ଓଡ଼ିଶାଲାଇଭ୍‌ ବ୍ୟୁରୋ

ବରଗଡ ଜିଲା ଗାଇସିଲଟ୍ ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା। ଶାଶୂଙ୍କୁ ବିଚ୍ ରାସ୍ତାରେ ଘୋଷାଡ଼ି ଘୋଷାଡ଼ି ନେଲା ବୋହୂ।

ନୃଶଂସ ବୋହୂର ଅମାନୁଷିକ କାର୍ଯ୍ୟ। ରାସ୍ତାରେ ଶାଶୂଙ୍କୁ ଘୋଷାଡ଼ି ଘୋଷାଡ଼ି ଟାଣି ନେଲା ବୋହୂ। ଏଭଳି ଅମାନବୀୟ ଘଟଣା ବରଗଡ଼ ଜିଲ୍ଲା ଗାଇସିଲଟ ବ୍ଲକ ତାଲପାଲି ଗାଁରେ ଦେଖିବାକୁ ମିଳିଛି।

ବୋହୂ ଶାଶୂଙ୍କୁ ଅତି ନିର୍ଦୟ ଭାବେ ଗାଁ ଦାଣ୍ଡରେ ଘୋଷାଡ଼ି ନେଉଥିବା ଦୃଶ୍ୟ ସାମ୍ନାକୁ ଆସିଛି। ୭୫ ବର୍ଷୀୟ ବୃଦ୍ଧା ଶାଶୂ ଜଣକ ତାଙ୍କୁ ଛାଡ଼ି ଦେବାପାଇଁ ଯେତେ କାକୁତି ମିନତି ହେଲେ ମଧ୍ୟ ବୋହୂ ଓଲଟା କଚାଡ଼ି ଦେଇଥିଲା। ବୃଦ୍ଧା ଜଣଙ୍କ ଛାଟିପିଟି ହେଉଥିଲେ ମଧ୍ୟ ଗ୍ରାମବାସୀ ମହିଳାଙ୍କ କବଳରୁ ବୃଦ୍ଧାଙ୍କୁ ଉଦ୍ଧାର କରିବାକୁ ସାହସ କରିନଥିଲେ।

ଜମିବାଡ଼ି ବିବାଦକୁ ନେଇ ଉଭୟ ଶାଶୂ ପଦ୍ମାବତୀ ସାହୁ ଓ ବୋହୂ ବାଲ୍ମତି ସାହୁଙ୍କ ମଧ୍ୟରେ ତିକ୍ତତା ଲାଗିରହିଥିଲା। ତେବେ ଶାଶୂଙ୍କୁ ଏଭଳି ନିର୍ଯାତନାର ଭିଡିଓ ଭାଇରାଲ୍ ହେବା ପରେ ପୋଲିସ ଗୁରୁବାରଦିନ ବୋହୂକୁ ଗିରଫ କରିଥିଲା।

ଏଭଳି ଏକ ଅମାନବୀୟ ଘଟଣାକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକଶ ପାଇଛି। ବୋହୂ ସହ ପୁଅକୁ ମଧ୍ୟ ଗିରଫ କରିବା ପାଇଁ ଏକ ସ୍ଵେଚ୍ଛାସେବୀ ଅନୁଷ୍ଠାନ ଦାବି କରିଛି।

Comment