ଓଡ଼ିଶାଲାଇଭ୍‌ ବ୍ୟୁରୋ

କୋରାପୁଟ ରାଣୀଗଡ଼ ପାହାଡ଼ ଧସିବା ଘଟଣାକୁ ୧୧ ଦିନ ବିତିଛି। ବହୁ କସରତ ପରେ ପଥର ତଳୁ ସେନାର ବୈଷୟିକ ଟିମ୍ ଗୋଟିଏ ମୃତଦେହ ଠାବ କରିଛନ୍ତି। ଠାବ ହୋଇଥିବା ମୃତଦେହଟି ଘନଶ୍ୟାମ ଗୁରୁଙ୍କର ବୋଲି କୁହାଯାଉଛି। ତେବେ ମୃତଦେହ ଚିହ୍ନଟ ପାଇଁ କୋରାପୁଟ ଜିଲ୍ଲା ପ୍ରଶାସନ ଘନଶ୍ୟାମଙ୍କ ପରିବାରକୁ ଡାକିଛି। ପଥର ବ୍ଳାଷ୍ଟିଂ ପରେ ମୃତଦେହ ଠାବ କରାଯାଇଛି।

୨୮ ତାରିଖରେ କୋରାପୁଟ ଜିଲ୍ଲା ବରିପୁଟସ୍ଥିତ ତେଲିଙ୍ଗିରି ଜଳସେଚନ ପ୍ରକଳ୍ପ ନିକଟରେ ଥିବା ଗୁମ୍ମା ପଥର ଖଣିରୁ ଦୁଇ ଜେସିବି ଅପରେଟର ପଥର ଉତ୍ତୋଳନ କାର୍ଯ୍ୟରେ ଲାଗିଥିଲେ। ଏହି ସମୟରେ ପାହାଡ଼ ଧସିବାରୁ ଦୁଇ ଜେସିବି ଅପରେଟର ପଥର ତଳେ ଚାପି ହୋଇ ରହିଯାଇଥିଲେ। ଦୁଇ ଜେସିବି ଅପରେଟର ହେଲେ କଟକ ଜିଲ୍ଲା ଆଠଗଡ଼ର ସଞ୍ଜୟ ଦାସ ଏବଂ ଦେବଗଡ଼ ଜିଲ୍ଲାର ଘନଶ୍ୟାମ ଗୁରୁ।

ପଥର ତଳୁ ଉଭୟଙ୍କୁ ଉଦ୍ଧାର କରିବା ପାଇଁ ଓଡ୍ରାଫ ଟିମ୍ ଏବଂ ଅଗ୍ନିଶମ ବାହିନୀ ଫେଲ୍ ମାରିବା ପରେ ଏନଡିଆର୍‌ଏଫ୍ ଟିମ୍ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିଲା। କିନ୍ତୁ ଫେଲ୍ ମାରିଥିଲା। ଶେଷରେ ଭାରତୀୟ ସେନାର ସହାୟତା ଲୋଡ଼ିଥିଲା ପ୍ରଶାସନ। ରାଞ୍ଚିରୁ ସେନାର ବୈଷୟିକ ଟିମ୍ କୋରାପୁଟରେ ପହଞ୍ଚି ପ୍ରଶାସନ ଏବଂ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲା। ଦୁଇ ଜେସିବି ଅପରେଟରଙ୍କୁ ଉଦ୍ଧାର କରିବା ପାଇଁ ବ୍ଲାଷ୍ଟିଂ କରିବାକୁ କହିଥିଲା। ଗ୍ରାମବାସୀ ସହମତି ଜଣାଇବା ପରେ ସେନା ପଥର ବ୍ଲାଷ୍ଟିଂ ଆରମ୍ଭ କରିଥିଲା।

ବ୍ଲାଷ୍ଟିଂର ଦୁଇ ଦିନ ଯାଏଁ ଜେସିବି ଅପରେଟରଙ୍କର ପତ୍ତା ମିଳି ନଥିଲା। ଶେଷରେ ଆଜି ଜଣଙ୍କର ମୃତଦେହ ଠାବ କରିଛି ସେନା। ଆଉ ଜଣେ ଜେସିବି ଅପରେଟର ସଞ୍ଜୟ ଦାସଙ୍କୁ ଉଦ୍ଧାର କରିବା ପାଇଁ ସେନା ଉଦ୍ଧାର କାର୍ଯ୍ୟ ଜାରି ରଖିଛି।

Comment