ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଓଲିଉଡର ଯେଉଁ ସେଲିବ୍ରିଟିମାନେ ଯଲିଉଡରେ ନିର୍ଦ୍ଦେଶକ ଭାବେ ବେଶ୍ ପ୍ରତିଷ୍ଠା ଅର୍ଜନ କରିଛନ୍ତି, ସେମାନଙ୍କ ଭିତରୁ ଜଣେ ହେଲେ ବିଶିଷ୍ଟ ସିନେ ଅଭିନେତା ଅଶ୍ରୁମୋଚନ ମହାନ୍ତି।

ମଞ୍ଚରୁ ହିଁ ଅଭିନୟ ଜୀବନ ଆରମ୍ଭ କରିଥିଲେ ଓଲିଉଡରୁ ଯଲିଉଡକୁ ଯାଇଥିବା ଏହି ଅଭିନେତା ଜଣକ। ସେତେବେଳେ ଅଶ୍ରୁମୋଚନ ଷଷ୍ଠ ଶ୍ରେଣୀରେ ପଢ଼ୁଥାନ୍ତି। ସେହି ସମୟରେ ତାଙ୍କୁ ମିଳିଥିଲା ‘ଶ୍ରୀଗଣେଶ’ ଗୀତିନାଟ୍ୟରେ ଭଗବାନ ବିଷ୍ଣୁଙ୍କ ଭୂମିକା। କିନ୍ତୁ ଏହି ଭୂମିକାଟି ନିଭାଇବା ଲାଗି ଅଶ୍ରୁମୋଚନଙ୍କୁ ବହୁତ କଷ୍ଟ କରିବାକୁ ପଡ଼ିଥିଲା।

ସ୍ୱର୍ଗତଃ ବେଣୁଧର ପଟ୍ଟନାୟକ ହେଉଛନ୍ତି ଓଲିଉଡରୁ ଯଲିଉଡକୁ ଆସିଥିବା ସେଲିବ୍ରିଟି ଅଶ୍ରୁମୋଚନଙ୍କ ଆଦ୍ୟଗୁରୁ, ପ୍ରଥମ ନିର୍ଦ୍ଦେଶକ। ତାଙ୍କ ନିର୍ଦ୍ଦେଶନାରେ କାମ କରିବା ପରେ ଆଉ ଡରି ନଥିଲେ ଅଶ୍ରୁମୋଚନ।

ମଞ୍ଚରୁ ଏହି ପ୍ରଥମ ଅଭିନୟ ଅଶ୍ରୁମୋଚନଙ୍କୁ ଉତ୍କଳ ସଙ୍ଗୀତ ନାଟକ ମହାବିଦ୍ୟାଳୟକୁ ଟାଣି ଆଣିଥିଲା। ସେଠାରୁ ଶିକ୍ଷା ସମାପ୍ତି ପରେ ଅଶ୍ରୁମୋଚନ ମହାନ୍ତି ଓଡ଼ିଆ ସିନେ ଜଗତରେ ପାଦ ଥାପିଥିଲେ। ଅଶ୍ରୁମୋଚନଙ୍କ ଅଭିନୀତ ପ୍ରଥମ ସିନେମା ଥିଲା ଶ୍ରୀରାମ ପଣ୍ଡାଙ୍କ ନିର୍ଦ୍ଦେଶିତ ତଥା ପ୍ରଯୋଜିତ ଏକମାତ୍ର ଓଡ଼ିଆ ଛବି ‘କୁରୁକ୍ଷେତ୍ର’।

‘କୁରୁକ୍ଷେତ୍ର’ ପରେ ଏହି ଓଲିଉଡ ସେଲିବ୍ରିଟି ଅନେକ ଓଡ଼ିଆ ସିନେମା ଓ ସିରିଏଲରେ ଅଭିନୟ କରିଚାଲିଥିଲେ। ଏଠାରେ ନିଜର ପ୍ରତିଭା ପ୍ରଦର୍ଶନ କରିସାରିବା ପରେ ଯାତ୍ରାକୁ ମୁହାଁଇଥିଲେ ଅଶ୍ରୁମୋଚନ ମହାନ୍ତି। ହେଲେ ଯଲିଉଡରେ ସେ ଅଭିନେତା ଭାବେ ନୁହେଁ, ବରଂ ନିର୍ଦ୍ଦେଶକ ଭାବେ ସୁଯୋଗ ପାଇଥିଲେ।

ଓଲିଉଡର ପ୍ରଖ୍ୟାତ ଚରିତ୍ର ଅଭିନେତା ଅଶ୍ରୁମୋଚନ ମହାନ୍ତି ଯଲିଉଡରେ ପ୍ରବେଶ କରି ଦର୍ଶକଙ୍କୁ ଭେଟି ଦେଇ ଅନେକ ସଫଳ ନାଟକ। ଏଥିପାଇଁ ତ ତାଙ୍କୁ ଆଜି ବି କୁହାଯାଉଛି ଯଲିଉଡର ହିଟ୍ ଡିରେକ୍ଟର।

ଅଶ୍ରୁମୋଚନ ମହାନ୍ତିଙ୍କ ନିର୍ଦ୍ଦେଶିତ ଲୋକପ୍ରିୟ ନାଟକ ମଧ୍ୟରେ ରହିଛି- ତାରିଣୀ ଗଣନାଟ୍ୟ ଦ୍ୱାରା ମଞ୍ଚସ୍ଥ ଭଙ୍ଗା ଅଇନା, ଝୁମୁକା ହଜିଲା ଝାଉଁବଣରେ, ଓଡ଼ିଶା ଅପେରା ପକ୍ଷରୁ ପରିବେଷିତ ‘ମୋ ବୋହୁ ପଢ଼ିବ ଲକ୍ଷ୍ମୀପୁରାଣ’, ବାଲେଶ୍ୱରୀ ଗଣନାଟ୍ୟ ଦ୍ୱାରା ମଞ୍ଚସ୍ଥ ‘ସାବି କି ସବାରି ସାତ ସପନ’, ନିୟତି ଗଣନାଟ୍ୟ ଦ୍ୱାରା ପରିବେଷିତ ‘ପଇଲା କାନିରେ ଗଣ୍ଠି’, ‘ସିନ୍ଦୁର ରଖିଛି ବଉଳ ପାଇଁ’, ‘କୁଳଦୀପ’, ‘ବାକି ରହିଲା ମୋ’ ରାକ୍ଷୀ ପାଇସା’ ଓ ‘ଅଦିନ ମେଘ ବରଷି ଗଲା’।

ଠିକ୍ ସେହିପରି ଓଲିଉଡ ସେଲିବ୍ରିଟି ଅଶ୍ରୁମୋଚନ କୋଣାର୍କ ଗଣନାଟ୍ୟ ଦ୍ୱାରା ମଞ୍ଚସ୍ଥ ‘କାରଗିଲ୍ ଜଳୁଛି’, ‘ଯାତ୍ରା ପାର୍ଟିର ବୋହୁ’, ‘ଆଜି ଗୁରୁବାର ମୁଣ୍ଡ ଛୁଇଁଲି’, ଶିବାନୀ ଗଣନାଟ୍ୟ ପକ୍ଷରୁ ପରିବେଷିତ ‘ରାତି ପାହିଲେ କହିବି’ ଓ ‘ଭାଇ ଭଉଣୀଙ୍କ କାହାଣୀ’, ତୁଳସୀ ଗଣନାଟ୍ୟ ଦ୍ୱାରା ପରିବେଷିତ ଯାତ୍ରା ନାଟକ ‘କନିଆ ଯାଉଛି କାଞ୍ଚନପୁର’, ଗୌରୀ ଗଣନାଟ୍ୟ ଦ୍ୱାରା ମଞ୍ଚସ୍ଥ ‘ସିନ୍ଦୁର ହଜିଲା ଟିକିଲି ପାଇଁ’, ‘ତୁ ଥା ମୁଁ ଯାଉଛି ରୁଷି’, ‘ଫୁଲେଇ ଝିଅଟା ଭୁଲେଇ ଦେଲା’, ଦୁର୍ଗା ଶ୍ରୀ ଗଣନାଟ୍ୟ ଦ୍ୱାରା ମଞ୍ଚସ୍ଥ ‘ପାପ ଲୁଚେଇଛି ପଣତ କାନି’, ବାଘାଯତୀନ ଲୋକନାଟ୍ୟ ପକ୍ଷରୁ ପରିବେଷିତ ‘ସରଗ ଚାନ୍ଦ ପଡିଛି ଖସି’, କଳିଙ୍ଗ ଗଣନାଟ୍ୟର ଚର୍ଚ୍ଚିତ ନାଟକ ‘ଫୁଲ ଆଣିଥିଲି ଫୁଲବାଣୀ’ରୁ ଏବଂ ‘ମା’ ଲୋ କଲିକତିଆ ଜୋଇଁ’ ଏବଂ ତ୍ରିନାଥ ଗଣନାଟ୍ୟ ଦ୍ୱାରା ମଞ୍ଚସ୍ଥ ‘ଅନ୍ଧ ପୁଟୁଳି’, ଓ ‘ଏଠି ସପନ ଦେଖିବା ମନା’ ଇତ୍ୟାଦି।

ଜଣେ ସଫଳ ନିର୍ଦ୍ଦେଶକ ଭାବେ ଅଶ୍ରୁମୋଚନ ଯଲିଉଡରେ ପରିଚିତ। କିନ୍ତୁ ନାୟକର ସଫଳତା ଶ୍ରେୟ ସେ ଏକାକୀ ନେବାକୁ ପ୍ରସ୍ତୁତ ନୁହଁନ୍ତି। ତାଙ୍କ ମତରେ ଏହା ଏକ ସାମଗ୍ରିକ କୃତିତ୍ୱ। ଲେଖକଠୁ ଆରମ୍ଭ କରି ନିର୍ଦ୍ଦେଶକ ଓ କଳଳାକାର ଏପରିକି ପ୍ରଯୋଜକଙ୍କୁ ବି ମିଳିବ ଏହାର କ୍ରେଡିଟ୍। ଆଜିକାଲି ନାଟକର ନାଁ ସହିତ କାହାଣୀ କେତେକ କ୍ଷେତ୍ରରେ ଖାପ ଖାଉନଥିବା ହେତୁ ସେ ଚିନ୍ତା ପ୍ରକଟ କରିଛନ୍ତି। ଏଥିପାଇଁ ଯାତ୍ରାର ନାଟ୍ୟକାର ଓ ନିର୍ଦ୍ଦେଶକମାନେ ଅଧିକ ସଚେତନ ହେବା ଦରକାର ବୋଲି ଅଶ୍ରୁମୋଚନ କହନ୍ତି।

Comment