ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ଲାଷ୍ଟିକ ବ୍ୟବହାରର କୁ-ପ୍ରଭାବ ସମ୍ପର୍କରେ ରାଜଧାନୀବାସୀଙ୍କୁ ସଚେତନ କରିବା ପାଇଁ ଜୟଦେବ ବିହାରରେ ନିର୍ମାଣ କରାଯାଇଛି ଇ-ରାବଣ।

ଇ-ଆବର୍ଜନାର ଭୟାବହତାକୁ ନେଇ ଏବେ ସାରା ବିଶ୍ୱବାସୀ ଚିନ୍ତାରେ ପଡ଼ିଛନ୍ତି। ଇ-ଆବର୍ଜନାରୁ ଦୂରେଇ ରହିବା ପାଇଁ ବିଭିନ୍ନ ସ୍ତରରେ ସଚେତନତା କରାଯାଉଥିଲେ ବି କିଛି ସୁଫଳ ମିଳୁନି। ତେବେ ବିଶ୍ୱ ପରିବେଶ ଦିବସ ଅବସରରେ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଏବଂ ଅନ୍ତର୍ଜାତୀୟ ଅର୍ଥ ନିଗମ(ଆଇଏଫ୍‌ସି)ର ମିଳିତ ଉଦ୍ୟମରେ ଜୟଦେବବିହାରଠାରେ ଲୋକମାନଙ୍କୁ ସଚେତନ କରିବା ପାଇଁ ଅଭିନବ ପ୍ରୟାସ କରାଯାଇଛି।

ଇ-ଆବର୍ଜନାରୁ ରାବଣ ପ୍ରତିମୂର୍ତ୍ତି ତିଆରି କରାଯାଇ ଲୋକଙ୍କୁ ସଚେତନ କରାଯାଉଛି। ଇ-ଭୁବନେଶ୍ୱର ପ୍ରୋଜେକ୍ଟ ଅଧିନରେ ଏହି ପ୍ରତି ମୂର୍ତ୍ତି ନିର୍ମାଣ କରାଯାଇଛି। ଏହାକୁ ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନା ଉଦଘାଟନ କରିଛନ୍ତି।

ମେୟର କହିଛନ୍ତି, “ଇ-ଆବର୍ଜନାର ଭୟାବହତା ଉପରେ ଭୁ୍ବନେଶ୍ୱରବାସୀଙ୍କୁ ସଚେତନ କରିବା ପାଇଁ ଏହି ପ୍ରୟାସ କରାଯାଇଛି। ଆଶା କରାଯାଉଛି ଇ-ଆବର୍ଜନାର କୁ ପ୍ରଭାବ ଉପରେ ଲୋକେ ସଚେତନ ହେବେ। ଲୋକଙ୍କୁ ଆହୁରି ସଚେତନ କରିବା ପାଇଁ ସହରର ବିଭିନ୍ନ ସ୍ଥାନରେ ଏଭଳି ପ୍ରତିମୂର୍ତ୍ତି ନିର୍ମାଣ କରିବାକୁ ଯୋଜନା ରହିଛି।”

ଏହି ଇ-ରାବଣକୁ ଶିଳ୍ପୀ ପିନାକି ମହାନ୍ତି, ବିଦ୍ୟାଧର ମାଝି, ରାଜୁ ଭୋଇ ଏବଂ ମହେଶ ନିର୍ମାଣ କରିଛନ୍ତି। ପୂରାଣ ଯୁଗରେ ରାବଣର ଯେମିତି ୧୦ଟି ମୁଣ୍ଡ ରହିଥିଲା ଠିକ୍ ସେମିତି ଇ-ରାବଣର ୧୦ଟି ମୁଣ୍ଡ କରାଯାଇଛି। ୧୦ଟି କମ୍ପ୍ୟୁଟର ମନିଟରକୁ ଇ-ରାବଣର ମୁଣ୍ଡ ଭାବେ ଦର୍ଶାଯାଇଛି। ଇ-ରାବଣର ଶରୀର ମଧ୍ୟ ମଦରବୋର୍ଡ, କିବୋର୍ଡ ଏବଂ ଅନ୍ୟ ପ୍ଲାଷ୍ଟିକ ଉପାଦାନରେ ତିଆରି କରାଯାଇଛି।

“ଇ-ଆବର୍ଜନାରୁ ସହରବାସୀଙ୍କୁ ଦୂରେଇ ରଖିବା ପାଇଁ ଭୁବନେଶ୍ୱରରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଇ-ଆବର୍ଜନାର କୁ ପ୍ରଭାବ ବିଷୟରେ ଲୋକଙ୍କୁ ସଚେତନ କରିବା ଲାଗି ଏହି ପଦକ୍ଷେପ ନିଆଯାଇଛି”, କହିଛନ୍ତି ଆଇଏଫ୍‌ସିର ପ୍ରୋଗ୍ରାମ ମ୍ୟାନେଜର ସାରିନା ବୋଲ୍ଲା।

Comment