ଓଡ଼ିଶାଲାଇଭ୍‌ ବ୍ୟୁରୋ

କର୍ଣ୍ଣାଟକରେ ବିଜେପିକୁ ଲାଗିଛି ବଡ଼ ଝଟକା। ସରକାର ଗଠନ ପାଇଁ ସଂଖ୍ୟା ଖେଳରେ ବିଜେପି ହାରିଯିବା ପରେ ଏହି ପାର୍ଟି ପଛ ଘୁଞ୍ଚା ଦେଇଛି।

କର୍ଣ୍ଣାଟକରେ ବିଜେପିକୁ ଲାଗିଛି ଜୋରଦାର ଝଟକା। ସଂଖ୍ୟା ଖେଳରେ ପଛରେ ପଡ଼ିଗଲା ବିଜେପି। ସରକାର ଗଠନ ପାଇଁ ଆବଶ୍ୟକ ପଡ଼ୁଥିବା ସଂଖ୍ୟା ବିଜେପି ଜୁଟାଇ ନପାରିବାରୁ ଦଳ ପଛକୁ ଫେରି ଆସିଛି। କର୍ଣ୍ଣାଟକକୁ କବ୍‌ଜା କରିବା ପାଇଁ ବିଜେପିର ତୁଙ୍ଗ ନେତାମାନେ ଗୋଟି ଚାଳନା କରୁଥିଲେ ମଧ୍ୟ ତାହା ସଫଳ ହୋଇନାହିଁ। ଅଗ୍ନି ପରୀକ୍ଷା ଦେବା ପୂର୍ବରୁ ୟେଦୁରପ୍ପା ଆତ୍ମସମର୍ପଣ କରିଦେଇଛନ୍ତି। ମ୍ୟାଜିକ ନମ୍ବର ୧୧୧ ହାସଲ କରିବା ପାଇଁ ବିଜେପି ନେତାମାନେ ଯେଉଁ ଛକାପଞ୍ଝା ରାଜନୀତି ଆରମ୍ଭ କରିଥିଲେ ତାହା ଫସର ଫାଟି ଯାଇଛି।

ବିଜେପିକୁ ଝଟକା

କେନ୍ଦ୍ରରେ ବିଜେପି ସରକାର ପ୍ରତିଷ୍ଠା ହେବା ଦିନରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା କଂଗ୍ରେସ ମୁକ୍ତ ଭାରତ ଗଠନ କରିବାର ସଙ୍କଳ୍ପ ନେଇଥିଲେ। ଏହି ସଙ୍କଳ୍ପକୁ ପାଥେୟ କରି ୨୦୧୪ ପରେ ଯେତେ ବିଧାନସଭା ନିର୍ବାଚନ ହୋଇଛି ସବୁଥିରେ ବାଜିମାତ କରିବା ପାଇଁ ରଣନୀତି ପ୍ରସ୍ତୁତ କରିଥିଲେ। ଏହି ରଣନୀତି ସଫଳ ହେବାରୁ ବିଜେପି ଏବେ ୨୧ଟି ରାଜ୍ୟରେ ଶାସନରେ ରହିଛି। ୨୦୧୯ ନିର୍ବାଚନ ପୂର୍ବରୁ କର୍ଣ୍ଣାଟକ ନିର୍ବାଚନ ହେଉଥିବାରୁ ଏହାକୁ ଅକ୍ତିଆର କରିବା ପାଇଁ ବିଜେପି ଉଦ୍ୟମ କରିଥିଲା। କିନ୍ତୁ ଶେଷ ମୁହୂର୍ତ୍ତରେ ବିଜେପି ହାତରୁ ଖସିଯାଇଛି କର୍ଣ୍ଣାଟକ। କର୍ଣ୍ଣାଟକକୁ କଂଗ୍ରେସ ମୁକ୍ତ କରୁ କରୁ ବିଜେପି ନିଜେ କର୍ଣ୍ଣାଟକରୁ ମୁକ୍ତ ହୋଇଯାଇଛି। ଏହା ବିଜେପିର ସ୍ଥାନୀୟ ନେତାମାନଙ୍କୁ ଯେତିକି ଝଟକା ନଦେଇଛି ତାଠୁ ଅଧିକ ନିରାଶ କରିଛି କେନ୍ଦ୍ର ନେତାଙ୍କୁ। କାରଣ କର୍ଣ୍ଣାଟକରେ ନରେନ୍ଦ୍ର ମୋଦି ଏବଂ ରାହୁଲ ଗାନ୍ଧିଙ୍କ ଭିତରେ ଲଢ଼େଇ ଚାଲିଥିଲା।

ମିଳିଲାନି ଲିଙ୍ଗାୟତ ସମ୍ପ୍ରଦାୟର ସମର୍ଥନ

ଫ୍ଲୋର ଟେଷ୍ଟ ବେଳେ ଲିଙ୍ଗାୟତ ସମ୍ପ୍ରଦାୟର ବିଧାୟକଙ୍କ ସମର୍ଥନ ଉପରେ ବିଜେପି ନଜର ପକାଇଥିଲା। ଚଳିତ ନିର୍ବାଚନରେ ଲିଙ୍ଗାୟତ ସମ୍ପ୍ରଦାୟର ୨୦ ଜଣ ବିଧାୟକ ଜିତିଥିଲେ। ୧୮ ଜଣ କଂଗ୍ରେସର ରହିଥିବା ବେଳେ ଦୁଇ ଜଣ ଜେଡିଏସ୍‌ର। ଏହି ଲିଙ୍ଗାୟତ ବିଧାୟକମାନେ କଂଗ୍ରେସ ଉପରେ ଖପ୍ପା ରହିଥିଲେ। କୁମାର ସ୍ୱାମୀ ଭୋକାଲିଗା ସମ୍ପ୍ରଦାୟର ହୋଇଥିବାରୁ ତାଙ୍କୁ ମୁଖ୍ୟମନ୍ତ୍ରୀ ନକରିବା ପାଇଁ ଏମାନେ ଦାବି କରୁଥିଲେ। ୟେଦୁରପ୍ପା ଲିଙ୍ଗାୟତ ସମ୍ପ୍ରଦାୟର ହୋଇଥିବାରୁ ସେ ଲିଙ୍ଗାୟତ ବିଧାୟକଙ୍କ ଭୋଟ ପାଇବେ ବୋଲି ଆଶା ରଖିଥିଲେ। କିନ୍ତୁ ପାର୍ଟି ହ୍ୱିପ୍ ଆଗରେ ସବୁକିଛି ଫେଲ୍ ମାରିଥିଲା। ଜେଡିଏସ୍‌ ଏବଂ କଂଗ୍ରେସ ନିଜ ନିଜ ବିଧାୟକଙ୍କୁ ଏମିତି ଢଙ୍ଗରେ ଟ୍ରିଟମେଣ୍ଟ କରିଥିଲେ ଯେ ବିଜେପି କିଛି ଟେର୍ ପାଇ ନଥିଲା। ଫଳରେ ବିଜେପି ସଂଖ୍ୟା ଖେଳରେ ପଛରେ ପଡ଼ି ଯାଇଥିଲା।

ବିରୋଧୀଙ୍କ ଚାଲ ଆଗରେ ବିଜେପି ଫେଲ୍

ୟେଦୁରପ୍ପା ଯେଉଁଦିନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସେହି ରାତିରେ କଂଗ୍ରେସ ଏବଂ ଜେଡିଏସସ୍‌ ସେମାନଙ୍କ ବିଧାୟକଙ୍କୁ ଏକାଠି କରିଥିଲେ। ଦୁଇଟି ବସ୍‌ରେ ସେମାନଙ୍କୁ ବେଙ୍ଗଳୁରୁରୁ ହାଇଦ୍ରାବାଦକୁ ପଠାଇ ଦିଆଯାଇଥିଲା। ଦିନକ ପରେ ବିଧାୟକମାନେ ହାଇଦ୍ରାବାଦରୁ ଆସିଥିଲେ। କଂଗ୍ରେସ ବିଧାୟକମାନଙ୍କୁ ବିଜେପି ନେତାଙ୍କ ସହ ଫୋନରେ କଥାବାର୍ତ୍ତା କରିବାର ସୁଯୋଗ ଦିଆଗଲାନି। ଆସ୍ଥା ଭୋଟ ଦିନ କଂଗ୍ରେସ ଏବଂ ଜେଡିଏସ୍‌ ବିଧାୟକ ଏକାଠି ବିଧାନସଭା ଭିତରକୁ ପ୍ରବେଶ କରିଥିଲେ। ଶପଥ ନେବା ପରେ ନିଜ ନିଜ ଆସନରେ ବସିଥିଲେ। ଲଞ୍ଚ ବ୍ରେକ ବେଳେ ବିଧାୟକମାନଙ୍କୁ ବାହାରକୁ ଛଡ଼ାଗଲା ନାହିଁ। ସେମାନଙ୍କୁ ଖାଦ୍ୟ ପ୍ୟାକେଟ ଆଣି ଦିଆଯାଇଥିଲା। ଫଳରେ ବିଜେପିର ଅକଲ କାମ କରି ନଥିଲା।

ସଂଖ୍ୟା ଗରିଷ୍ଠତା ଦେଖାଇବା ପାଇଁ ବିଜେପି ନେତା ୟେଦୁରପ୍ପା ଯେଉଁ ଦୃଢ଼ୋକ୍ତି ଦେଖାଇଥିଲେ ତାହା ସଫଳ ହୋଇ ନଥିଲା। ଏହି ଘଟଣା ୟେଦୁରପ୍ପାଙ୍କୁ ଯେତିକି ଆଘାତ ଦେଇନି ତାଠୁ ଅଧିକ ଆଘାତ ଦେଇଛି କେନ୍ଦ୍ର ନେତୃବୃନ୍ଦଙ୍କୁ।

“କର୍ଣ୍ଣାଟକରେ ଆଜି ଯେଉଁ ପରିସ୍ଥିତି ସୃଷ୍ଟି ହେଲା ସେଥିରେ ବିଜେପିକୁ ନିଶ୍ଚିନ୍ତ ଭାବେ ଝଟକା ଲାଗିଛି। ସମସ୍ତେ ଜାଣିଥିଲେ ଯେ ବିଜେପିକୁ ବହୁମତ ମିଳିବ ନାହିଁ। ଏହାସତ୍ତ୍ୱେ ବିଜେପି ସରକାର ଗଠନ କରିବ ବୋଲି ରାଜ୍ୟପାଳଙ୍କ ପାଖରେ ଦାବି କଲା ଏବଂ ୟେଦୁରପ୍ପା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ। ଆସ୍ଥା ଭୋଟ ବେଳେ ଘୋଡ଼ା ବୋପାରର ଆଶଙ୍କା ସୃଷ୍ଟି ହୋଇଥିଲା ଏବଂ ଅନୈତିକତାର କଥା ଉଠିଲା। ଆସ୍ଥା ଭୋଟ ବେଳେ ବିଜେପିର ଡାର୍ଟି ପଲିଟିକ୍ସ ପଦାରେ ପଡ଼ିଯାଇଛି”, କହିଛନ୍ତି ବରିଷ୍ଠ ସାମ୍ବାଦିକ ଦିଲୀପ ବିଷୋୟୀ।

ଶ୍ରୀ ବିଷୋୟୀ ଆହୁରି କହିଛନ୍ତି ଯେ କର୍ଣ୍ଣାଟକରେ ଯେଉଁ ରାଜନୀତିକ ଅସ୍ଥିରତା ସୃଷ୍ଟି ହୋଇଥିଲା ତାହା ଆଗାମୀ ଦିନରେ କେଉଁ ରୂପ ନେବ ଜଣାପଡ଼ିବ। କାରଣ କଂଗ୍ରେସ ଏବଂ ଜେଡିଏସ୍‌ ହେଉଛନ୍ତି ଧର୍ମନିରପେକ୍ଷ ଦଳ। ଯଦି ସେମାନେ ସେମାନଙ୍କ ଆଦର୍ଶକୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ ଏବଂ ଯୋଜନା ପ୍ରଣୟନ କରନ୍ତି ତାହାଲେ କିଛି ଅସୁବିଧା ହେବ ନାହିଁ। କିନ୍ତୁ ରାଜନୀତିରେ କେତେବେଳେ କ’ଣ ଘଟିବ ତାହା କହିବା ମୁସ୍କିଲ।

ସଂଖ୍ୟା ନଥାଇ ବାହାସ୍ଫୋଟ

ସରକାର ଗଠନ କରିବା ପାଇଁ ବିଜେପି ପାଖରେ ବିଧାୟକଙ୍କ ସମର୍ଥନ ନଥିବା ବେଳେ ଏହି ଦଳ ସରକାର ଗଢ଼ିବା ପାଇଁ ଦୁଇ ପାଦ ଆଗେଇ ଆସିଥିଲା। ଅନ୍ୟ ଦଳର ବିଧାୟକଙ୍କୁ ମୂଲଚାଲ କରି ସରକାରକୁ ଫେରିବା ପାଇଁ ପୂର୍ଣ୍ଣ ମାତ୍ରାରେ ପ୍ରୟାସ କରାଯାଇଥିଲା। ଏମିତି ଏକ ଅଭିଯୋଗ କଂଗ୍ରେସ କରିଥିଲା। କଂଗ୍ରେସର ଦୁଇ ବିଧାୟକଙ୍କୁ କିଣିବା ପାଇଁ ବିଜେପି ମନ୍ତ୍ରୀପଦ ଏବଂ ଟଙ୍କା ଯାଚୁଥିବାର ଅଡିଓଟେପ୍ ଜାରି କରିବା ପରେ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଥିଲା। ବିଜେପିର ଅସଲ ଚେହେରା ପଦାରେ ପଡ଼ିଯାଇଥିଲା। ଏଣୁ ନିଜ ସମ୍ମାନକୁ ଜଗିବା ପାଇଁ ବିଜେପି ଚାହିଁଲା। ଆସ୍ଥା ଭୋଟର ସମ୍ମୁଖୀନ ହୋଇ ଅପଦସ୍ତ ହେବା ଅପେକ୍ଷା ଆଗୁଆ ଇସ୍ତଫା ଦେବା ଉଚିତ ମନେକରିଛନ୍ତି ୟେଦୁରପ୍ପା। ସରକାର ଗଠନ ପାଇଁ ବିଜେପି ଯେଉଁ ମାତ୍ରାରେ ଆଗକୁ ଆଗେଇଥିଲା ସେହି ହାରରେ ପଛକୁ ଫେରି ଯାଇଛି ଏହି ଜାତୀୟ ଦଳ।

“ଭାରତୀୟ ଗଣତନ୍ତ୍ର ପାଇଁ ଆଜି ହେଉଛି ଐତିହାସିକ ଦିନ। ସ୍ୱଳ୍ପ ମତ ଥାଇ ବିଜେପି ସରକାର ଗଠନ କରିବାକୁ ଯେଉଁ ବାହାସ୍ଫୋଟ ମାରୁଥିଲା ତାହା ଆଜି ଚୁରମାର୍ ହୋଇଯାଇଛି। ଲୋକତନ୍ତ୍ରର ବିଜୟ ହୋଇଛି। ସମର୍ଥନ ପାଇବା ପାଇଁ ବିଜେପି କେଉଁ ସ୍ତରକୁ ଯାଇପାରେ ତାହାର ନମୁନା କର୍ଣ୍ଣାଟକରେ ଦେଖିବାକୁ ମିଳିଛି। ମଣିପୁର, ଗୋଆ ଭଳି କର୍ଣ୍ଣାଟକରେ ସରକାର ଗଠନ କରିବାକୁ ବିଜେପି  ଚାହୁଁଥିଲା। ହେଲେ ସେଥିରେ ବିଜେପି ସଫଳ ହୋଇନି। ବିଜେପି ପଛକୁ ଫେରି ଯାଇଛି”, କହିଛନ୍ତି କଂଗ୍ରେସ ମୁଖପାତ୍ର ଡକ୍ଟର ବିଶ୍ୱରଞ୍ଜନ ମହାନ୍ତି।

ସେମି ଫାଇନାଲ ଥିଲା କର୍ଣ୍ଣାଟକ

୨୦୧୯ ନିର୍ବାଚନ ପୂର୍ବରୁ କର୍ଣ୍ଣାଟକ ବିଧାନସଭା ନିର୍ବାଚନକୁ ସେମି ଫାଇନାଲ ଭାବେ ବିବେଚନା କରାଯାଉଥିଲା। ଏଣୁ ଏହି ନିର୍ବାଚନ ଉଭୟ କଂଗ୍ରେସ ଏବଂ ବିଜେପି ପାଇଁ ସମ୍ମାନର ପ୍ରଶ୍ନ ହୋଇଥିଲା। ନିଜ ଦମ୍ ଦେଖାଇବା ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ କଂଗ୍ରେସ ଏବଂ ବିଜେପି। କଂଗ୍ରେସର ପ୍ରଚାର ମଙ୍ଗ ରାହୁଲ ଗାନ୍ଧି ଧରିଥିବା ବେଳେ ବିଜେପିର ମଙ୍ଗ ଧରିଥିଲେ ନରେନ୍ଦ୍ର ମୋଦି ଏବଂ ଅମିତ ଶାହା।

ରାହୁଲ ଗାନ୍ଧି ସିଦ୍ଧରମେୟାଙ୍କ ସରକାରର ଲୋକପ୍ରିୟ ଯୋଜନାକୁ ପ୍ରଚାର କରି ଭୋଟରଙ୍କ ନିକଟତର ହୋଇଥିବା ବେଳେ ମୋଦି ଏବଂ ଶାହା କେନ୍ଦ୍ର ସରକାରଙ୍କ ସଫଳ ଯୋଜନାକୁ ଅସ୍ତ୍ର କରିଥିଲେ। ହେଲେ କଂଗ୍ରେସ ଉପରେ ଆସ୍ଥା ପ୍ରକଟ କରି ନଥିଲେ କର୍ଣ୍ଣାଟକବାସୀ। ବିଜେପିକୁ ମିଳିଥିଲା ଅଧିକ ଆସନ। ଆଉ ନିର୍ଣ୍ଣାୟକ ଭୂମିକାରେ ରହିଥିଲା ଜେଡି(ଏସ୍‌)। କୌଣସି ଦଳ ମ୍ୟାଜିକ ନମ୍ବର ୧୧୧ ହାସଲ କରି ନପାରିବାରୁ କଂଗ୍ରେସ-ଜେଡିଏସ୍‌କୁ ଦେଇଥିଲା ସମର୍ଥନ।

ହେଲେ ନିର୍ବାଚନ ପରବର୍ତ୍ତୀ ମେଣ୍ଟକୁ ଗ୍ରହଣ ନକରି ସର୍ବାଧିକ ଆସନ ପାଇଥିବାର ବିଜେପିକୁ ସରକାର ଗଢ଼ିବାର ସୁଯୋଗ ଦେଇଥିଲେ ରାଜ୍ୟପାଳ। ଏହାକୁ ନେଇ କଂଗ୍ରେସ ଏବଂ ଜେଡିଏସ୍‌ ନାରାବାଜି କରିଥିଲେ। ରାଜ୍ୟପାଳଙ୍କ ନିଷ୍ପତ୍ତିବୁ ବିରୋଧ କରି କଂଗ୍ରେସ ଅଧ ରାତିରେ ସୁପ୍ରିମକୋର୍ଟ ଯାଇଥିଲା। ସୁପ୍ରିମକୋର୍ଟ ରାତି ସାରା ଆଲୋଚନା ଚାଲିବା ପରେ ୪୮ ଘଣ୍ଟା ଭିତରେ ସଂଖ୍ୟା ଗରିଷ୍ଠତା ପ୍ରମାଣ କରିବା ପାଇଁ ରାଜ୍ୟପାଳ ୟେଦୁରପ୍ପାଙ୍କୁ ନିର୍ଦ୍ଦେଶ ଦେଇଥିଲେ।

Comment