ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

୧୦ଟି ରାଜ୍ୟର ୧୪ଟି ଆସନରେ ହୋଇଥିବା ଉପ-ନିର୍ବାଚନ ଫଳାଫଳରୁ ଆସିଛି ବଡ଼ ରାୟ। ବିଜେପି ବିଜୟରେ ଲାଗିଛି ବ୍ରେକ।

ଆଛେ ଦିନ୍‌ର ସ୍ଲୋଗାନ ଦେଉଥିବା ବିଜେପି ପାଇଁ ଏବେ ବୁରା ଦିନ୍ ଚାଲିଛି। କର୍ଣ୍ଣାଟକରେ ସରକାର ଗଠନ କରିବାରେ ବିଜେପି ଫେଲ୍ ମାରିବା ପରେ ଏବେ ୧୦ଟି ରାଜ୍ୟର ୧୪ଟି ଆସନରେ ହୋଇଥିବା ଉପ-ନିର୍ବାଚନରେ ବି ବିଜେପି ଯାଦୁ କାମ କରିନି। କେବଳ ଦୁଇଟି ଆସନକୁ ଛାଡ଼ିଦେଲେ ଆଉ ସବୁଠି ବିଜେପି ବିରୋଧୀ ପ୍ରାର୍ଥୀଙ୍କ ବିଜୟ ହୋଇଛି।

କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପରେ ୧୦ଟି ରାଜ୍ୟରେ ହୋଇଥିଲା ଉପ-ନିର୍ବାଚନ। ୪ଟି ଲୋକସଭା ଏବଂ ୧୦ଟି ବିଧାନସଭା ଆସନ ପାଇଁ ହୋଇଥିଲା ଉପ-ନିର୍ବାଚନ। ଏହି ଉପ-ନିର୍ବାଚନର ଫଳ ଆଜି ପ୍ରକାଶ ପାଇଛି। ସବୁଠି ବିଜେପିକୁ ନିରାଶ ହେବାକୁ ପଡ଼ିଛି।

ହରିୟାଣାର କୈରାନା ଲୋକସଭା ଆସନ ପାଇଁ ହୋଇଥିଲା ଉପ-ନିର୍ବାଚନ। ବିଜେପି ପ୍ରାର୍ଥୀ ମୃଗାଙ୍କା ସିଂହ ଏବଂ ଆର୍‌ଏଲଡିର ତବସୁମ ହାସନଙ୍କ ଭିତରେ ହୋଇଥିଲା କଡ଼ା ଟକ୍କର। କିନ୍ତୁ ଏଠାରେ ବିଜେପି ପ୍ରାର୍ଥୀଙ୍କୁ ନିରାଶ ହେବାକୁ ପଡ଼ିଛି। ଆର୍‌ଏଲଡି ପ୍ରାର୍ଥୀ ତବସୁମ ବିଜୟୀ ହୋଇଛନ୍ତି।

ମହାରାଷ୍ଟ୍ରର ଭଣ୍ଡାରା-ଗୋଁଦିଆ ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ହେମନ୍ତ ପଟେଲ ପରାଜିତ ହୋଇଥିବା ବେଳେ ଏନସିପି ପ୍ରାର୍ଥୀ ମଧୁକରାବ କୁକଡେ ବିଜୟୀ ହୋଇଛନ୍ତି। ଉତ୍ତରପ୍ରଦେଶର ନୁରୁପୁରରେ ବି ବିଜେପି ପରାଜିତ ହୋଇଥିବା ବେଳେ ସମାଜବାଦୀ ପାର୍ଟିର ସେଠି ବିଜୟ ବାନା ଉଡ଼ିଛି।

ବିହାର ଜୋକିହାଟ ବିଧାନସଭା ଆସନରେ  ହୋଇଥିବା ଉପ-ନିର୍ବାଚନରେ ବି ବିଜେପିକୁ ଝଟକା ଲାଗିଛି। ଏଠାରେ ଆରଜେଡିର ଶାହନୱାଜ ଆଲମ୍ ବିଜୟୀ ହୋଇଛନ୍ତି। ସେହିପରି ପଶ୍ଚିମବଙ୍ଗର ମହେସ୍ତାଲାରେ ହୋଇଥିବା ଉପ-ନିର୍ବାଚନରେ ପଦ୍ମ ଫୁଟିନି। ଏହି ଉପ-ନିର୍ବାଚନରେ ଦିଦିଙ୍କ ଜଲୱା ପୁଣି ଦେଖିବାକୁ ମିଳିଛି।

ସେହିପରି ପଞ୍ଜାବରେ କଂଗ୍ରେସ ପ୍ରାର୍ଥୀ ବିଜୟୀ ହୋଇଥିବା ବେଳେ କର୍ଣ୍ଣାଟକ, ମେଘାଳୟରେ ବି କଂଗ୍ରେସ ଜିତିଛି। କେରଳର ଚେଙ୍ଗନୁରରେ ସିପିଆଇ(ଏମ୍‌) ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ଝଡ଼ଖଣ୍ଡର ଦୁଇଟି ଆସନରେ ଜେଏମ୍‌ଏମ୍‌ ପ୍ରାର୍ଥୀ ବିଜୟ ହାସଲ କରିଛନ୍ତି। କେବଳ ମହାରାଷ୍ଟ୍ରର ପାଲଘର ଆସନ ଏବଂ ଉତ୍ତରାଖଣ୍ଡ ଥାରାଲିରେ  ବିଜେପି ପ୍ରାର୍ଥୀ ଜିତିଛନ୍ତି।

୧୦ଟି ରାଜ୍ୟର ୧୪ଟି ଆସନରେ ହୋଇଥିବା ଉପ-ନିର୍ବାଚନରେ ବିଜେପି ମାତ୍ର ୨ଟି ଆସନ କବ୍‌ଜା କରିଛି। ଆଉ ସବୁଠି ବିଜେପି ବିରୋଧୀ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ଏହି ବିରୋଧୀମାନେ କର୍ଣ୍ଣାଟକରେ ଏଚ୍‌ ଡି କୁମାରସ୍ୱାମୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେଇଥିଲେ। ଗୋଟିଏ ମଞ୍ଚରେ ଏକାଠି ହୋଇ ଶକ୍ତି ପ୍ରଦର୍ଶନ କରିଥିଲେ।

Comment