ଓଡ଼ିଶାଲାଇଭ୍‌ ବ୍ୟୁରୋ

ବି ଏସ୍ ୟେଦୁରପ୍ପା ଇସ୍ତଫା ଦେବା ପରେ କର୍ଣ୍ଣାଟକ ରାଜ୍ୟପାଳ ବାଜୁଭାଇ ବାଲା କଂଗ୍ରେସ-ଜେଡିଏସ୍‌ ମେଣ୍ଟକୁ ସରକାର ଗଠନ କରିବାକୁ ଡାକିଛନ୍ତି। ଏହି ମେଣ୍ଟର ଏଚ୍‌ ଡି କୁମାରସ୍ୱାମୀ ମୁଖ୍ୟମନ୍ତ୍ରୀ ଭାବେ ବୁଧବାର ଦିନ ୧୨ଟା୩୦ରେ ଶପଥ ଗ୍ରହଣ କରିବେ।

କୁମାର ସ୍ବାମୀ ସୋମବାର ଦିନ ଶପଥ ଗ୍ରହଣ କରିବା ପାଇଁ ପ୍ରଥମେ ନିଷ୍ପତ୍ତି ହୋଇଥିଲା। କିନ୍ତୁ ସେହିଦିନ ରାଜୀବ ଗାନ୍ଧିଙ୍କ ଶ୍ରାଦ୍ଧ ବାର୍ଷିକୀ ଥିବାରୁ ଶପଥ ଗ୍ରହଣ ଉତ୍ସବକୁ ବୁଧବାର ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି।

ଏହି ଶପଥ ଗ୍ରହଣ ଉତ୍ସବରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧି ଏବଂ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଉପସ୍ଥିତ ରହିବେ।

ଏଚ୍‌ଡି କୁମାରସ୍ୱାମୀ କହିଛନ୍ତି, “ଶପଥ ଗ୍ରହଣ ଉତ୍ସବକୁ ମୁଁ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଡାକିବି। ଏହାସହ ସୋନିଆ ଏବଂ ରାହୁଲ ଗାନ୍ଧିଙ୍କୁ ବ୍ୟକ୍ତିଗତ ଭାବେ ଫୋନ କରି ନିମନ୍ତ୍ରଣ କରିବି।”

୧୭ ତାରିଖରେ ୟେଦୁରପ୍ପା ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ସଂଖ୍ୟା ଗରିଷ୍ଠତା ଦେଖାଇବା ପାଇଁ ରାଜ୍ୟପାଳ ୟେଦୁରପ୍ପାଙ୍କୁ ୧୫ ଦିନ ସମୟ ଦେଇଥିଲେ। ଏନେଇ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲା କଂଗ୍ରେସ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ୟେଦୁରପ୍ପା ଆଜି ଆସ୍ଥା ଭୋଟର ସମ୍ମୁଖୀନ ହୋଇଥିଲେ। ହେଲେ ସଂଖ୍ୟା ଗରିଷ୍ଠତା ପ୍ରମାଣ କରିପାରି ନଥିବାରୁ ୟେଦୁରପ୍ପା ଇସ୍ତଫା ଦେଇଥିଲେ।

Comment