ଓଡ଼ିଶାଲାଇଭ୍ ବ୍ୟୁରୋ
ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ମଞ୍ଚରେ ପ୍ରଣବ ମୁଖାର୍ଜୀ। ରାଷ୍ଟ୍ର, ରାଷ୍ଟ୍ରବାଦ ଏବଂ ଦେଶଭକ୍ତି ଉପରେ ୭୦୭ ସ୍ୱୟଂ ସେବକଙ୍କୁ ଦେଲେ ଉଦବୋଧନ।
ସାରା ଦେଶବାସୀଙ୍କ ନଜର ଆଜି ଥିଲା ନାଗପୁରସ୍ଥିତ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ କାର୍ଯ୍ୟାଳୟ ଉପରେ। ସଂଘ ସଭାମଞ୍ଚରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ କ’ଣ କହୁଛନ୍ତି ତାକୁ ହିଁ ସମସ୍ତେ ଅପେକ୍ଷା କରିଥିଲେ। ହେଲେ ପ୍ରଣବ ସଂଘ କର୍ମକର୍ତ୍ତାଙ୍କୁ ରାଷ୍ଟ୍ର, ରାଷ୍ଟ୍ରବାଦ ଏବଂ ଦେଶଭକ୍ତି ଉପରେ ଉଦବୋଧନ ଦେଇଥିଲେ।
ଗୁରୁବାର ସନ୍ଧ୍ୟାରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ତୃତୀୟ ଶିକ୍ଷାବର୍ଗ କାର୍ଯ୍ୟକ୍ରମ ଉଦଯାପନ ହୋଇଛି। ଏହି ସମାରୋହରେ ପ୍ରଣବ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।
ପ୍ରଣବ କହିଥିଲେ, “ମୁଁ ଏଠାକୁ ରାଷ୍ଟ୍ର, ରାଷ୍ଟ୍ରବାଦ ଏବଂ ଦେଶଭକ୍ତି ଉପରେ ବୁଝାଇବାକୁ ଆସିଛି। ଭାରତ ହେଉଛି ବିଶ୍ୱର ପ୍ରଥମ ଦେଶ, ଯାହାର ନାଗରିକମାନେ ସମ୍ବିଧାନ ଉପରେ ଆସ୍ଥା ପ୍ରକଟ କରୁଛନ୍ତି। ସମ୍ବିଧାନ ଉପରେ ବିଶ୍ୱାସ ରଖିବା ପାଇଁ ଅସଲ ଦେଶଭକ୍ତି।”
“ଆମ ସମାଜର ମୂଳ ଆଧାର ହେଉଛି ସହନଶୀଳତା। ଆମ ସମସ୍ତଙ୍କର ଗୋଟିଏ ପରିଚୟ ରହିଛି – ତାହା ହେଉଛି ଭାରତୀୟତା। ବିଭିନ୍ନତା ମଧ୍ୟରେ ଏକତା ହେଉଛି ଆମର ମୂଳମନ୍ତ୍ର। ଭାରତରେ ସବୁ ବିଷୟରେ ଚର୍ଚ୍ଚା ହେବା ଦରକାର। ଆମେ କୌଣସି ଆଲୋଚନାରେ ସହମତ ହୋଇପାରୁ କିମ୍ବା ନହୋଇ ବି ପାରୁ”, କହିଛନ୍ତି ପ୍ରଣବ।
ପ୍ରଣବ ଆହୁରି କହିଥିଲେ ଯେ ବିଭିନ୍ନ ଦେଶର ପରିଚୟ ହେଉଛି ରାଷ୍ଟ୍ରବାଦ। ଦେଶର ବିକାଶ ଏବଂ ସମ୍ବିଧାନ ଉପରେ ବିଶ୍ୱାସ ରଖିବା ପାଇଁ ଦେଶଭକ୍ତି। ବସୁଧୈବ କୁଟୁମ୍ବକମ୍, ସର୍ବେ ଭବନ୍ତୁ ସୁଖିନଃ… ସର୍ବସେନ୍ତୁ ନିରାମୟା ହେଉଛି ଆମ ରାଷ୍ଟ୍ରବାଦର ମୂଳମନ୍ତ୍ର। ଘୃଣା ଏବଂ ମତଭେଦକୁ ଛାଡ଼ି ଦେଶ ଗଠନ କରିବା ହେଉଛି ଆମର ଲକ୍ଷ୍ୟ। ହିଂସା ମାର୍ଗ ଛାଡ଼ି ଆମେ ଶାନ୍ତି ମାର୍ଗ ଅପଣାଇବା ଉଚିତ୍।
ଏହି ସଭାରେ ସଂଘ ମୁଖ୍ୟ ମୋହନ ଭାଗବତ ଉପସ୍ଥିତ ଥିଲେ। ପ୍ରଣବ ମୁଖାର୍ଜୀଙ୍କ ଉପସ୍ଥିତିକୁ ନେଇ ଚାଲିଥିବା ରାଜନୀତିକ ଆଲୋଚନାକୁ ବନ୍ଦ କରିବା ପାଇଁ ଭାଗତ କହିଛନ୍ତି।
“ସଂଘ କେବଳ ହିନ୍ଦୁମାନଙ୍କ ସଙ୍ଗଠନ ନୁହେଁ। ସବୁ ଧର୍ମର ସଙ୍ଗଠନ। ପ୍ରଣବ ମୁଖାର୍ଜୀଙ୍କୁ ଉପସ୍ଥିତିକୁ ନେଇ ଆଲୋଚନା ହେବା ଠିକ୍ ନୁହେଁ। ପ୍ରତିବର୍ଷ ଆମେ ବହୁ ବିଶିଷ୍ଟ ବ୍ୟକ୍ତିଙ୍କୁ ଡାକିଥାଉ। ଏବର୍ଷ ବି ଡାକିଛୁ। ବିବିଧତା ମଧ୍ୟରେ ଏକତା ହେଉଛି ଆମ ପରମ୍ପରା। ଆଜିର କାର୍ଯ୍ୟକ୍ରମ ପରେ ସଂଘ ସଂଘ ହୋଇ ରହିବ ଏବଂ ପ୍ରଣବ ପ୍ରଣବ ହୋଇ ରହିବେ।