ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଲିଉଡ ସୁପରଷ୍ଟାର ବାବୁସାନ୍‌ ହିରୋ ଭାବେ ନେଇ ଫିଲ୍ମ ତିଆରି କରିବାକୁ ଅଧିକାଂଶ ନିର୍ମାତାଙ୍କ ଇଛା। ହେଲେ ଓଲିଉଡ ସୁପରଷ୍ଟାର ବାବୁସାନ୍‌ଙ୍କ କେତୋଟି ସିନେମା ଅଧାରେ ଅଟକି ରହିଛି।

ଆସନ୍ତୁ ଜାଣିବା ସେହିସବୁ ସିନେମା ସମ୍ପର୍କରେ…

ତତେ ସତରକୁ ମତେ ଅଠର

ଓଲିଉଡର ଓଣ୍ଡରବୟ ସଞ୍ଜୟ ନାୟକ ପ୍ରଥମେ ସୁପରଷ୍ଟାର ଉତ୍ତମ ମହାନ୍ତି ଓ ଲୋକପ୍ରିୟ ଅଭିନେତ୍ରୀ ଅପରାଜିତାଙ୍କ ସୁପୁତ୍ର ବାବୁସାନ୍‌ଙ୍କୁ ଲଞ୍ଚ୍ କରିବାକୁ ଚାହୁଁଥିଲେ।

ବାବୁସାନ୍‌ଙ୍କୁ ସଞ୍ଜୟ ବ୍ରେକ୍ ଦେବା ଲାଗି ସେ ଏକ ଓଡ଼ିଆ ସିନେମା କରିବାର ଯୋଜନା କରିଥିଲେ। ଏହି ଫିଲ୍ମର ଟାଇଟଲ୍ ରଖା ଯାଇଥିଲା ‘ତତେ ସତରକୁ ମତେ ଅଠର’। ଏହାର ସ୍କ୍ରିପ୍ଟ କାମ ଶେଷ କରିଥିଲେ ନିର୍ଦ୍ଦେଶକ ସଞ୍ଜୟ । କିନ୍ତୁ କୌଣସି କାରଣରୁ ‘ତତେ ସତରକୁ ମତେ ଅଠର’ ରିଲିଜ୍ ହୋଇପାରିନଥିଲା।

ବାବୁଲା ବାରବୁଲା

ଓଲିଉଡ ସୁପରଷ୍ଟାର ବାବୁସାନ୍‌ଙ୍କର ଏକ ସୁପରହିଟ୍ ଫିଲ୍ମ ହେଲା ‘ଯିଏ ଯାହା କହୁ ମୋ’ର ଢ଼ୋ’। ଏହାର ପ୍ରଯୋଜକ ଥିଲେ ସନ୍ଦୀପ ରାଉତରାୟ। ମୃତ୍ୟୁଞ୍ଜୟ ସାହୁ (ବାପି) ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ। ଏଥିରେ ଓଲିଉଡ ସୁପରଷ୍ଟାର ବାବୁସାନ୍‌ଙ୍କ ଅପୋଜିଟ୍‌ରେ ନଜର ଆସିଥିଲେ ଡେବ୍ୟୁଟାଣ୍ଟ ଶୀତଲ।

‘ଯିଏ ଯାହା କହୁ ମୋ ଢ଼ୋ’ର ସଂଳାପ ଲେଖିଥିଲେ ନିର୍ମଳ ନାୟକ। ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ହିଟ୍ କମ୍ପୋଜର ଅଭିଜିତ ମଜୁମଦାର।

ଓଲିଉଡ ସୁପରଷ୍ଟାର ବାବୁସାନଙ୍କ ଅଭିନୀତ ‘ଯିଏ ଯାହା କହୁ ମୋର ଢ଼ୋ’ର ବ୍ୟାବସାୟିକ ସଫଳତା ହାସଲ କରିବା ପରେ ପ୍ରଯୋଜକ ସନ୍ଦୀପ ରାଉତରାୟ ଆଉ ଏକ ଓଡ଼ିଆ ଛବିର ନିର୍ମାଣ କରୁଥିଲେ। ଏହାର ଟାଇଟଲ୍‌ ଥିଲା ‘ବାବୁଲା ବାରବୁଲା’।

ଏହି ସିନେମାରେ ଓଲିଉଡ ସୁପରଷ୍ଟାର ବାବୁସାନ୍‌ ବିନିଥାନ୍ତେ ବାବୁଲା। ଆଉ ଏହି ଫିଲ୍ମରେ ପୁଣି ଶୀତଲଙ୍କୁ ମଧ୍ୟ ନିଆଯାଇଥିଲା। ‘ବାବୁଲା ବାରବୁଲା’ର ସ୍କ୍ରିପ୍ଟ କାମ ବି ସରିଥିଲା। ମ୍ୟୁଜିକ୍ କମ୍ପୋଜିସନ୍ ବି ସରିଥିଲା। ହେଲେ ଫିଲ୍ମର ସୁଟିଂ ଆରମ୍ଭ ହୋଇପାରିନଥିଲା। ଫଳତଃ ଓଲିଉଡ ସୁପରଷ୍ଟାର ବାବୁସାନ୍‌ଙ୍କ ଏହି ସିନେମା ଅଧାରେ ଅଟକି ରହିଥିଲା।

ପ୍ରେମୀ

ସାଉଥ୍‌ର ଜଣାଶୁଣା ବ୍ୟକ୍ତି କେଭି ରମୟା ଏକ ଓଡ଼ିଆ ସିନେମା ନିର୍ମାଣ କରୁଥିଲେ। ଏହାର ଟାଇଟଲ୍ ରଖାଯାଇଥିଲା ‘ପ୍ରେମୀ’। ଏଥିରେ ଟାଇଟଲ୍‌ ରୋଲ୍‌ରେ ନଜର ଆସିଥାନ୍ତେ ଓଲିଉଡ ସୁପରଷ୍ଟାର୍ ବାବୁସାନ୍।

‘ପ୍ରେମୀ’ରେ ବାବୁସାନ୍‌ଙ୍କ ଅପୋଜିଟ୍‌ରେ ନିଆଯାଇଥିଲା ଦୁଇ ଜଣ ନାୟିକାଙ୍କୁ। ଏମାନଙ୍କ ଭିତରୁ ଜଣେ ହେଲେ ଝିଲିକ୍ ଓ ଅନ୍ୟ ଜଣକ ରାଗିଣୀ। ଏହି ଫିଲ୍ମର ସଂଳାପ ଲେଖିଥିଲେ ରଣଜିତ ପଟ୍ଟନାୟକ। ପ୍ରେମ ଆନନ୍ଦ ଥିଲେ ଏହାର ସଙ୍ଗୀତ ନିର୍ଦ୍ଦେଶକ।

ପ୍ରେମୀ’ରେ ଶୁଭ ମହୁରତ୍ କଟକର ଗଡ଼ଗଡେଶ୍ୱର ମହାଦେବ ମନ୍ଦିର ପରିସର ଅନୁଷ୍ଠିତ ହୋଇଥିଲା। ତା’ପରେ ଫିଲ୍ମର ସୁଟିଂ ବି ଆରମ୍ଭ ହୋଇଥିଲା। ହେଲେ ଓଲିଉଡ଼ ସୁପରଷ୍ଟାର ବାବୁସାନ୍‌ଙ୍କ ଅଭିନୀତ ‘ପ୍ରେମୀ’ର ସୁଟିଂ କିଛି ଦିନ ପରେ ବନ୍ଦ ହୋଇଗଲା।

ଏହା ପରେ ‘ପ୍ରେମୀ’ର କାମ ଆଉ ଆଗକୁ ଯାଇପାରିଲା ନାହିଁ। ପରିଣାମ ସ୍ୱରୂପ ସଲିଉଡ ସୁପରଷ୍ଟାର ବାବୁସାନଙ୍କ ଏହି ସିନେମା ବି ରିଲିଜ୍ ହୋଇପାରିଲା ନାହିଁ।

ଦଣ୍ଡାବାଳୁଙ୍ଗା

ଓଲିଉଡର ଜଣାଶୁଣା ପ୍ରଯୋଜନା ସଂସ୍ଥାର ‘ବ୍ରଜରାଜ ମୁଭିଜ୍’ର ଏକ ସୁପରହିଟ୍ ଫିଲ୍ମ ହେଲା ଦଣ୍ଡାବାଳୁଙ୍ଗା। ଏହା ୧୯୮୪ ମସିହାରେ ରିଲିଜ୍ ହୋଇଥିଲା।

ବସନ୍ତ ନାୟକଙ୍କ ପ୍ରଯୋଜିତ ତଥା ମହମ୍ମଦ ମହସୀନଙ୍କ ନିର୍ଦ୍ଦେଶିତ ଦଣ୍ଡା ବାଳୁଙ୍ଗାରେ ଉତ୍ତମ ମହାନ୍ତି, ଅପରାଜିତା ଓ ବିଜୟ ମହାନ୍ତି ମେନ୍ ଲିଡ୍‌ରେ ଥିଲେ। ଏଥିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଚିର ସବୁଜ ଅକ୍ଷୟ ମହାନ୍ତି। ଏହାର ସଂଳାପ ଲେଖିଥିଲେ ସୁବୋଧ ପଟ୍ଟନାୟକ।

ପ୍ରାୟ ୩୦ ବର୍ଷ ପରେ ବ୍ରଜରାଜ ମୁଭିଜ୍ ‘ଦଣ୍ଡାବାଳୁଙ୍ଗା’ର ରିମେକ୍‌ ତିଆରି କରିବାକୁ ପ୍ରସ୍ତୁତ ଆରମ୍ଭ କରିଥିଲେ। ଏଥିପାଇଁ ଓଲିଉଡ ସୁପରଷ୍ଟାର ବାବୁସାନ୍‌ଙ୍କୁ ହିରୋ ଭାବେ ନେଇଥିଲେ। ଫିଲ୍ମର ନିର୍ଦ୍ଦେଶନା ଦେବାର ଦାୟିତ୍ୱ ମିଳିଥିଲା ଆଜିକାର ଚର୍ଚ୍ଚିତ ନିର୍ଦ୍ଦେଶକ ତାପସ ସରଘରିଆ।

ଦଣ୍ଡାବାଳୁଙ୍ଗାର ସଙ୍ଗୀତ ନିର୍ଦ୍ଦେଶକ ଥିଲେ ଅଭିଜିତ ମଜୁମଦାର। ଏହାର ସଂଳାପ ଲେଖିଥିଲେ ରଣଜିତ୍ ପଟ୍ଟନାୟକ। ଫିଲ୍ମର ସ୍କ୍ରିପ୍ଟ କାମ ସରିଥିଲା ଓ କେତୋଟି ଗୀତର କମ୍ପୋଜିସନ୍ ବି ସରିଥିଲା। କିନ୍ତୁ ଓଲିଉଡ ସୁପରଷ୍ଟାର ବାବୁସାନ୍‌ ‘ଦଣ୍ଡାବାଳୁଙ୍ଗା’ର ସୁଟିଂ ଆରମ୍ଭ ହୋଇନଥିଲା। ଏହା ଆଜି ଯାଏଁ ଅଟକି ରହିଛି।

Comment