ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚୌକି ବଞ୍ଚାଇବା ପାଇଁ ୟେଦୁରପ୍ପା ଏବଂ ବିଜେପି କର୍ଣ୍ଣାଟକରେ ଜୋରଦାର ପ୍ରୟାସ କରୁଥିବା ବେଳେ କଂଗ୍ରେସ-ଜେଡିଏସ୍‌ ୟେଦୁରପ୍ପାଙ୍କୁ ଚେକ୍ ଦେବା ପାଇଁ ଗୋଟି ଚଳାଉଛନ୍ତି।

କର୍ଣ୍ଣାଟକ ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି। ମୁଖ୍ୟମନ୍ତ୍ରୀ ବି ଏସ୍ ୟେଦୁରପ୍ପାଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା ଲାଗିବା ପରେ କର୍ଣ୍ଣାଟକ ରାଜନୀତି ସରଗରମ ହୋଇଯାଇଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଶନିବାର ୪ଟାରେ ୟେଦୁରପ୍ପା ଫ୍ଲୋର ଟେଷ୍ଟ ଦେବେ। ଏଥିପାଇଁ ବିଜେପି, କଂଗ୍ରେସ ଏବଂ ଜେଡିଏସ୍ ନେତା ତତ୍ପର ହୋଇ ଉଠିଛନ୍ତି।

ଦଳୀୟ ବିଧାୟକମାନଙ୍କୁ ଧରି ତିନି ଦଳ ବୈଠକ ପରେ ବୈଠକ କରୁଛନ୍ତି। ହେଲେ ୟେଦୁରପ୍ପା କେମିତି ତାଙ୍କ ଚୌକି ସୁରକ୍ଷିତ ରଖିବେ ତା’ ଉପରେ ଏବେ ପୂରା ଦେଶର ନଜର ରହିଛି।

କର୍ଣ୍ଣାଟକ ଗଣିତ

ମେ ୧୨ ତାରିଖରେ କର୍ଣ୍ଣାଟକର ୨୨୨ଟି ଆସନରେ ଭୋଟ ହୋଇଥିଲା। ସେଥିମଧ୍ୟରୁ ବିଜେପି ୧୦୪ଟି ପାଇଥିବା ବେଳେ କଂଗ୍ରେସ ପାଇଛି ୭୮ ଏବଂ ଜେଡିଏସ୍ ପାଇଛି ୩୭। ସରକାର ଗଢ଼ିବା ପାଇଁ ମ୍ୟାଜିକ ସଂଖ୍ୟା ରହିଛି ୧୧୨।  ହେଲେ ୧୧୨ ଆସନ ବିଜେପି ପାଖରେ ନାହିଁ। ସରକାର ଗଠନ ପାଇଁ ବିଜେପିକୁ ଆଉ ୮ ଜଣ ବିଧାୟକଙ୍କ ସମର୍ଥନ ଆବଶ୍ୟକ ପଡ଼ୁଥିବାରୁ ବିରୋଧୀ ଏବଂ ସ୍ୱାଧୀନ ବିଧାୟକଙ୍କ ଉପରେ ନଜର ପକାଇଛି।

କ୍ରସଭୋଟିଂ ହେବ ବୋଲି ବିଜେପି ନେତାମାନେ ଆଶଙ୍କା ପ୍ରକାଶ କରୁଛନ୍ତି। ଏଥିପାଇଁ ଦଳ ୭ ଜଣ ବିଧାୟକଙ୍କ ଉପରେ ନଜର ପକାଇଛି। ଯଦି ୭ ଜଣ ବିଧାୟକ ଭୋଟିଂ ବେଳେ ଅନୁପସ୍ଥିତ ରହିବେ ତାହାଲେ ୟେଦୁରପ୍ପା ସରକାର ବଞ୍ଚିଯିବ।

ହାଇଦ୍ରାବାଦରେ କଂଗ୍ରେସ-ଜେଡିଏସ୍ ବିଧାୟକ!

କର୍ଣ୍ଣାଟକ ବିଧାନସଭାରେ ବିଜେପି ସଂଖ୍ୟାଗରିଷ୍ଠତା ପ୍ରମାଣ ଦେବା ପାଇଁ ଜୋରଦାର ପ୍ରୟାସ କରୁଥିବା ବେଳେ କଂଗ୍ରେସ ଏବଂ ଜେଡିଏସ୍‌ ସେମାନଙ୍କ ବିଧାୟକଙ୍କୁ ଏକାଠି କରିଛନ୍ତି। ହାଇଦ୍ରାବାଦର ଏକ ହୋଟେଲରେ ବିଧାୟକମାନଙ୍କୁ ରଖାଯାଇଛି। କଂଗ୍ରେସ ଏବଂ ଜେଡିଏସ୍‌ ଏବେ ବି ଦାବି କରୁଛନ୍ତି ଯେ ସେମାନଙ୍କ ପାଖରେ ୧୧୫ ବିଧାୟକଙ୍କ ସମର୍ଥନ ରହିଛି। କେବଳ ବିଧାୟକ ଆନନ୍ଦ ସିଂଙ୍କ ସମ୍ପର୍କରେ ନାହିଁ କଂଗ୍ରେସ।  ହେଲେ ତାଙ୍କ ସମର୍ଥନ ରହିଥିବା କଂଗ୍ରେସ ଦାବି କରୁଛି।

୭ ବିଧାୟକଙ୍କ ଉପରେ ବିଜେପି ନଜର

ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବା ପାଇଁ କଂଗ୍ରେସ ଏବଂ ଜେଡିଏସ୍‌ର ୭ ଜଣ ବିଧାୟକଙ୍କ ଉପରେ ନଜର ପକାଇଛି ବିଜେପି। ଏହି ବିଧାୟକମାନେ ହେଉଛନ୍ତି ଲିଙ୍ଗାୟତ ସମ୍ପ୍ରଦାୟର। ଏହି ୭ ବିଧାୟକ ଫ୍ଲୋର ଟେଷ୍ଟ ବେଳେ ଅନୁପସ୍ଥିତ ରହିବାକୁ ବିଜେପି ଚାହୁଁଛି।

କର୍ଣ୍ଣାଟକରେ ଲିଙ୍ଗାୟତ ଏବଂ ଭୋକାଲିଗା ସମ୍ପ୍ରଦାୟ ଭିତରେ ବିବାଦ ବହୁ ପୁରୁଣା। କୁମାର ସ୍ୱାମୀଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ କଂଗ୍ରେସ ଚାହୁଁଛି। ହେଲେ କୁମାର ସ୍ୱାମୀ ଭୋକାଲିଗା ସମ୍ପ୍ରଦାୟର ହୋଇଥିବାରୁ ୭ ଲିଙ୍ଗାୟତ ସମ୍ପ୍ରଦାୟର ବିଧାୟକ ତାଙ୍କୁ ସମର୍ଥନ କରିବେ ନାହିଁ ବୋଲି ବିଜେପି ଅଙ୍କ କଷିଛି। ୟେଦୁରପ୍ପା ଲିଙ୍ଗାୟତ ସମ୍ପ୍ରଦାୟର ହୋଇଥିବାରୁ ବିରୋଧୀ ଶିବିରରେ ଥିବା ୭ ଲିଙ୍ଗାୟତ ବିଧାୟକ ବିଜେପିକୁ ସମର୍ଥନ କରିବାର ସମ୍ଭାବନା ରହିଛି।

ସ୍ୱାଧୀନ ବିଧାୟକ ନେବେ ନିର୍ଣ୍ଣାୟକ

୭ ଜଣ ଲିଙ୍ଗାୟତ ସମ୍ପ୍ରଦାୟର ବିଧାୟକଙ୍କ ବ୍ୟତୀତ ବିଜେପି ୨ ଜଣ ସ୍ବାଧୀନ ଏବଂ ଜଣେ ବିଏସ୍‌ପି ବିଧାୟକଙ୍କ ଉପରେ ଫୋକସ୍ କରିଛି। ଏହି ୩ ବିଧାୟକ ଏବେ କଂଗ୍ରେସ-ଜେଡିଏସ୍‌ କବ୍‌ଜାରେ ରହିଛନ୍ତି। ହେଲେ ଫ୍ଲୋର ଟେଷ୍ଟ ବେଳେ କିଛି ବି ଘଟିପାରେ ବୋଲି ଆକଳନ କରାଯାଉଛି।

Comment