ଓଡ଼ିଶାଲାଇଭ୍‌ ବ୍ୟୁରୋ

କର୍ଣ୍ଣାଟକରେ ପଛଘୁଞ୍ଚା ଦେଇଛି ବିଜେପି। ଆସ୍ଥା ଭୋଟ ପୂର୍ବରୁ ବି ଏସ୍ ୟେଦୁରପ୍ପା ହାତ ଟେକି ଦେଇଛନ୍ତି।

କର୍ଣ୍ଣାଟକରେ ଚାଲିଥିବା ହାଇଭୋଲଟେଜ ଡ୍ରାମାର ଶେଷ ହୋଇଛି। ଅଗ୍ନିପରୀକ୍ଷା ଦେବା ପୂର୍ବରୁ ବି ଏସ୍‌ ୟେଦୁରପ୍ପା ହାତ ଟେକି ଦେଇଛନ୍ତି। ଫ୍ଲୋର ଟେଷ୍ଟ ହେବା ଆଗରୁ ୟେଦୁରପ୍ପା ଭାବବିହ୍ବଳ ଭାଷଣ ଦେଇ ଇସ୍ତଫା ଦେଇଛନ୍ତି। ସରକାର ଗଠନ ପାଇଁ ବିଜେପି ଯେଉଁ ଦମ୍ଭୋକ୍ତି ଦେଖାଇଥିଲା ତାହା ଶେଷରେ ଠୋ ହୋଇଯାଇଛି। ଅଢ଼େଇ ଦିନର ମୁଖ୍ୟମନ୍ତ୍ରୀ ରହିବା ପରେ ୟେଦୁରପ୍ପା ନିଜ ପଦ ଛାଡ଼ିଛନ୍ତି।

ଅଢ଼େଇ ଦିନର ମୁଖ୍ୟମନ୍ତ୍ରୀ

ବି ଏସ୍ ୟେଦୁରପ୍ପା ତୃତୀୟ ଥର ପାଇଁ ମେ’ ୧୭ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ହେଲେ ୟେଦୁରପ୍ପା ଏହି ପଦରେ ବେଶୀଦିନ ତିଷ୍ଠି ପାରିଲେ ନାହିଁ। ବିଧାନସଭାରେ ସଂଖ୍ୟା ଗରିଷ୍ଠତା ପ୍ରମାଣ କରି ନପାରିବାରୁ ସେ ମାତ୍ର ଅଢ଼େଇ ଦିନ ପରେ ୟେଦୁରପ୍ପା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ଗୁରୁବାର ସକାଳ ୯ଟାରେ ଶପଥ ଗ୍ରହଣ କରିଥିବା ୟେଦୁରପ୍ପା ଶନିବାର ଅପରାହ୍ଣ ୪ଟାରେ ଇସ୍ତଫା ଦେଇଛନ୍ତି।

୨୨୨ ଆସନ ପାଇଁ ଭୋଟ ହୋଇଥିଲା। ସେଥିମଧ୍ୟରୁ ବିଜେପି ୧୦୪ଟି ଆସନ ପାଇଥିବା ବେଳେ କଂଗ୍ରେସ ୭୮ ଏବଂ ଜେଡିଏସ୍‌ ୩୮ ଆସନରେ ବିଜୟୀ ହୋଇଥିଲା। ୨ ଜଣ ସ୍ୱାଧୀନ ପ୍ରାର୍ଥୀ ମଧ୍ୟ ଜିତିଥିଲେ। ନିର୍ବାଚନ ଫଳ ବାହାରିବା ପରେ ଜେଡିଏସ୍‌ ସହ କଂଗ୍ରେସ ମେଣ୍ଟ କରି ସରକାର ଗଠନ ପାଇଁ ରାଜ୍ୟପାଳଙ୍କ ନିକଟରେ ଦାବି କରିଥିଲା। କିନ୍ତୁ ନିର୍ବାଚନ ପରବର୍ତ୍ତୀ ମେଣ୍ଟକୁ ଗ୍ରହଣ କଲେ ନାହିଁ ରାଜ୍ୟପାଳ। ଅଧିକ ଆସନ ପାଇଥିବା ବିଜେପିକୁ ସରକାର ଗଠନ କରିବାକୁ ଡାକିଥିଲେ ରାଜ୍ୟପାଳ। ୟେଦୁରପ୍ପା ୧୭ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଏହାକୁ ସୁପ୍ରିମକୋର୍ଟରେ ଚାଲେଞ୍ଜ କରିଥିଲା କଂଗ୍ରେସ। ଶନିବାର ୪ଟା ସୁଦ୍ଧା ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେଖାଇବା ପାଇଁ ସୁପ୍ରିମକୋର୍ଟ ବିଜେପିକୁ ନିର୍ଦ୍ଦେଶ ଦେଇଥିଲେ।

କିନ୍ତୁ ଜେଡିଏସ୍‌ର କୁମାର ସ୍ୱାମୀ ୨ଟି ଆସନରେ ଜିତିଥିାବରୁ ତାଙ୍କୁ ଗୋଟିଏ ଆସନ ଛାଡ଼ିବାକୁ ପଡ଼ିଛି। ସେହିପରି ବିଜେପିର ଜଣେ ବିଧାୟକ ଅନୁପସ୍ଥିତ ଥିବାରୁ ୧୦୪ରୁ ୧୦୩କୁ ଖସି ଆସିଥିଲା ଦଳର ବିଧାୟକଙ୍କ ସଂଖ୍ୟା। ମ୍ୟାଜିକ ନମ୍ବର ଛୁଇଁବାକୁ ଆଉ ୮ ବିଧାୟକଙ୍କ ସମର୍ଥନ ଆବଶ୍ୟକ ପଡ଼ୁଥିବାରୁ ତାହା ଜୁଟାଇବାରେ ସମର୍ଥ ହେଲେନି ୟେଦୁରପ୍ପା।

ପଛ ଘୁଞ୍ଚା ଦେଲା ବିଜେପି

ଆସ୍ଥା ଭୋଟ ପାଇଁ ଗତ ଚାରି ଦିନ ହେଲା କର୍ଣ୍ଣାଟକରେ ରାଜନୈତିକ ଅସ୍ଥିରତା ଦେଖାଦେଇଥିଲା। ମ୍ୟାଜିକ ନମ୍ବର ୧୧୧ ହାସଲ କରିବା ପାଇଁ ବିଜେପି ଜୋରଦାର ଉଦ୍ୟମ କରିଥିଲା। ଏପରିକି କିଛି ବିଧାୟକଙ୍କୁ କିଣିବା ପାଇଁ ଚେଷ୍ଟା କରାଯାଉଥିବା ଅଭିଯୋଗ ହୋଇଥିଲା। ଆସ୍ଥା ଭୋଟର ଦିନକ ପୂର୍ବରୁ ୟେଦୁରପ୍ପା ମଧ୍ୟ ଗଣମାଧ୍ୟମରେ ଦୃଢ଼ୋକ୍ତି ଦେଖାଇଥିଲେ। ଆସ୍ଥା ଭୋଟରେ ୧୦୦ରୁ ୧୦୧ ପ୍ରତିଶତ ଜିତିବୁ ବୋଲି କହିଥିଲେ। ସରକାର ଗଢ଼ିବା ପାଇଁ ଆବଶ୍ୟକ ସଂଖ୍ୟକ ଆସନ ନଥିଲେ ବି ବିଜେପି ସରକାର ଗଠନ ପାଇଁ ଦୁଇ ପାଦ ଆଗକୁ ଆସିଥିଲା। ବିଜେପିର ତୁଙ୍ଗ ନେତାମାନେ ମଧ୍ୟ କର୍ଣ୍ଣାଟକ ଦଖଲ ପାଇଁ ଅଙ୍କ କଷିଥିଲେ। ହେଲେ ବିଜେପି ତୁଙ୍ଗ ନେତାଙ୍କ ଅଙ୍କ ଭୁଲ୍ ପ୍ରମାଣିତ ହୋଇଛି। ଯେଉଁ ଆଶା ଏବଂ ଦମ୍ଭୋକ୍ତି ଦେଖାଇଥିଲେ ତାହା ଫସର ଫାଟି ଯାଇଛି।

ଆସ୍ଥା ଭୋଟରେ ସଂଖ୍ୟା ବରିଷ୍ଠତା ଦେଖାଇବା ପାଇଁ ଯେଉଁ ବିଜେପି ଅଣ୍ଟା ଭିଡ଼ିଥିଲା ସେହି ଦଳ ଭୋଟ ପୂର୍ବରୁ ହାତ ଟେକି ଦେଇଛି। ଆସ୍ଥା ଭୋଟ ହେବା ପୂର୍ବରୁ ବିଜେପି ପଛକୁ ଫେରି ଆସିଛି। ଆବଶ୍ୟକ ସଂଖ୍ୟକ ବିଧାୟକଙ୍କ ସମର୍ଥନ ଜୁଟାଇ ନପାରିବାରୁ ୟେଦୁରପ୍ପା ନିରାଶ ହୋଇଛନ୍ତି।

ଯେଉଁ ଅସ୍ଥିରତାକୁ ସେହି ଅସ୍ଥିରତା

ସରକାର ଗଠନ ପାଇଁ କର୍ଣ୍ଣାଟକରେ ଦେଖାଦେଇଥିଲା ରାଜନୀତିକ ଅସ୍ଥିରତା। ଗତ ଚାରି ଦିନ ହେଲା ବିଜେପି ଏବଂ କଂଗ୍ରେସ ଭିତରେ ଲାଗିଥିଲା ଛକାପଞ୍ଝା। ଖାଲି ସେତିକି ନୁହେଁ, ବିହାର, ଗୋଆ, ମଣିପୁର ଏବଂ ମେଘାଳୟରେ ମଧ୍ୟ ରାଜନୀତି ଶିବିର ହଲଚଲ ହୋଇଯାଇଥିଲା। ୟେଦୁରପ୍ପା ଇସ୍ତଫା ଦେବା ପରେ ଏହି ଛକାପଞ୍ଝା ଏବଂ ଅସ୍ଥିରତାରେ ପୂର୍ଣ୍ଣଛେଦ ପଡ଼ିଛି ବୋଲି କୁହାଯାଉଛି। ହେଲେ ସେମିତି କିଛି ଘଟିବ ନାହିଁ ବୋଲି ରାଜନୀତି ପର୍ଯ୍ୟବେକ୍ଷକମାନେ ମତ ଦେଉଛନ୍ତି। କର୍ଣ୍ଣାଟକରେ ସୃଷ୍ଟି ହୋଇଥିବା ଅସ୍ଥିରତା ଆଗାମୀ ଦିନରେ ଅଧିକ ବ୍ୟାପକ ହେବ ବୋଲି ଚର୍ଚ୍ଚା ହେଉଛି।

କଂଗ୍ରେସର ହଜିଲା ବିଧାୟକ ଫେରିଲେ

କର୍ଣ୍ଣାଟକ ବିଧାନସଭାରେ ଆସ୍ଥା ଭୋଟ ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ କଂଗ୍ରେସର ଦୁଇ ଜଣ ବିଧାୟକ ହଜି ଯାଇଥିବା ଖବର ଆସିଥିଲା। ପ୍ରତାପ ଗୌଡା ପାଟିଲ ଏବଂ ଆନନ୍ଦ ସିଂହ କେଉଁଆଡ଼େ ଗାଏବ ହୋଇ ଯାଇଥିଲେ। ସେମାନେ ଆସ୍ଥା ଭୋଟରେ ସାମିଲ ହେବେ କି ନାହିଁ ତାକୁ ନେଇ ଅନିଶ୍ଚିତତା ଦେଖାଦେଇଥିଲା। ଏଥିରେ ବିଜେପି ଶିବିର ଉତ୍ସାହିତ ହୋଇଯାଇଥିଲା। କିନ୍ତୁ ଆସ୍ଥା ଭୋଟ ପୂର୍ବରୁ ହଜିଥିବା ବିଧାୟକ କର୍ଣ୍ଣାଟକ ବିଧାନସଭାରେ ହାଜର ହୋଇଥିଲେ।

କଂଗ୍ରେସର ଦୁଇ ଜଣ ବିଧାୟକଙ୍କ ପରି ବିଜେପି ବିଧାୟକ ସୌମ୍ୟଶେଖର ମଧ୍ୟ ନିଖୋଜ ହୋଇଯାଇଥିଲେ। ହେଲେ ଆସ୍ଥା ଭୋଟ ଶେଷ ହୋଇଗଲା ପଛେ ବିଜେପି ବିଧାୟକଙ୍କର ଦେଖା ମିଳିଲା ନାହିଁ। ସେ କୁଆଡ଼େ ଗଲେ ଏବଂ କେଉଁଠି ରହିଲେ ତାଙ୍କୁ ଏବେ ବିଜେପି ଖୋଜୁଛି।

Comment