ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ୍ ବ୍ୟୁରୋ

ସୁପରହିଟ୍ ହିନ୍ଦୀ ଫିଲ୍ମ ‘ୟାରାନା’ର ସର୍ବାଧିକ ଲୋକପ୍ରୀୟ ଗୀତ ‘ଛୁକର ମେରେ ମନ୍‌କୋ କିୟା ତୁନେ କ୍ୟା ଇସାରା…’ ଗୀତଟିର ନିର୍ମାଣ ପଛର କିଛି ରୋଚକ କଥା।

‘ଛୁକର ମେରେ ମନ୍‌କୋ କିୟା ତୁନେ କ୍ୟା ଇସାରା…’ ଏହା ହେଉଛି ସୁପରହିଟ୍ ହିନ୍ଦୀ ଫିଲ୍ମ ‘ୟାରାନା’ର ସର୍ବାଧିକ ଲୋକପ୍ରୀୟ ଗୀତ ୧୯୮୧ରେ ଫିଲ୍ମଟି ରିଲିଜ ହେବାବେଳେ ଏହି ଗୀତ ଯେଉଁଭଳି ଚହଳ ପକାଇଥିଲା, ଆଜି ଦୀର୍ଘ ୩୪ବର୍ଷ ପରେ ବି ଠିକ୍ ସେମିତି ଲୋକପ୍ରିୟ। ଏହି ଗୀତର ସଙ୍ଗୀତକାର ହେଲେ ରାଜେଶ୍ ରୋଶନ୍, ଗୀତ ରଚନା କରିଥିଲେ ଅନ୍‌ଜାନ୍ ଏବଂ ଏଥିରେ କଣ୍ଠଦାନ କରିଥିଲେ ଏଭରଗ୍ରୀନ୍ ସିଙ୍ଗର କିଶୋର କୁମାର। ଏହି ଗୀତଟି ସୁପରଷ୍ଟାର୍ ଅମିତାଭ ବଚ୍ଚନ ଓ ନୀତୁ ସିଂଙ୍କ ଉପରେ ପିକଚରାଇଜ୍ ହୋଇଥିଲା।

ଯେଉଁମାନେ ‘ୟାରାନା’ ଦେଖିଛନ୍ତି, ସେମାନେ ଭଲ ଭାବେ ଜାଣନ୍ତି ଯେ ଏହାର କଥାବସ୍ତୁ ଦୁଇ ସାଙ୍ଗ କିଶନ୍ (ଅମିତାଭ ବଚ୍ଚନ) ଓ ବିଶନ୍ (ଅମ୍‌ଜାଦ୍ ଖାନ)ଙ୍କ ବନ୍ଧୁତା ଉପରେ ଆଧାରିତ। ଫିଲ୍ମରେ ନାୟକ, ନାୟିକାଙ୍କ ରୋମାନ୍ସ ନାହିଁ କହିଲେ ଚଳେ। ନିର୍ଦ୍ଦେଶକ ରାକେଶ କୁମାର ଓ ପ୍ରଯୋଜକ ଏମ ଏ ନାଡିଆଡୱାଲା ମଧ୍ୟ ଏତିରେ କେବଳ ଦୁଇ ସାଙ୍ଗଙ୍କ କଥାକୁ ଦେଖାଇବା ଲାଗି ନିଷ୍ପତ୍ତି ନେଇଥିଲେ। ଫିଲ୍ମର ସଙ୍ଗୀତକାର ରାଜେଶ ରୋଶନଙ୍କୁ ମଧ୍ୟ ଫିଲ୍ମରେ ଚାରିଟି ଗୀତ ଲାଗି ବରାଦ କରାଯାଇଥିଲା।

ନିର୍ଦ୍ଦେଶକଙ୍କ ବରାଦ ଅନୁଯାୟୀ ଚାରିଟି ଗୀତ କମ୍ପୋଜ୍ କରିଦେଲେ ରାଜେଶ ରୋଶନ। ହେଲେ ସେ ଚିନ୍ତାକଲେ ଯେ ଏଥିରେ ଯେହେତୁ ନାୟକକୁ ନାୟିକା ମନେମନେ ଭଲ ପାଉଛି, ଏବଂ ନାୟକ ଜଣେ ଗାୟକ ଏଣୁ ଏକ ସୁନ୍ଦର ରୋମାଣ୍ଟିକ୍ ଗୀତ ରହିବା ଉଚିତ୍ ହେବ। ଏଣୁ ସେ ଗୀତିକାର ଅନଜାନଙ୍କୁ ଏକ ଟିଉନ୍ ଶୁଣାଇଲେ ଓ ତା’ ଉପରେ ରୋମାଣ୍ଟିକ୍ ଗୀତଟିଏ ଲେଖିବାକୁ ଅନୁରୋଧ କଲେ। ଏହି ଟିଉନ୍ ଶୁଣିବା ମାତ୍ରେ ଅନ୍‌ଜାନ୍ ଗଦ୍‌ଗଦ ହୋଇ କହିଲେ ଏଇଟା ସବୁଠୁଁ ହିଟ୍ ଗୀତ ହେବ।

ବାସ୍ ତା’ ପରେ ଅଳ୍ପ କିଛି ସମୟ ଭିତରେ ଅନ୍‌ଜାନ ଗୀତଟି ଲେଖିଦେଲେ। ଏଥିପାଇଁ ଗୀତିକାରଙ୍କୁ କିଛି ସିକ୍ୱେନସ ଦେଇନଥିଲେ ସଙ୍ଗୀତକାର। ଏଥିପାଇଁ ସହଜରେ ଲେଖା ହୋଇଯାଇଥିଲା ଗୀତ। ସେହି ଗୀତଟି ଥିଲା -ଛୁକର ମେରେ ମନ୍‌କୋ କିୟା ତୁନେ କ୍ୟା ଇଶାରା…।

ଏହାପରେ ଗୀତ ରେକର୍ଡିଂ ଆରମ୍ଭ ହେଲା ନିର୍ଦ୍ଦେଶକ ବରାଦ କରିଥିବା ଚାରିଟି ଗୀତ ରେକର୍ଡିଂ ସରିବା ପରେ ସଙ୍ଗୀତ ନିର୍ଦ୍ଦେଶକ ରାଜେଶ ରୋଶନ୍ ଆଉ ଗୋଟିଏ ଗୀତ ରେକର୍ଡିଂ ବାକି ଅଛି ବୋଲି ନିର୍ମାତାଙ୍କୁ କହିଲେ। ପ୍ରଯୋଜକ ପଚାରିଲେ କୋଉ ଗୀତ…? ରାଜେଶ୍ ରୋଶନ୍ ଗୀତଟି ଶୁଣାଇଥିଲେ। ଗୀତଟି ଶୁଣି ପ୍ରଯୋଜକ ଚିଡ଼ି ଉଠି କହିଥିଲେ, ଆପଣଙ୍କୁ ଆଉ କୌଣସି ନିର୍ମାତା ମିଳିଲେନି, ମୋ’ ଫିଲ୍ମ ପାଇଁ ଏମିତିକା ବାଜେ ଗୀତ କରିଛନ୍ତି?

ପ୍ରଯୋଜକଙ୍କ ଏଭଳି ଆଚରଣରେ ସଙ୍ଗୀତ ନିର୍ଦ୍ଦେଶକ ରାଜେଶ ରୋଶନ ଉତ୍‌କ୍ଷିପ୍ତ ହୋଇ କହିଲେ, ‘ଏ ଗୀତଟା ଆପଣଙ୍କ ଫିଲ୍ମରେ ରହୁ ବା ନରହୁ, ଆପଣ ଏଥିପାଇଁ ପଇସା ଦିଅନ୍ତୁ ବା ନ ଦିଅନ୍ତୁ, ମୁଁ ନିଜ ଖର୍ଚ୍ଚରେ ଏହି ଗୀତର ରେକର୍ଡିଂ କରିବି। ଆପଣଙ୍କୁ ଯଦି ଏ ଗୀତ ଭଲ ନ ଲାଗୁଛି, ତେବେ ଆପଣ ରେକର୍ଡିଂ ଥିଏଟର ଛାଡ଼ି ଚାଲିଯାନ୍ତୁ।

ରାଜେଶ ରୋଶନ ନିଜ ଜିଦ୍‌ରେ ଅଟଳ ରହିଲେ ଏବଂ କିଶୋର କୁମାରଙ୍କ କଣ୍ଠରେ ଗୀତଟିକୁ ରେକର୍ଡ କରାଗଲା। ମାତ୍ର ଅଧଘଣ୍ଟା ଭିତରେ ଗୀତଟିର ରେକର୍ଡିଂ ସରିବା ପରେ କିଶୋରଦା କହିଥିଲେ ଯେ ଏଇଟା ତାଙ୍କର ଗାୟକ କ୍ୟାରିଅରର ଏକ ମାଇଲ ଖୁଣ୍ଟ ହେବ।

ପରେ କିଶୋର କୁମାର ଏହି ଗୀତ ସମ୍ପର୍କରେ ଅମିତାଭ ବଚ୍ଚନଙ୍କୁ କହିଥିଲେ। ଅମିତାଭଙ୍କ ଆଗ୍ରହ କ୍ରମେ ରାଜେଶ ରୋଶନ ଛୁକର ମେରେ ମନ୍‌କୋ… ଗୀତର ଟ୍ରାକ ଶୁଣାଇଥିଲେ। ହେଲେ ଯେତେବେଳେ ବିଗ୍‌ ବି ଜାଣିବାକୁ ପାଇଲେ ଯେ ପ୍ରଯୋଜକ ଏହି ଗୀତଟିକୁ ‘ୟାରାନା’ରେ ରଖିବାକୁ ଚାହୁଁନାହାନ୍ତି, ସେତେବେଳେ ସେ ନିର୍ମାତାଙ୍କୁ ଫୋନ୍ କରି କହିଲେ ଯେ ଯଦି ଏ ଗୀତଟି ଫିଲ୍ମରେ ନ ରହେ, ତେବେ ସେ ଏଥିରେ କାମ କରିବେନି। କଥା ଏତେଦୂର ଯିବ ବୋଲି ପ୍ରଯୋଜକ ଭାବିନଥିଲେ। ସେ ବି ବିଗ୍‌ ବିଙ୍କୁ ବୁଝାଇବାକୁ ଚେଷ୍ଟା କଲେ ଯେ ଏଭଳି ଗୀତ ପାଇଁ ଫିଲ୍ମରେ ସ୍କୋପ୍ ନାହିଁ। ଅମିତାଭ ବୁଝିବାକୁ ନାରାଜ।

ଅବଶେଷରେ ପ୍ରଯୋଜକ ଏହି ଗୀତଟିକୁ ଫିଲ୍ମର ଅନ୍ୟ ଏକ ନମ୍ବର ୟେ ସାରା ଜମାନା ହସିନୋଁ କା ଦିୱାନା…’ର ଠିକ ଆରମ୍ଭ ପୂର୍ବରୁ ରଖିବା ଲାଗି ସ୍ଥିର କଲେ। ଏହା ବୋଧହୁଏ ଗୋଟିଏ ସିନେମାର ଏଭଳି ଦୁଇଟି ଗୀତ ଯାହା ମଝିରେ କୌଣସି ଗ୍ୟାପ୍ ନଥିଲା। ପ୍ରଯୋଜକ ଏ ଦୁଇ ଗୀତର ସୁଟିଂ ମଧ୍ୟ କଲିକତାର ନାମୀ ଷ୍ଟାଡିଅମରେ କରିଥିଲେ। ସବୁଠୁ ମଜା କଥା ହେଉଛି ଯେ ଛୁକର ମେରେ ମନ୍‌କୋ…ଗୀତର ସୁଟିଂ ବି ମାତ୍ର ଘଣ୍ଟାକ ଭିତରେ ହୋଇଯାଇଥିଲା।ତେବେ ପରଦାରେ ସମ୍ପୂର୍ଣ୍ଣ ଗୀତଟି ନଥିଲା। କେବଳ ମୁଖଡା ଓ ଗୋଟିଏ ଅନ୍ତରାକୁ ରଖାଯାଇଥିଲା। ପରେ କିଶୋରଙ୍କ କଥା ସତ ହୋଇଥିଲା ଓ ଏହା ତାଙ୍କର ଅନ୍ୟତମ ଶ୍ରେଷ୍ଠ ରୋମାଣ୍ଟିକ୍ ନମ୍ବର ହୋଇଥିଲା।

Comment