ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଭାରତ ପରେ ଏବେ ଚୀନରେ ରିଲିଜ୍‌ ହେବାକୁ ଯାଉଛି ହିନ୍ଦୀ ସିନେମା ‘ଟଏଲେଟ୍‌ – ଏକ ପ୍ରେମ କଥା’। ଏହି ସିନେମା ଆସନ୍ତା ଜୁନ୍‌ ୮ରୁ ଚୀନରେ ସିନେମା ହଲ୍‍ରେ ଦେଖିବାକୁ ମିଳିବ।

ଆଜିକାଲି ଚୀନ୍‌ ସିନେ ବଜାରରେ ଭାରତୀୟ ସିନେମାର ଖୁବ୍‌ ଚାହିଦା ଦେଖିବାକୁ ମିଳୁଛି। ଆମିର ଖାନ୍‌ ଓ ସଲମାନ ଖାନଙ୍କ କିଛି ଚଳଚ୍ଚିତ୍ର ମଧ୍ୟ ଆଗରୁ ଚୀନରେ ରିଲିଜ୍‌ ହୋ‌ଇସାରିଛି। ‘ସିକ୍ରେଟ ସୁପରଷ୍ଟାର’, ‘ବଜରଙ୍ଗୀ ଭାଇଜାନ’, ‘ହିନ୍ଦୀ ମିଡିୟମ’, ‘ବାହୁବଲି-୨’ ପରେ ‘ଟଏଲେଟ୍‌ – ଏକ ପ୍ରେମ କଥା’ ମଧ୍ୟ ଚୀନରେ ଦର୍ଶକମାନଙ୍କର ବେଶ୍‌ ପସନ୍ଦ ଆସିବ ବୋଲି ଆଶା କରାଯାଉଛି। ଅକ୍ଷୟ କୁମାରଙ୍କ ଏହି ସିନେମା ‘ଟଏଲେଟ୍‌ ହିରୋ’ ନାମରେ ଚୀନ୍‌ରେ ରିଲିଜ୍‌ ହେବାକୁ ଯାଉଛି।

ଅରୁଣ ଭାଟିଆଙ୍କ ଦ୍ୱାରା ପ୍ରଯୋଜିତ ସିନେମା ‘ଟଏଲେଟ୍‌ – ଏକ ପ୍ରେମ କଥା’ ଏକ ହାସ୍ୟ-ରସାତ୍ମକ ବ୍ୟଙ୍ଗ ଚଳଚ୍ଚିତ୍ର ଯାହାର ବିଷୟବସ୍ତୁ ଗାଁ ଅଞ୍ଚଳର ସ୍ୱଚ୍ଛତା ବିଷୟକୁ ନେଇ ତିଆରି କରାଯାଇଛି।

ମଥୁରା ଅଞ୍ଚଳରେ ରହୁଥିବା କେଶବ (ଅକ୍ଷୟ କୁମାର)ଙ୍କ କାହାଣୀ, ଯିଏ ଜଣେ ମାଙ୍ଗଳିକ ବ୍ୟକ୍ତିର ଚରିତ୍ରରେ ନଜର ଆସିଛନ୍ତି। ୩୬ ବର୍ଷ ବୟସ ହେବା ପରେ ଅକ୍ଷୟ କୁମାରଙ୍କ ସାକ୍ଷାତ ହୁଏ ଭୂମି ପେଡନେକର (ଜୟା)ଙ୍କ ସହିତ। କ୍ରମେ ଆରମ୍ଭ ହୁଏ ପ୍ରେମ ଓ ପ୍ରେମ ନିଏ ବିବାହର ରୂପ। କାହାଣୀର ମୁଖ୍ୟ କାହାଣୀ ଆରମ୍ଭ ହୁଏ ଯେତେବେଳେ ଜୟା ବିବାହ କରି ଶାଶୁଘରକୁ ଆସନ୍ତି ଓ ଦେଖନ୍ତି ଯେ ସେଠାରେ ଶୌଚାଳୟ ନାହିଁ। ଜୟା ଏପରି ଘରେ ରହିବାକୁ ପସନ୍ଦ କରିନାହାଁନ୍ତି। କାହାଣୀକ୍ରମେ ବହୁ ରୂଢ଼ିବାଦ ଚିନ୍ତାର ସାମନା କରିଛନ୍ତି ଉଭୟ କେଶବ ଓ ଜୟା । ଏହାହିଁ ଏହି ସିନେମାର ମୁଖ୍ୟ ବିଷୟବସ୍ତୁ।

ଅକ୍ଷୟ କୁମାର ଓ ଭୂମି ପେଡେନକରଙ୍କ ଅଭିନୀତ ଏହି ଚଳଚ୍ଚିତ୍ର ଭାରତରେ ୧୩୫ କୋଟି ଟଙ୍କା ରୋଜଗାର କରିପାରିଥିଲା। ଏହା ସିନେପ୍ରେମୀ ତଥା ସିନେ ସମୀକ୍ଷକମାନଙ୍କର ବେଶ୍‌ ପ୍ରଶଂସାର ସାଉଁଟି ଥିଲା।

ରିଲିଜ୍‌ ହେବାର ଆଠ ଦିନ ମଧ୍ୟରେ ବକ୍ସଅଫିସରେ ୮ କୋଟି ଟଙ୍କା ରୋଜଗାର କରିପାରିଥିଲା ଏହି ଚଳଚ୍ଚିତ୍ର। ୧୮ କୋଟି ଟଙ୍କାର ବ୍ୟୟରେ ନାରାୟଣ ସିଂଙ୍କ ନିର୍ଦ୍ଦେଶନାରେ ଏହି ଚଳଚ୍ଚିତ୍ର ନିର୍ମାଣ ହୋ‌ଇଥିଲା। ଏହା ବଲିଉଡର ଗତବର୍ଷ ରିଲିଜ୍‌ ହୋ‌ଇଥିବା ସୁପରହିଟ୍‌ ସିନେମାଗୁଡ଼ିକ ମଧ୍ୟରେ ଅନ୍ୟତମ। ଚୀନରେ ଦର୍ଶକ ‘ଟଏଲେଟ୍‌ – ଏକ ପ୍ରେମ କଥା’କୁ କେତେ ପସନ୍ଦ କରୁଛନ୍ତି, ତାହା ଦେଖିବାକୁ ବାକି ରହିଲା ।

Comment