ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡ ଷ୍ଟାରଙ୍କ ଭଳି କେତେକ ଓଲିଉଡ ଷ୍ଟାର୍ ବି ସମାଜସେବାରେ ବେଶ୍ ସକ୍ରିୟ ଅଛନ୍ତି। କିଏ ବୃକ୍ଷରୋପଣ କରି ଜନସଚେତନତା ସୃଷ୍ଟି କରିଛନ୍ତି ତ ପୁଣି କିଏ ଅନଗ୍ରସର ମହିଳାମାନଙ୍କ ଉନ୍ନତିମୂଳକ କାର୍ଯ୍ୟ କରୁଥିବା ସଙ୍ଗଠନ ସହିତ ଜଡ଼ିତ ହୋଇ ସମାଜସେବା କରିଛନ୍ତି।

ଆସନ୍ତୁ ଜାଣିବା ସେହି ଭଳି ଦୁଇ ଜଣ ଓଲିଉଡ ଷ୍ଟାର୍ ହିରୋଇନଙ୍କ ବିଷୟରେ ଯେଉଁମାନେ ସମାଜସେବା ସହିତ ସମ୍ପୃକ୍ତ ଅଛନ୍ତି।

ଅନୁ ଚୌଧୁରୀ

ଦୀର୍ଘ ଦୁଇ ଦଶକରୁ ଅଧିକ ସମୟ ହେବ ନାୟିକା ଭାବେ ଓଲିଉଡରେ ରାଜ୍ କରିଛନ୍ତି ଅନୁ ଚୌଧୁରୀ। ଏହି ଓଲିଉଡ ଷ୍ଟାର୍ ଫ୍ୟାନ୍ ଫଲୋଅର୍ସ ବି କିଛି କମ୍ ନୁହନ୍ତି। ସେ ବହୁ ହିଟ୍, ସୁପରହିଟ୍ ଫିଲ୍ମ ଦେଇ ଦର୍ଶକଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ଅକ୍ତିଆର କରିଛନ୍ତି। ଅଭିନେତ୍ରୀରୁ ଏକ ନୂଆ ପରିଚୟ ଭିତରେ ବାନ୍ଧି ହୋଇଛନ୍ତି ଓଲିଉଡ ଷ୍ଟାର୍ ଅନୁ। ସେ ଭାରତୀୟ ଜନତା ପାର୍ଟିର ସଦସ୍ୟତା ଗ୍ରହଣ କରି ରାଜନେତା ବନିଯାଇଛନ୍ତି।

ଏସବୁ ଭିତରେ ଓଲିଉଡ୍ ଷ୍ଟାର୍ ଅନୁ ଚୌଧୁରୀ ଗୋଟିଏ କଥା ବି ଭୁଲି ନାହାନ୍ତି। ତାହା ହେଲା ଯେ ସେ ସମାଜସେବାକୁ ଛାଡ଼ି ନାହାନ୍ତି। ଅନୁ ମାନସିକ ସ୍ତରରେ ଅନଗ୍ରସର ମହିଳାମାନଙ୍କ ପାଇଁ ବିକାଶ ପାଇଁ କାର୍ଯ୍ୟ କରୁଥିବା ଏକ ସଙ୍ଗଠନ ସହିତ ଯୋଡ଼ି ହୋଇଛନ୍ତି। ଏହି ସଙ୍ଗଠନର ନାଆଁ ହେଲା ମିଶନ୍ ଆଶ୍ରା। ଏହି ସଂସ୍ଥା ଜରିଆରେ ଓଲିଉଡ ଷ୍ଟାର ବିଭିନ୍ନ ମହିଳାଙ୍କର ସୁଧାର ଆଣୁଛନ୍ତି।

ଓଲିଉଡ଼ ଷ୍ଟାର୍‌ ଅନୁ ଚୌଧୁରୀ ଅନ୍ୟ ଏକ ସ୍ୱେଚ୍ଛାସେବୀ ସଂସ୍ଥା ସହିତ ବି ଜଡ଼ିତ। ମହିଳାମାନଙ୍କ କଲ୍ୟାଣ ପାଇଁ କାର୍ଯ୍ୟରତ ସଂଗଠନ ପରିଚୟ ଜରିଆବି ନାରୀ କଲ୍ୟାଣ କାର୍ଯ୍ୟରେ ନିଜକୁ ନିୟୋଜିତ କରିଛନ୍ତି। ଏହି ସଂସ୍ଥା ଦ୍ୱାରା ପରିଚାଳିତ ଏକ କାର୍ଯ୍ୟକ୍ରମ ଟିଚ୍‌-ଏଡ୍‌ସର ବ୍ରାଣ୍ଡ୍ ଆମ୍ବାସାଡ଼ର ରୂପେ ମଧ୍ୟ କାର୍ଯ୍ୟ କରିଛନ୍ତି।

ଓଲିଉଡ଼ ଷ୍ଟାର୍ ଅନୁ ଚୌଧୁରୀ ନିରାପଦ ମାତୃତ୍ୱ ଭଳି ଏକ ସମାଜସେବା କାର୍ଯ୍ୟରେ ନିଜକୁ ନିୟୋଜିତ କରିଛନ୍ତି। ଏତଦ୍‌ ବ୍ୟତୀତ ତାଙ୍କୁ କେତେକ ସମୟରେ ଭିନ୍ନ ଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ଦ୍ୱାରା ଆୟୋଜିତ ସମାଜସେବୀ ମୂଳକ କାର୍ଯ୍ୟକ୍ରମରେ ବି ଦେଖିବାକୁ ମିଳିଥାଏ। ଏହି ଓଲିଉଡ଼୍ ଷ୍ଟାର୍ ରାଜନୀତିରେ ଯୋଗ ଦେବା ପଛରେ ବି ଲୋକଙ୍କ ସହିତ ଜଡିତ ହେବା ଓ ସମାଜସେବା କରିବାର ଉଦ୍ଦେଶ୍ୟ ରହିଛି ବୋଲି କହିଥିଲେ।

ଅର୍ଚ୍ଚିତା

ଓଲିଉଡ଼୍ ଷ୍ଟାର୍ ହିରୋଇନ୍ ଅର୍ଚ୍ଚିତା ପ୍ରାୟ ତେର ବର୍ଷ ଧରି ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ସହିତ ଜଡ଼ିତ। ସେ ବ୍ୟାବସାୟିକ ସ୍ତରରେ କେତେକ ବ୍ରାଣ୍ଡକୁ ପ୍ରମୋଟ୍ କରୁଛନ୍ତି। ତା’ ସାଙ୍ଗକୁ ସେବା ମନୋବୃତ୍ତି ଦେଇ ବି କେତେକ ସାମାଜିକ କାର୍ଯ୍ୟରେ ନିବୃତ୍ତ ରହୁଥିବାର ଦେଖିବାକୁ ମିଳୁଛି।

ରାଜନେତା ତଥା ସମାଜସେବୀ ଦିଲୀପ ଶ୍ରୀଚନ୍ଦନଙ୍କ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ପ୍ରେରଣା’ର କେତେକ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ଓଲିଉଡ଼୍ ଷ୍ଟାର୍ ଅର୍ଚ୍ଚିତା। ବିଶେଷ ଏହି ଅନୁଷ୍ଠାନ ପକ୍ଷରୁ କରାଯାଉଥିବା ବୃକ୍ଷରୋପଣ କାର୍ଯ୍ୟକ୍ରମରେ ବହୁବାର ସାମିଲ ହୋଇଛନ୍ତି ଏହି ଓଲିଉଡ଼୍ ଷ୍ଟାର୍। ସେ ଏହା ଜରିଆରେ ସମାଜରେ ଗଛ ଲଗାଇବା ଏକ ମହତ୍ କାର୍ଯ୍ୟ ବୋଲି ଜଣାଇବାକୁ ଚାହାଁନ୍ତି।

ଏହାଛଡ଼ା ଏହି ଉଲିଉଡ଼୍ ଷ୍ଟାର୍ ଓଡ଼ିଶା ସରକାରଙ୍କ ଶିଶୁ ଶ୍ରମିକ ଉଚ୍ଛେଦ ଅଭିଯାନରେ ବି ସାମିଲ୍ ହୋଇଛନ୍ତି। ଶିଶୁ ଶ୍ରମିକ ବନ୍ଦ କରିବାକୁ ଆହ୍ୱାନ ଦେଇଛନ୍ତି ଓଲିଉଡ଼ ଷ୍ଟାର ଅର୍ଚ୍ଚିତା।

ଖାଲି ସେତିକି ନୁହେଁ ଓଲିଉଡ଼୍ ଷ୍ଟାର ଅର୍ଚ୍ଚିତା ଜନସାଧାରଣଙ୍କୁ ଟ୍ରାଫିକ୍ ନିୟମ ମାନି ଚଳିବା ଲାଗି ସଚେତନ କରିବା ଉଦ୍ଦେଶ୍ୟରେ କମିଶନରେଟ୍ ପୋଲିସ ସହିତ ହାତ ମିଳାଇଥିଲେ। ବିଶେଷ କରି ଯେତେବେଳେ ସେ ବିରଞ୍ଚି ନାରାୟଣ ପଣ୍ଡାଙ୍କ ନିର୍ଦ୍ଦେଶିତ ‘ଏସିପି ସାଗରିକା’ ସିନେମାରେ ଟାଇଟଲ୍ ରୋଲ୍ କରିଥିଲେ, ସେତେବେଳେ ଏହି କାର୍ଯ୍ୟରେ ମନୋନିବେଶ କରିଥିଲେ।

କର୍କଟ ରୋଗରେ ପୀଡ଼ିତ ଲୋକଙ୍କୁ ମଧ୍ୟ ସହଯୋଗର ହାତ ବଢ଼ାଇଛନ୍ତି ଓଲିଉଡ଼୍ ଷ୍ଟାର ଅର୍ଚ୍ଚିତା। ଏହା ବାଦ୍‌ ଓଲିଉଡ଼ର ଷ୍ଟାର ହିରୋଇନ ଅର୍ଚ୍ଚିତା କେତେବେଳେ ଏଡ୍‌ସ ସଚେତନତା ଉଦ୍ଦେଶ୍ୟରେ ଗଣଦୌଡ଼ରେ ବି ସାମିଲ୍ ହୋଇଛନ୍ତି। ପ୍ରକୃତରେ ଜଣେ ସାମାଜିକ କର୍ମୀ ଭାବେ ତାଙ୍କର ଯଥେଷ୍ଟ ସୁନାମ ରହିଛି ଓଡ଼ିଶାରେ।

Comment