ଓଡ଼ିଶାଲାଇଭ୍‌ ବ୍ୟୁରୋ

ସିଙ୍ଗାପୁରରେ ଉତ୍ତରକୋରିଆ ଶାସକ କିମ୍‌ ଜଙ୍ଗ ଉନ ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ବହୁ ପ୍ରତିକ୍ଷୀତ ଐତିହାସିକ ଶିଖର ସମ୍ମିଳନୀ ଶେଷ ହୋଇଛି।

ହାତ ମିଳାଇଲେ ଦୁଇ ପରସ୍ପର ବିରୋଧୀ। ମଙ୍ଗଳବାର ସିଙ୍ଗାପୁରର ସେଣ୍ଟାସା ଦ୍ୱୀପର କାପ୍ରେ-ଲା ହୋଟେଲ ପରିସରରେ ଭାରତୀୟ ସମୟ ସକାଳ ସାଢେ ୬ଟାରେ ଉତ୍ତରକୋରିଆ ଶାସକ କିମ୍‌ ଜଙ୍ଗ ଉନ ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ବହୁ ପ୍ରତିକ୍ଷୀତ ଐତିହାସିକ ବୈଠକ ଶେଷ ହୋଇଛି।

ଶାସକ କିମ୍‌ ଜଙ୍ଗ ଉନ ଓ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଅନୁଷ୍ଠିତ ଶିଖର ବୈଠକ ଏକ ନୂଆ ଇତିହାସ ସୃଷ୍ଟି କରିଛି। ବିଶେଷକରି ଉତ୍ତରକୋରିଆ ଶାସକ କିମ୍‌ ଜଙ୍ଗ ଉନ ଉତ୍ତରକୋରିଆ ପାଇଁ ସୁରକ୍ଷା ଗ୍ୟରେଣ୍ଟି ହାତେଇବା ସହିତ ପରମାଣୁ ଅସ୍ତ୍ର ନିରସ୍ତ୍ରୀକରଣ ଦିଗରେ ବଡ଼ ପଦକ୍ଷେପ ନେଇଛନ୍ତି।

ପ୍ରଥମେ ଉଭୟ ନେତା ୫୦ ମିନିଟ୍‌ ଧରି ଓ୍ଵାନ ଠୁ ଓ୍ଵାନ କଥାବାର୍ତ୍ତା ହେବା ପରେ ପ୍ରତିନିଧିସ୍ତରୀୟ ଆଲୋଚନା ଶେଷ ହୋଇଛି। ଏହି ଶିଖର ସମ୍ମିଳନୀ ଶେଷ ହେବା ପରେ ଦୁଇ ଦେଶ ମଧ୍ୟରେ ‘ବୁଝାମଣା ଚୁକ୍ତି’ ସ୍ଵାକ୍ଷରିତ ହୋଇଛି।

“ଆମେ ଅତୀତକୁ ଭୁଲି ଆଗକୁ ଯିବାକୁ ଚାହୁଁଛୁ। ଆଜିର ବୈଠକ ପରେ ବିଶ୍ଵ ଏକ ବିରାଟ ପରିବର୍ତ୍ତନ ଦେଖିବ”, କହିଛନ୍ତି ଉତ୍ତରକୋରିଆ ଶାସକ କିମ୍‌ ଜଙ୍ଗ ଉନ।

“ଏହି ବୈଠକ ସଫଳ ହୋଇଛି। ଆମେ ଆମ ରାସ୍ତାରେ ଥିବା ସମସ୍ତ ପ୍ରତିବନ୍ଧକକୁ ଅତିକ୍ରମ କରି ଆସି ଏହି ଐତିହାସିକ ବୈଠକରେ ସାମିଲ ହୋଇପାରିଛୁ। ଆଗକୁ ଆମେ ଆହୁରି ଅନେକ ଥର ସାକ୍ଷାତ ଆଲୋଚନା କରିବୁ। କିମଙ୍କୁ ହ୍ଵାଇଟ୍ ହାଉସକୁ ନିମନ୍ତ୍ରଣ କରାଯାଇଛି”, କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ।

ପରମାଣୁ ନିରସ୍ତ୍ରୀକରଣର ଏକ ନୂତନ ଅଧ୍ୟାୟ ଓ ନୂତନ ଯୁଗର ଆରମ୍ଭ ହେବ। କେବଳ ସେତିକି ନୁହେଁ, ଉତ୍ତର କୋରିଆ, ଦକ୍ଷିଣ କୋରିଆ ଓ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟରେ ଏକ ନୂତନ ସମ୍ପର୍କର ଅୟମାରମ୍ଭ ହୋଇଛି।

ଉଭୟ ନେତାଙ୍କ ଏହି ଐତିହାସିକ ବୈଠକର ବନ୍ଦୋବସ୍ତ ପାଇଁ କରାଯାଇଥିବା ସମସ୍ତ ପ୍ରସ୍ତୁତି ପାଇଁ ସିଙ୍ଗାପୁର ସରକାର ୧୩୫ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରୁଛନ୍ତି। ସିଙ୍ଗାପୁର ପ୍ରଧାନମନ୍ତ୍ରୀ ସିଏନ ଲୁଙ୍ଗ ଏହି ପ୍ରସଙ୍ଗରେ ମତବ୍ୟକ୍ତ କରି ବିଶ୍ୱ ଶାନ୍ତି ପାଇଁ ତାଙ୍କ ଦେଶ ଏହି ବ୍ୟବସ୍ଥା କରିଛି।

Comment