଥିଲେ। ଏହାର ପ୍ରଯୋଜକ- ନିର୍ଦ୍ଦେଶକ ହେଲେ ନବାଗତ ସୌମ୍ୟରଞ୍ଜନ ସାହୁ। ସୌମ୍ୟରଞ୍ଜନ ସାହୁ କଟକ ସ୍ଥିତ ବିଜୁ ପଟ୍ଟନାୟକ ଫିଲ୍ମ ଆଣ୍ଡ୍ ଟେଲିଭିଜନ ଇନଷ୍ଟିଚ୍ୟୁଟର ପୁରାତନ ଛାତ୍ର। ସେ ଜଣେ ଯୁବ ନିର୍ଦ୍ଦେଶକ। ମାତ୍ର ୨୪ ବର୍ଷ ବୟସରେ ସୌମ୍ୟରଞ୍ଜନ ନିର୍ମାଣ କରିଥିଲେ ‘କାଉଁରୀ କନ୍ୟା’।

ଏହି ଥ୍ରିଡି ଓଡ଼ିଆ ମୁଭିରେ ସୌମ୍ୟରଞ୍ଜନ ସାହୁ, କାବ୍ୟା କିରନ୍, ପାୟଲ୍ ଭୂୟାଁ ଓ ଅର୍ଦ୍ଦେନ୍ଦୁ ପ୍ରମୁଖ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଦର୍ଶକଙ୍କ ଦ୍ଵାରା ‘କାଉଁରୀ କନ୍ୟା’ ଆଦୃତ ହୋଇଥିଲା।

ରହସ୍ୟ

ଏବେ ଆଉ ଏକ ଓଡ଼ିଆ ଥ୍ରିଡି ସିନେମା ମୁକ୍ତି ଅପେକ୍ଷାରେ ରହିଛି। ଏହି ଫିଲ୍ମର ଶୀର୍ଷକ ହେଲା ‘ରହସ୍ୟ’। ଶାନ୍ତନୁ କୁମାର ସିଅ ଏବଂ ନାରାୟଣ ସାହୁଙ୍କ ପ୍ରଯୋଜିତ ଏହି  ଫିଲ୍ମର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଛନ୍ତି ସୌମ୍ୟରଞ୍ଜନ ସାହୁ। ସଂଳାପ ରଚନା କରିଛନ୍ତି ବି ଚନ୍ଦନ କୁମାର।

ନୂଆ ଥ୍ରିଡି ଓଡ଼ିଆ ସିନେମା ‘ରହସ୍ୟ’ର ନିର୍ଦ୍ଦେଶନା ଦେଇଛନ୍ତି ନବାଗତ ବିଘ୍ନେଶ୍ଵର ପଣ୍ଡା। ନିଜେ ନିର୍ଦ୍ଦେଶକ ବିଘ୍ନେଶ୍ଵର ପଣ୍ଡା ମଧ୍ୟ ଏକ ଗୁରୁତ୍ଵପୂର୍ଣ୍ଣ ଚରିତ୍ରରେ ଅଭିନୟ କରିଛନ୍ତି।

‘ରହସ୍ୟ’ ଜରିଆରେ ଓଲିଉଡ଼କୁ ଫେରିଛନ୍ତି କାବ୍ୟା କିରନ୍। ସେ ଆଗରୁ ୨୦୧୪ରେ ରିଲିଜ୍ ହୋଇଥିବା ଫିଲ୍ମ ‘କାଉଁରୀ କନ୍ୟା’ ରେ ନଜର ଆସିଥିଲେ। ପ୍ରାୟ ଚାରି ବର୍ଷ ବ୍ୟବଧାନରେ ତାଙ୍କୁ ଓଡ଼ିଆ ଦର୍ଶକ ପୁଣି ଏକ ଓଡ଼ିଆ ସିନେମାରେ ଦେଖିବାକୁ ପାଇବେ। କାବ୍ୟା କିରନ୍‌ ଅବଶ୍ୟ ମଝିରେ ‘ପ୍ରେମ ହୁଏ ଚୋରି ଚୋରି’ ଟାଇଟଲରେ ଏକ ଓଡ଼ିଆ ଛବିରେ ନାୟିକା ଭୂମିକାରେ ଅଭିନୟ କରିଥିଲେ। ସୌମ୍ୟରଞ୍ଜନ ସାହୁଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି କିନ୍ତୁ ଅଧାରେ ଅଟକି ରହିଛି। ଏହା ଏଯାଏଁ ରିଲିଜ୍‌ ହୋଇନାହିଁ।

ଓଡ଼ିଆ ଥ୍ରିଡି ମୁଭି ‘ରସହ୍ୟ’ରେ କାବ୍ୟା ଓ ବିଘ୍ନେଶ୍ଵରଙ୍କ ବ୍ୟତୀତ ନବାଗତ ତୁଷାର, ଅଂଶୁମାନ ସାମଲ, ସୁଦୀପ୍ତା, ଜଗନ୍ନାଥ ଘୋଷ ଓ ବିକାଶ ରଞ୍ଜନ ପ୍ରମୁଖ ମଧ୍ୟ ମୁଖ୍ୟ ଭୂମିକାରେ ଅଛନ୍ତି।

ଓଡ଼ିଆ ଥ୍ରିଡି ସିନେମା ‘ରହସ୍ୟ’ର କଥାବସ୍ତୁ ପାଞ୍ଚ ଜଣ ସାଙ୍ଗଙ୍କ ଉପରେ ଆଧାରିତ। ଯେଉଁମାନେ ଏକ ପୁରୁଣା ବଙ୍ଗଳାକୁ ଯିବା ପରେ କେତେକ ଅଲୌକିକ ଘଟଣା ଘଟୁଛି। ତା’ର ରହସ୍ୟ ପର୍ଦ୍ଦାଫାସ୍ ହୋଇଛି ଏହି ସିନେମାରେ। ନୂଆ ଓଡ଼ିଆ ସିନେମା ‘ରହସ୍ୟ’ର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଶାନ୍ତନୁ।

Comment