ଓଡ଼ିଶାଲାଇଭ୍ ବ୍ୟୁରୋ

ବୈଜୟନ୍ତ ପଣ୍ଡା ଆଜି ବିଜେଡି ସହ ସବୁ ସମ୍ପର୍କ ତୁଟାଇ ଦେଇଛନ୍ତି। ଗତ ଦୁଇ ମାସ ଧରି ବିଜେଡି ଏବଂ ବୈଜୟନ୍ତଙ୍କ ମଧ୍ୟରେ ଯେଉଁ ବିବାଦ ଲାଗି ରହିଥିଲା ତାର ଅବସାନ ଘଟିଥିବା କୁହାଯାଉଛି। ଏହି ଦୁଇ ମାସ ଭିତରେ ବୈଜୟନ୍ତ-ବିଜେଡି ଭିତରେ ଯାହା ଘଟିଛି ସେସବୁକୁ ନିଜ ଟୁଇଟରରେ ପୋଷ୍ଟ କରିଛନ୍ତି ବୈଜୟନ୍ତ।

ସେ ତାଙ୍କ ଟୁଇଟର ପୋଷ୍ଟରେ କ୍ଷୋଭ, ରାଗ, ଅଭିମାନ, ଅସନ୍ତୋଷ ପ୍ରକାଶ କରି ଚର୍ଚ୍ଚାରେ ରହିଛନ୍ତି।

୨୦୧୮ ଜାନୁଆରୀ ୨୪: ଦଳ ବିରୋଧୀ କାର୍ଯ୍ୟକଳାପ ଅଭିଯୋଗରେ ବୈଜୟନ୍ତ ପଣ୍ଡାଙ୍କୁ ବିଜେଡି ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବନ କରିଥିଲା। ନିଲମ୍ବନ ପରେ ବୈଜୟନ୍ତ ତାଙ୍କ କ୍ଷୋଭ ଟୁଇଟ ମାଧ୍ୟମରେ ପ୍ରକାଶ କରିଥିଲେ।

ସେ ଟୁଇଟର୍‌ରେ ଲେଖିଥିଲେ ଯେ ନିଲମ୍ବନ ଆଦେଶ ମୋତେ ଅଘାତ ଦେଇଛି। ଜଣେ ଆଇଏସ୍‌ ଅଫିସର (ଯିଏ କି ବର୍ତ୍ତମାନ ଦଳକୁ ନିୟନ୍ତ୍ରଣ କରୁଛନ୍ତି) ମୋ ବିରୋଧରେ ଷଡ଼ଯନ୍ତ୍ର କରିଛନ୍ତି। ମୋ ବିରୋଧରେ ଯେଉଁ ଅଭିଯୋଗ ଆସିଛି ତାହା ଭିତ୍ତିହୀନ ଏବଂ ଅମୂଳକ।

୨୦୧୮ ମାର୍ଚ୍ଚ ୨୨: ବୈଜୟନ୍ତଙ୍କ ପରିବାର ମାଲିକାନାରେ ଚାଲିଥିବା ଟିଭି ଚ୍ୟାନେଲକୁ ବିଜେଡି ଟାର୍ଗେଟ କରିଥିଲା। ନିରପେକ୍ଷ ଖବର ପ୍ରସାରଣ କରୁ ନଥିବା ଅଭିଯୋଗରେ ବିଜେଡି ତାଙ୍କ ଟିଭି ଚ୍ୟାନେଲକୁ ବୟକଟ୍ କରିଥିଲା। ଏଥିରେ ଦୁଃଖ ପ୍ରକାଶ କରି ଟୁଇଟ୍ କରିଥିଲେ ଜୟ ପଣ୍ଡା।

ସେ କହିଥିଲେ ଯେ ଓଟିଭି ସବୁବେଳେ ନିରପେକ୍ଷତା ଅବଲମ୍ବନ କରିଆସୁଛି। ସବୁ ରାଜନୀତି ଦଳକୁ ସମାନ ସୁଯୋଗ ଦେଉଛି। ଏପରିକି ମୋ ବିରୋଧରେ ଆସିଥିବା ଅଭିଯୋଗ ମଧ୍ୟ ଓଟିଭିରେ ପ୍ରସାରଣ କରାଯାଇଛି।

୨୦୧୮ ମେ ୨୨: ଦଳରୁ ନିଲମ୍ବିତ ହେବା ପରେ ବୈଜୟନ୍ତ ଓ ବିଜେଡି ଭିତରେ ବିବାଦ ବଢ଼ିଥିଲା। ଏହି ବିବାଦ ଚାଲିଥିବା ବେଳେ ମେ ୨୨ରେ ବୈଜୟନ୍ତଙ୍କ ବାପା ବିଶିଷ୍ଟ ଶିଳ୍ପପତି ବଂଶୀଧର ପଣ୍ଡାଙ୍କ ଦେହାନ୍ତ ହୋଇଥିଲା।

ଦେହାନ୍ତ ଖବର ପାଇ ବିଜେପି ଏବଂ କଂଗ୍ରେସର ବରିଷ୍ଠ ନେତାମାନେ ବଂଶୀଧର ପଣ୍ଡାଙ୍କ ଶେଷ ଦର୍ଶନ କରିଥିଲେ। ହେଲେ ବିଜେଡିର କୌଣସି ନେତା ଆସି ନଥିଲେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ ଏବଂ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ବଂଶୀଧର ପଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

୨୦୧୮ ମେ ୨୮: ଏହି ତାରିଖରେ ଓଡ଼ିଶା ରାଜନୀତିରେ ଏକ ବଡ଼ ଘଟଣା ଘଟିଥିଲା। ନିଲମ୍ବିତ ସାଂସଦ ବୈଜୟନ୍ତ ପଣ୍ଡା ଦଳରୁ ଇସ୍ତଫା ଦେଇଥିଲେ। ୩ ପୃଷ୍ଠା ସମ୍ବଳିତ ଇସ୍ତଫାପତ୍ର ସେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ପଠାଇ ଦେଇଥିଲେ।

ବିଜେଡିରୁ ଇସ୍ତଫପତ୍ର ପଠାଇବା ପୂର୍ବ ରାତିରେ ବୈଜୟନ୍ତ ତାଙ୍କ ପୁରୁଣା ସ୍ମୃତିକୁ ଟୁଇଟରରେ ପୋଷ୍ଟ କରିଥିଲେ। ମେ ୨୮ରେ ସେ ବିଜେଡିରୁ ଇସ୍ତଫା ଦେଇଥିଲେ।

ସେ ତାଙ୍କ ଇସ୍ତଫାପତ୍ରରେ ଦର୍ଶାଇଥିଲେ ଯେ ମୋ ବାପାଙ୍କ ସହ ବିଜୁ ଅଙ୍କଲଙ୍କ ଘନିଷ୍ଠ ସମ୍ପର୍କ ଥିଲା। ବିଜୁ ଅଙ୍କଲ ମୋ’ ବାପା ବଂଶୀଧର ପଣ୍ଡାଙ୍କୁ ବିଦେଶରୁ ଡାକି ଆଣି ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା କରିବାକୁ କହିଥିଲେ। ହେଲେ ବଂଶୀଧର ପଣ୍ଡାଙ୍କ ଦେହାନ୍ତ ଖବର ଶୁଣି ବିଜେଡିର କେହି ଆସିଲେ ନାହିଁ। ଶ୍ରଦ୍ଧାଞ୍ଜଳି ଜଣାଇବାକୁ ନେତାମାନଙ୍କୁ ବାରଣ କରାଯାଇଥିଲା। ଏହା ମୋତେ ବାଧି ଥିବାରୁ ମୁଁ ଇସ୍ତଫା ଦେବାକୁ ଉଚିତ୍ ମନେକଲି।

୨୦୧୮ ଜୁନ୍ ୧: ଭୁବନେଶ୍ୱରରେ ବଂଶୀଧର ପଣ୍ଡାଙ୍କ ଏକାଦଶାହ ପାଳନ ହୋଇଥିଲା। ଏଥିରେ ବିଭିନ୍ନ ବର୍ଗର ଲୋକ ସାମିଲ୍ ହୋଇଥିଲେ। ବିଜେପି ଏବଂ କଂଗ୍ରେସର ପ୍ରମୁଖ ନେତାମାନେ ଆସିଥିଲେ। କିନ୍ତୁ ବିଜେଡି ସଭାପତି ଆସି ନଥିଲେ।

୨୦୧୮ ଜୁନ୍ ୩: କେନ୍ଦ୍ରାପଡ଼ାରେ ବଂଶୀଧର ପଣ୍ଡାଙ୍କର ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ କେନ୍ଦ୍ରାପଡ଼ା ଲୋକସଭା ନିର୍ବାଚନମଣ୍ଡଳୀର ବହୁ ବରିଷ୍ଠ ଲୋକମାନେ ସାମିଲ ହୋଇଥିଲେ।

୨୦୧୮ ଜୁନ୍ ୬: ଦିଲ୍ଲୀରେ ବଂଶୀଧର ପଣ୍ଡାଙ୍କର ସ୍ମୃତିସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ବହୁ କେନ୍ଦ୍ର ନେତା ଯୋଗ ଦେଇଥିଲେ। ଉପ-ରାଷ୍ଟ୍ରପତି ଭେଙ୍କିଆ ନାଇଡୁ, ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହ, ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନି ଏବଂ ମୂରଲୀ ମନୋହର ଯୋଶୀ ଯୋଗଦେଇଥିଲେ।

୨୦୧୮ ଜୁନ୍ ୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଂଶୀଧର ପଣ୍ଡାଙ୍କ ଦେହାନ୍ତରେ ଶୋକ ପ୍ରକାଶ କରି ବୈଜୟନ୍ତ ପଣ୍ଡାଙ୍କ ପରିବାରକୁ ଚିଠି ମାଧ୍ୟମରେ ସମବେଦନା ଜଣାଇଥିଲେ। ଏହି ଚିଠିକୁ ବୈଜୟନ୍ତ ତାଙ୍କ ଟିଟରରେ ପୋଷ୍ଟ କରିଥିଲେ।

୨୦୧୮ ଜୁନ୍ ୧୨: ଲୋକସଭା ସାଂସଦ ପଦରୁ ଇସ୍ତଫା ଦେଲେ ବୈଜୟନ୍ତ ପଣ୍ଡା। ଲୋକସଭା ବାଚସ୍ପତି ସୁମ୍ରିତ୍ରା ମହାଜନଙ୍କ ପାଖକୁ ସେ ତାଙ୍କ ଇସ୍ତଫାପତ୍ର ପଠାଇ ଦେଇଥିବା ଟୁଇଟରରେ ସୂଚନା ଦେଇଥିଲେ।

Comment