ଓଡ଼ିଶାଲାଇଭ୍ ବ୍ୟୁରୋ

ବିଜେଡି-ବୈଜୟନ୍ତ ଭିତରେ ଲାଗି ରହିଥିବା ବିବାଦରେ ପୂର୍ଣ୍ଣଛେଦ ପଡ଼ିଛି। ସାଂସଦ ପଦରୁ ଇସ୍ତଫା ଦେଇ ବିଜୁ ପରିବାର ସହ ସମ୍ପର୍କ ଛିନ୍ନ କରିଛନ୍ତି ଜୟ ପଣ୍ଡା।

ବିଜୁ ପରିବାର ସହ ସବୁ ସମ୍ପର୍କ ତୁଟାଇଛନ୍ତି ବୈଜୟନ୍ତ ପଣ୍ଡା। ବିଜେଡି ଏବଂ ଆଜି ଲୋକସଭା ସାଂସଦ ପଦରୁ ଇସ୍ତଫା ଦେବା ପରେ ଏହିକଥା ସ୍ପଷ୍ଟ ହୋଇଛି। ଏବେ ବୈଜୟନ୍ତଙ୍କର ଆଗାମୀ ପଦକ୍ଷେପ ଉପରେ ସମସ୍ତଙ୍କର ନଜର ରହିଛି।

ବିଜୁ ପରିବାର ସହ ବୈଜୟନ୍ତଙ୍କ ପରିବାରର ସମ୍ପର୍କ ଅତି ନିବିଡ଼ ଥିଲା। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ବାପା ବିଜୁ ପଟ୍ଟନାୟକ ଏବଂ ବୈଜୟନ୍ତଙ୍କ ବାପା ବଂଶୀଧର ପଣ୍ଡାଙ୍କ ସମ୍ପର୍କରୁ ଉଭୟ ପରିବାର ମଧ୍ୟରେ ଘନିଷ୍ଠତା ବଢ଼ିଥିଲା। ହେଲେ ସବୁ ସମ୍ପର୍କ ଆଜି ତୁଟି ଯାଇଛି।

କାହିଁକି ସମ୍ପର୍କ ତୁଟିଲା?

ବଂଶୀଧର ପଣ୍ଡା ଏବଂ ବିଜୁ ପଟ୍ଟନାୟକଙ୍କ ମଧ୍ୟରେ ସମ୍ପର୍କ ଘନିଷ୍ଠ ଥିବାରୁ ବୈଜୟନ୍ତ ପଣ୍ଡା ବିଜେଡି ପ୍ରତିଷ୍ଠା ଦିନରୁ ରହିଥିଲେ। ୨୦୦୦ ମସିହାରେ ବୈଜୟନ୍ତ ରାଜ୍ୟସଭାକୁ ଯାଇଥିଲେ। ୨୦୦୬ରେ ବୈଜୟନ୍ତ ରାଜ୍ୟସଭାକୁ ପୁନଃନିର୍ବାଚିତ ହୋଇଥିଲେ। ୨୦୦୯ରେ ତାଙ୍କୁ ରାଜ୍ୟସଭା ଛାଡ଼ିବାକୁ ପଡ଼ିଥିଲା।

୨୦୦୯ ନିର୍ବାଚନରେ ବୈଜୟନ୍ତ କେନ୍ଦ୍ରାପଡ଼ା ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିଲେ। ୨୦୧୪ରେ ମଧ୍ୟ ବୈଜୟନ୍ତ କେନ୍ଦ୍ରାପଡ଼ାରୁ ଲଢ଼ି ଲୋକସଭାକୁ ଯାଇଛନ୍ତି। ହେଲେ ୨୦୧୪ ନିର୍ବାଚନ ପରେ ବିଜେଡି-ବୈଜୟନ୍ତଙ୍କ ମଧ୍ୟରେ ଦୂରତା ବଢ଼ିଥିଲା।

କେନ୍ଦ୍ରାପଡ଼ା ନିର୍ବାଚନମଣ୍ଡଳୀରେ ବିଜେଡିର ଗୋଟିଏ ଗୋଷ୍ଠୀ ସହ ବୈଜୟନ୍ତ ଗୋଷ୍ଠୀଙ୍କର ଛକାପଞ୍ଝା ଲାଗିରହିଥିଲା। ଏହାର ପ୍ରମାଣ ବିଭିନ୍ନ ପ୍ରକଳ୍ପ ଉଦଘାଟନ ବେଳେ ଦେଖିବାକୁ ମିଳିଥିଲା। ବିଜେଡିର ଗୋଟିଏ ଗୋଷ୍ଠୀ ବୈଜୟନ୍ତଙ୍କ ପ୍ରକଳ୍ପକୁ ବିରୋଧ କରି ଆସିଥିଲେ। ଏହାକୁ ନେଇ ବୈଜୟନ୍ତ ତୃତୀୟ ମହଲାର ଅଫିସରଙ୍କୁ ଟାର୍ଗେଟ କରିଥିଲେ। ଫଳରେ ବିଜେଡି ବୈଜୟନ୍ତଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବନ କରିଥିଲା।

ନିଲମ୍ବନ ପରେ ବି ବିଜେଡି-ବୈଜୟନ୍ତ ମଧ୍ୟରେ ବିବାଦ ଲାଗି ରହିଥିଲା। ହେଲେ ଦଳ ବୈଜୟନ୍ତଙ୍କୁ ବହିଷ୍କାର କରି ନଥିଲା କି ବୈଜୟନ୍ତ ଦଳ ଛାଡ଼ି ନଥିଲେ। କିନ୍ତୁ ମେ ୨୮ ତାରିଖରେ ସବୁକିଛି ଓଲଟପାଲଟ ହୋଇଗଲା।

ବୈଜୟନ୍ତଙ୍କ ବାପା ବଂଶୀଧର ପଣ୍ତାଙ୍କ ଦେହାନ୍ତ ହୋଇଗଲା। ବିଭିନ୍ନ ଦଳର ନେତା ବଂଶୀଧରଙ୍କ ଶେଷ ଦର୍ଶନ କରିବାକୁ ଆସିଥିଲେ। ହେଲେ ବିଜେଡିର କୌଣସି ନେତା ନଆସିବାରୁ ବୈଜୟନ୍ତଙ୍କୁ ଏହା ବାଧିଥିଲା। ଫଳରେ ସେ ବିଜେଡିରୁ ଇସ୍ତଫା ଦେଇଥିଲେ।

ଆଶା କରାଯାଉଥିଲା ବଂଶୀଧର ପଣ୍ଡାଙ୍କ ଶୁଦ୍ଧିକ୍ରିୟାରେ ବିଜେଡି ନେତା ସାମିଲ ହେବେ। ହେଲେ ସେମିତି କିଛି ଘଟିଲା ନାହିଁ। ବିଜେଡି ଆଉ ତାଙ୍କୁ ଚାହୁଁ ନଥିବା ହୃଦବୋଧ କରି ତିନି ପୃଷ୍ଠା ସମ୍ବଳିତ ଇସ୍ତଫାପତ୍ର ଲେଖି ବୈଜୟନ୍ତ ନବୀନଙ୍କ ପାଖକୁ ପଠାଇଥିଲେ।

Comment