ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆତ୍ମହତ୍ୟା ପୂର୍ବରୁ ଭୟୁଜୀ ମହାରାଜ ପତ୍ନୀ ଓ ଝିଅ ନୁହେଁ, ବ୍ୟକ୍ତିଗତ ସହାୟକଙ୍କ ନାଁ’ରେ କଲେ ସବୁ ସମ୍ପତ୍ତି।

ଆଧ୍ୟାତ୍ମକ ଗୁରୁ ଭୟୁଜୀ ମହାରାଜଙ୍କ ଆତ୍ମହତ୍ୟା ମାମଲାରେ ଏକ ନୂଆ ମୋଡ଼ ଆସିଛି। ବୁଧବାର ଦିନ ପୋଲିସ ଏକ ସୁଇସାଇଡ ନୋଟ ଜବତ କରିଛି। ଯେଉଁଥିରେ ନିଜ ସମସ୍ତ ସମ୍ପତ୍ତି ବିଶ୍ଵସ୍ତ ସହାୟକ ବିନାୟକଙ୍କ ନାଁରେ କରିଦେଇଛନ୍ତି।

ବିନାୟକ ଗତ ୧୫ବର୍ଷ ହେବ ଭୟୁଜୀ ମହାରାଜଙ୍କ ସହ ରହିଆସୁଥିଲେ। ସେ ଭୟୁଜୀଙ୍କ ସବୁଠୁ ନିକଟତମ ବ୍ୟକ୍ତି ଥିଲେ। ସୁଇସାଇଡ ନୋଟରେ ଭୟୁଜୀ ମହାରାଜ ନିଜ ସମସ୍ତ ସମ୍ପତ୍ତି ଓ ଆଶ୍ରମ ସବୁକିଛି ବିନାୟକଙ୍କ ନାଁରେ କରିଦେଇଛନ୍ତି।

ଭୟୁଜୀ ଆତ୍ମହତ୍ୟା କରିବାପରେ ପୋଲିସ ତାଙ୍କ ଶବ ପାଖରୁ ଏକ ବନ୍ଧୁକ, ଟ୍ୟାବ୍, ଲ୍ୟାପଟପ୍, ଫୋନ ସମେତ ୭ଟି ଗ୍ୟାଜେଟ୍ ଜବତ କରିଥିଲେ। ପୋଲିସ ପକ୍ଷରୁ ଆଶ୍ରମର ବିଭିନ୍ନ କର୍ମଚାରୀଙ୍କୁ ପଚରାଉଚୁରା ଚଳାଇଛି।

ମଧ୍ୟପ୍ରଦେଶ ସରକାରରେ ରାଷ୍ଟ୍ରମନ୍ତ୍ରୀ ଥିବା ସନ୍ଥ ଭୟୁଜୀ ମହାରାଜ ମଙ୍ଗଳବାର ଦିନ ନିଜକୁ ଗୁଳି ମାରି ଆତ୍ମହତ୍ୟା କରିଥିଲେ। ଘଟଣା ଘଟିବାର କିଛି ସମୟ ପରେ ତାଙ୍କୁ ତୁରନ୍ତ ଡାକ୍ତରଖାନାକୁ ନିଆଯାଇଥିଲା। କିନ୍ତୁ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। କିଛିଦିନ ପୂର୍ବରୁ ସନ୍ଥ ଭୟୁଜୀ ମହାରାଜଙ୍କୁ ମଧ୍ୟପ୍ରଦେଶ ସରକାରରେ ସେ ରାଷ୍ଟ୍ରମନ୍ତ୍ରୀ ଭାବେ ଦାୟିତ୍ଵ ଦିଆଯାଇଥିଲା।

୧୯୬୮ମସିହାରେ ଜନ୍ମଗ୍ରହଣ କରିଥିବା ସନ୍ଥ ଭୟୁଜୀ ମହାରାଜଙ୍କ ପ୍ରକୃତ ନାମ ଥିଲା ଉଦୟ ସିଂହ ଦେଶମୁଖ। ସେ କିଛି କପଡ଼ା ବ୍ରାଣ୍ଡ୍ ପାଇଁ ମଡେଲିଂ ମଧ୍ୟ କରିଥିଲେ। ଦେଶର କିଛି ବଡ଼ ରାଜନେତାଙ୍କ ସହ ତାଙ୍କ ସମ୍ପର୍କ ଥିଲା।

୨୦୧୧ରେ ଆନ୍ନା ହଜାରେଙ୍କ ଅନଶନ ଶେଷ କରିବା ପାଇଁ ତତ୍କାଳିନ ସରକାର ଭୟୁଜୀଙ୍କ ସହାୟତା ନେଇ ତାଙ୍କୁ ପ୍ରତିନିଧି ଭାବେ ପଠାଇଥିଲେ। ଆନ୍ନା ହଜାରେଙ୍କୁ ଫଳରସ ପିଆଇ ତାଙ୍କ ଅନଶନ ଭାଙ୍ଗିଥିଲେ ଭୟୁଜୀ ମହାରାଜ।

ସେହିପରି ଗୁଜୁରାଟ ମୁଖ୍ୟମନ୍ତ୍ରୀ ଥିବାବେଳେ ନରେନ୍ଦ୍ର ମୋଦି ସଦଭାବନା ଉପବାସରେ ବସିଥିଲେ। ସେ ସମୟରେ ମଧ୍ୟ ଭୟୁଜୀ ମହାରାଜଙ୍କୁ ଆମନ୍ତ୍ରିତ କରାଯାଇଥିଲା।

ଭୟୁଜୀ ମହାରାଜଙ୍କର ଏକ ସଦଗୁରୁ ଦତ୍ତ ନାମକ ଏକ ଟ୍ରଷ୍ଟ ରହିଛି। ଏହି ଟ୍ରଷ୍ଟ ଦ୍ଵାରା ସେ କଏଦୀଙ୍କ ପିଲାଙ୍କୁ ସ୍କଲାରସିପ୍ ବାଣ୍ଟିଥାନ୍ତି। ବହୁ କଲ୍ୟାଣମୂଳକ କାର୍ଯ୍ୟସହ ଜଡ଼ିତ ଥିଲେ ଭୟୁଜୀ ମହାରାଜ।

Comment