ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ୍ ବ୍ୟୁରୋ

ପିଲାଦିନରୁ ସମସ୍ତଙ୍କର କିଛି ନା କିଛି ଲକ୍ଷ୍ୟ ଥାଏ। କିଏ ବଡ଼ ହେଲେ ଶିକ୍ଷକ ହେବେ ତ ପୁଣି ଡାକ୍ତର ହେବାର ସ୍ୱପ୍ନ ଦେଖିଥାନ୍ତି। ଏଥିରୁ ବାଦ୍ ପଡ଼ିନାହାନ୍ତି ଆମ ଓଲିଉଡର ନାୟିକାମାନେ।

ଆସନ୍ତୁ ଜାଣିବା କେଉଁ ନାୟିକାମାନେ ଏହି ଶ୍ରେଣୀରେ ଅଛନ୍ତି।

ଶୀତଲ୍

ଓଲିଉଡର ଚୁଲବୁଲି ନାୟିକା ଶୀତଲ୍ ନବମ ଶ୍ରେଣୀରେ ପଢ଼ୁଥିବା ବେଳେ ହିଁ ହିରୋଇନ୍ ବନିଥିଲେ। ତାଙ୍କ ଅଭିନୀତ ପ୍ରଥମ ଓଡ଼ିଆ ସିନେମା ହେଲା ‘ଯିଏ ଯାହା କହୁ ମୋର ଢୋ’। ସନ୍ଦୀପ ରାଉତରାୟଙ୍କ ପ୍ରଯୋଜିତ ତଥା ମୃତ୍ୟୁଞ୍ଜୟ ସାହୁ (ବାପି)ଙ୍କ ନିର୍ଦ୍ଦେଶିତ ଏହି ସିନେମାରେ ବାବୁସାନଙ୍କ ଅପୋଜିଟରେ ନଜର ଆସିଥିଲେ ଶୀତଲ୍।

ଶୀତଲଙ୍କର ପିଲାଦିନରୁ ଇଚ୍ଛା ହେଲା ସେ ଡାକ୍ତର ହେବେ। ଏଥିପାଇଁ ସେ ଏବେ ବି ପ୍ରୟାସ ଜାରି ରଖିଛନ୍ତି। ଶୀତଲ୍ ବର୍ତ୍ତମାନ ବଟାନି ଅନର୍ସ ରଖି ଯୁକ୍ତ ତିନି ପଢ଼ୁଛନ୍ତି। ହେଲେ ସେ  ନିଟ୍ ଏଣ୍ଟ୍ରାନ୍ସ ବି ଦେଉଛନ୍ତି। ଶୀତଲଙ୍କର ପ୍ରଥମ ପ୍ରେମ ହେଉଛି ନୃତ୍ୟ। ନୃତ୍ୟ ସାଙ୍ଗକୁ ଖୁବ୍ ଭଲ ଅଭିନୟ ବି କରି ଦର୍ଶକଙ୍କ ମନ ଜିଣିଛନ୍ତି ଓଲିଉଡର ଚୁଲବୁଲି ନାୟିକା ଶୀତଲ।

ସୂରମୟୀ

ସୂରମୟୀ ହେଉଛନ୍ତି, ଆଉ ଜଣେ ଓଲିଉଡ୍ ହିରୋଇନ୍, ଯିଏ କି ବହୁଦିନରୁ ଡାକ୍ତର ହେବାର ସ୍ଵପ୍ନ ଦେଖିଛନ୍ତି। ଏହା କେବଳ ତାଙ୍କର ଅଭିଳାଷ ନୁହେଁ, ତାଙ୍କ ପିତାମାତାଙ୍କର ମଧ୍ୟ ଇଚ୍ଛା।

ସୂରମୟୀ ମେଡିକାଲ୍ ଏଣ୍ଟ୍ରାନ୍ସ ପାଇଁ କୋଚିଂ ମଧ୍ୟ ନେଇଥିଲେ। ସେ ସୁଦୂର ବିଶାଖାପାଟଣାରେ ଏକ ନାମୀ ଅନୁଷ୍ଠାନରେ କୋଚିଂ ନେଉଥିଲେ। ହେଲେ ସେଥିରେ କୃତକାର୍ଯ୍ୟ ହୋଇପାରିନାହିଁ।

ସୂରମୟୀଙ୍କର ପ୍ରକୃତ ନାମ ହେଲା ସୂର୍ଯ୍ୟମୟୀ ମହାପାତ୍ର ସେ ‘ଭଲପାଏ ତତେ  ୧୦୦ରୁ ୧୦୦’ ଟାଇଟଲରେ ନିର୍ମିତ ଏକ ଓଡ଼ିଆ ସିନେମାରୁ କ୍ୟାରିଅର୍ ଆରମ୍ଭ କରିଥିଲେ। ଏଥିରେ ତାଙ୍କର ହିରୋ ଥିଲେ ଷ୍ଟାରସନ୍ ବାବୁସାନ୍।

ଏହାପରେ ସୂରମୟୀ ‘ଆଖି ଖୋଲିଲେ ତୁ ହି ତୁ’ ଏବଂ ‘ଶକ୍ତି’ ଭଳି ଓଡ଼ିଆ ସିନେମାରେ ବି ନାୟିକା ଭୂମିକାରେ ନଜର ଆସିଛନ୍ତି।

ଶିବାନୀ

ଟେଲିଭିଜନ ଦୁନିଆର ଜଣେ ଶିଶୁ କଳାକାର ଥିଲେ ନିକି ଓରଫ୍ ଶିବାନୀ। ତାଙ୍କୁ ତରଙ୍ଗ ସିନେ ପ୍ରଡକ୍ସନସ ‘ସିଷ୍ଟର ଶ୍ରୀଦେବୀ’ ଚଳଚ୍ଚିତ୍ରରେ ହିରୋଇନ୍ ଭାବେ ବ୍ରେକ୍ ଦେଇଥିଲେ।

‘ସିଷ୍ଟର ଶ୍ରୀଦେବୀ’ରେ ଓଲିଉଡ ସୁପରଷ୍ଟାର୍ ବାବୁସାନଙ୍କ ଅପୋଜିଟରେ ନଜର ଆସିଥିଲେ ଶିବାନୀ। ଏହାପରେ ଶିବାନୀଙ୍କୁ ଅନୁଭବଙ୍କ ବିପକ୍ଷରେ ଫିଲ୍ମ ‘ପ୍ରେମ କୁମାର’ରେ ନାୟିକା ଭୂମିକା ମିଳିଥିଲା। କିନ୍ତୁ ଏହି ସିନେମାଟି ଅଧାରେ ଅଟକିଛି।

ଶିବାନୀଙ୍କ ବାପାଙ୍କ ଇଚ୍ଛା ତାଙ୍କ ଝିଅ ଜଣେ ଡାକ୍ତର ହେଉ। ଏଯାଏଁ ସେ ରିଅଲ୍ ଲାଇଫରେ ଡାକ୍ତରାଣୀ ହୋଇପାରିନାହାନ୍ତି। କିନ୍ତୁ ସିଷ୍ଟର ଶ୍ରୀଦେବୀ ଫିଲ୍ମରେ ଡାକ୍ତରାଣୀ ଭୂମିକାରେ ଅଭିନୟ କରିସାରିଛନ୍ତି। ଶିବାନୀ କହନ୍ତି ଯେ ଏଥିରେ ତାଙ୍କୁ ଡାକ୍ତରାଣୀ ଭୂମିକା ମିଳିଥିବାରୁ ବାପା ଖୁବ୍ ଖୁସି ହୋଇଥିଲେ।

Comment