ଓଡ଼ିଶାଲାଇଭ୍‌ ବ୍ୟୁରୋ

BJD Press Meet

କେନ୍ଦ୍ର ସରକାର ଗତ ଚାରି ବର୍ଷରେ ଓଡ଼ିଶାକୁ ଦେଇଥିବା ଅନୁଦାନର ହିସାବ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେବା ପରେ ଆଜି ବିଜେଡି ସାମ୍ବାଦିକ ସମ୍ମିଳନୀ କରି ତାଙ୍କୁ ୫ ପ୍ରଶ୍ନ ପଚାରିଛି।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଜେଡି ସିଧାସଳଖ ଜବାବ ଦେଇଛି। ଏନଡିଏ ସରକାରଙ୍କ ୪ ବର୍ଷର ଯେଉଁ ରିପୋର୍ଟ କାର୍ଡ ଧର୍ମେନ୍ଦ୍ର ମଣମାଧ୍ୟମ ଆଗରେ ଉପସ୍ଥାପନ କରିଛନ୍ତି ତାହା କାଳ୍ପନିକ ଗୋଲାପୀ ଚିତ୍ର ବୋଲି ବିଜେଡି ଆଜି ସାମ୍ବାଦିକ ସମ୍ମିଳନୀରେ କହିଛି। ବିଜେଡି ସାମ୍ବାଦିକ ସମ୍ମିଳନୀରେ ଧର୍ମେନ୍ଦ୍ରଙ୍କୁ ୫ଟି ପ୍ରଶ୍ନ ପଚାରିଛି।

ପ୍ରଶ୍ନ ନମ୍ବର-୧: ଓଡ଼ିଶାକୁ ସ୍ୱତନ୍ତ୍ର ପାହ୍ୟା ମାନ୍ୟତା ନେଇ ଆଭିମୁଖ୍ୟ ସ୍ପଷ୍ଟ କରିବେ କି ଧର୍ମେନ୍ଦ୍ର?

ପ୍ରଶ୍ନ ନମ୍ବର ୨: ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ଲାଗି ସମୟ ନିର୍ଘଣ୍ଟ କରିବେ କି?

ପ୍ରଶ୍ନ ନମ୍ବର-୩: ଶିଳ୍ପ କରିଡରରେ ଓଡ଼ିଶାକୁ ସାମିଲ କରିବା ଲାଗି ଉଦ୍ୟମ କରିବେ କି?

ପ୍ରଶ୍ନ ନମ୍ବର-୪: ମହାନଦୀରେ ବ୍ୟାରେଜ ନିର୍ମାଣ ବନ୍ଦ ଲାଗି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂହଙ୍କୁ କହିବେ କି?

ପ୍ରଶ୍ନ ନମ୍ବର-୫: ତେଲ ଦର ବୃଦ୍ଧିକୁ ନିୟନ୍ତ୍ରଣ କରି ଓଡ଼ିଶାବାସୀଙ୍କୁ ଆଶ୍ୱସ୍ତି କରାଇବେ କି?

ବିଜେଡି ବିଧାୟକ ସଞ୍ଜୟ ଦାସବର୍ମା କହିଛନ୍ତି, “ଜାତୀୟ ରାଜପଥ ନିର୍ମାଣ ଓ ବିକାଶ କ୍ଷେତ୍ରରେ ଓଡ଼ିଶାରେ ୪ ବର୍ଷ ମଧ୍ୟରେ ୫୪୯୯ କିଲୋମିଟର ରାଜପଥ ନିର୍ମାଣ ନେଇ ଏହା ଏକ ରେକର୍ଡ ବୋଲି କେନ୍ଦ୍ରମନ୍ତ୍ରୀ ଯୁକ୍ତି ବାଢ଼ିବା ସଂପୂର୍ଣ୍ଣ ଭ୍ରମାତ୍ମକ। ୨୦୧୪ରୁ ୨୦୧୮ ମଧ୍ୟରେ ନିର୍ମିତ ମୋଟ ରାସ୍ତା ମଧ୍ୟରୁ ଏନ୍‍ଏଚ୍‍ଓ (ଓଡ଼ିଶା ସରକାରଙ୍କ ସହଭାଗିତାରେ) ୧୦୫୮ କିମି ଓ ଏନ୍‍ଏଚ୍‍ଏଆଇ (ଭାରତ ସରକାରଙ୍କ ଅଧୀନ) ମାତ୍ର ୨୫୪ କିମି ରାସ୍ତା ନିର୍ମାଣ କରିଛି। ମୋଟ ୧୩୧୨ କିମି ରାସ୍ତା ନିର୍ମାଣ କରାଯାଇଥିଲା ବେଳେ ୫୪୯୯ କିମି ରାସ୍ତା ନିର୍ମାଣ ହୋଇଛି ବୋଲି କହିଥିବା କେନ୍ଦ୍ରମନ୍ତ୍ରୀ ଏଥିନେଇ ସ୍ପଷ୍ଟୀକରଣ ଦେବା ଆବଶ୍ୟକ।”

ଓଡ଼ିଶାର ୭ଟି ଜିଲ୍ଲାକୁ ସଂଯୁକ୍ତ କରିବା ଲାଗି ୨୫୦ କିମି ଆଉଟର୍‍ ରିଙ୍ଗ ରୋଡ୍‍ ତିଆରି ହେବା କଥା ଏବେ ଦିବାସ୍ୱପ୍ନ ପାଲଟି ଗଲାଣି। ଏହାର ସର୍ଭେ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇନାହିଁ। ୨୦୧୫ରୁ କେନ୍ଦ୍ର ଗୋପାଳପୁର-ଦୀଘା କୋଷ୍ଟାଲ୍‍ ହାଇୱେ ସ୍ୱପ୍ନ ଦେଖାଇ ଆସିଛି। ୪ ବର୍ଷ ବିତିଥିଲେ ମଧ୍ୟ କୋଷ୍ଟାଲ୍‍ ହାଇୱେ ସ୍ୱପ୍ନ ପୂରଣ ହୋଇନାହିଁ।

ବିଜେଡି ପକ୍ଷରୁ କୁହାଯାଇଛି ଯେ ରେଳବାଇ କ୍ଷେତ୍ରରେ ୨୦୧୪-୧୫ରୁ ୨୦୧୮-୧୯ ମଧ୍ୟରେ ଓଡ଼ିଶାକୁ ସମୁଦାୟ ଆବଣ୍ଟିତ ଅର୍ଥ ପରିମାଣ ୨୦୨୧୩ କୋଟି ଟଙ୍କା। କେନ୍ଦ୍ରମନ୍ତ୍ରୀ ଏହା ମଧ୍ୟ ଜାଣିବା ଉଚିତ୍‍ ଯେ ଏହି ୪ବର୍ଷ ମଧ୍ୟରେ ପୂର୍ବତଟ ରେଳବାଇ ମାଧ୍ୟମରେ ଓଡ଼ିଶା ରାଜସ୍ୱ ଆକାରରେ ପ୍ରାୟ ୫୩.୭୯୫ କୋଟି ଟଙ୍କା କେନ୍ଦ୍ରକୁ ଦେଇଛି। ଓଡ଼ିଶା ଦେଇଥିବା ରାଜସ୍ୱ ତୁଳନାରେ କେତେ ପାଇଛି ସେ ସଂପର୍କରେ କେନ୍ଦ୍ରମନ୍ତ୍ରୀ ହିସାବ କରି ଦେଖିବେ କି?

ଦଳର ସାଧାରଣ ସଂପାଦକ ଅରୁଣ କୁମାର ସାହୁ କହିଛନ୍ତି, “ତ୍ରୟୋଦଶ ଅର୍ଥ କମିଶନଙ୍କ ଦ୍ୱାରା ଓଡ଼ିଶା ୪.୭୮ ପ୍ରତିଶତ ଟିକସର ଭାଗ ପାଉଥିଲା ବେଳେ ଚତୁର୍ଦ୍ଦଶ ଅର୍ଥ କମିଶନ ଏହାକୁ ହ୍ରାସ କରିବା ପରେ ଟିକସ ଭାଗ ୪.୬୪ ପ୍ରତିଶତରେ ପହଞ୍ଚିଛି। ଏଥିପାଇଁ ଓଡ଼ିଶାକୁ ପ୍ରାୟ ୫ ହଜାର କୋଟି ଟଙ୍କାର କ୍ଷତି ସହିବାକୁ ପଡୁଛି।”

ସେହିପରି ଜିଏସ୍‍ଟି ଯୋଗୁ ଓଡ଼ିଶା କ୍ଷତିରେ ପଡ଼ିଛି। ଟିକସ ସଂଗ୍ରହରେ ୩୧ ପ୍ରତିଶତ କମ୍‍ ଆଦାୟ ହୋଇଛି। ହେଲେ କେନ୍ଦ୍ର ମନ୍ତ୍ରୀ ଜିଏସ୍‍ଟିରେ ଓଡ଼ିଶା ଲାଭବାନ ହୋଇଛି ବୋଲି କହିବା ଗ୍ରହଣୀୟ ନୁହେଁ। ଟିକସ ସଂଗ୍ରହ ପରିମାଣ କମିଛି। କେନ୍ଦ୍ର ସରକାର ଆମକୁ ଏ ବାବଦରେ ଯେତିକି କ୍ଷତିପୂରଣ ଦେଉଛନ୍ତି ତାହା ସାମ୍ବିଧାନିକ ବିଧିବ୍ୟବସ୍ଥା ଅନୁଯାୟୀ ବୋଲି ଶ୍ରୀ ସାହୁ କହିଛନ୍ତି।

ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ତଥା ସାଂସଦ ପ୍ରତାପ କେଶରୀ ଦେବ, ମୁଖପାତ୍ର ସସ୍ମିତ ପାତ୍ର, ବିଜେଡି ରାଜ୍ୟ ସଂପାଦକ ବିଜୟ ନାୟକ ଏବଂ ଛାତ୍ର ବିଜେଡି ସଭାପତି ରାଣା ପ୍ରତାପ ପାତ୍ର ଉପସ୍ଥିତ ଥିଲେ।

Comment