ଓଡ଼ିଶାଲାଇଭ୍ ବ୍ୟୁରୋ

ରତ୍ନଭଣ୍ଡାର ଚାବି ହଜିବା ଘଟଣାରେ ତତ୍ପରତା ପ୍ରକାଶ କରିଛନ୍ତି ରାଜ୍ୟ ସରକାର। ଏହି ଘଟଣାରେ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଚାବି ହଜିବା ଘଟଣାରେ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ହାଇକୋର୍ଟ ଜଣେ ଅବସରପ୍ରାପ୍ତ ବିଚାରପତି ଏହାର ତଦନ୍ତ କରିବେ। ୩ମାସ ମଧ୍ୟରେ ତଦନ୍ତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। କେଉଁ ପରିସ୍ଥିତିରେ ଚାବି ହଜିଛି ଓ କାହିଁକି ଚାବି ମିଳୁନି ତାର ତଦନ୍ତ କରିବ ବିଚାର ବିଭାଗୀୟ ଟିମ୍।

ସୋମବାର ଦିନ ସକାଳୁ ଆଇନମନ୍ତ୍ରୀ ପ୍ରତାପ ଜେନା ରତ୍ନଭଣ୍ଡାର ଚାବି ହଜିବା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ। ଏନେଇ ଅନେକ ବିଚାରବିମର୍ସ ହେବାପରେ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ।

ରତ୍ନଭଣ୍ଡାର ଚାବି ହଜିବା ଘଟଣାରେ ସରକାରଙ୍କ ରହସ୍ୟମୟ ନିରବତାର ପ୍ରତିବାଦରେ ରବିବାରଦିନ ଆନ୍ଦୋଳନକୁ ଓହ୍ଲାଇଥିଲେ ଜଗନ୍ନାଥପ୍ରେମୀ। ଏପରିକି ଆଇନ୍‌ମନ୍ତ୍ରୀଙ୍କ ଇସ୍ତଫା ଦାବି ବି ଉଠିଥିଲା। ବିଜେପି ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ସ୍ପଷ୍ଟୀକରଣ ଦାବି କରିଥିଲା ବେଳେ ପୁରୀ ଯୁବ କଂଗ୍ରେସ ପକ୍ଷରୁ ଥାନାରେ ଏତଲା ଦିଆଯାଇଛି। ସେପଟେ ଶଙ୍କରାଚାର୍ଯ୍ୟ ମଧ୍ୟ ଘଟଣାକୁ ନେଇ କ୍ଷୋଭ ପ୍ରକାଶ କରିଥିଲେ।

ଏହି ଘଟଣାକୁ ନେଇ ରାଜନୀତି ବି ତେଜିଛି। ଭୁବନେଶ୍ୱରରେ ସାମ୍ବାଦିକ ସମ୍ମିଳନୀ କରି ବିଜେପି ଅଭିଯୋଗ କରିଥିଲା ରାଜ୍ୟ ସରକାର ଜଗନ୍ନାଥଙ୍କ ସହ ସାଢ଼େ ୪କୋଟି ଓଡ଼ିଆଙ୍କ ଭାବେବେଗ ସହ ଖେଳୁଛନ୍ତି। ଚାବି ହଜିଥିବା ସତ୍ୟ ନା ମିଥ୍ୟା, ସରକାର ଏଯାଏଁ କଣ ପଦକ୍ଷେପ ନେଇଛନ୍ତି ସେ ବାବଦରେ ନିଜେ ମୁଖ୍ୟମନ୍ତ୍ରୀ ବକ୍ତବ୍ୟ ରଖିବାକୁ ଦଳ ଦାବି କରିଥିଲା।

ସେପଟେ ପୁରୀ ଯୁବ କଂଗ୍ରେସ ମଧ୍ୟ ଏଇ ଘଟଣାରେ ସିଂହଦ୍ୱାର ଥାନାରେ ଏତଲା ଦେଇ ୧୯୭୮ରୁ ୨୦୧୮ ପର୍ଯ୍ୟନ୍ତ, ରତ୍ନଭଣ୍ଡାର ଚାବି ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ଦାୟୀ କରି କାର୍ଯ୍ୟାନୁଷ୍ଠାନ ଦାବି କରିଥିଲା। ପିସିସି ସଭାପତି ମଧ୍ୟ ସରକାରଙ୍କ ଉପରେ ବର୍ଷିଥିଲେ।

Comment