ଓଡ଼ିଶାଲାଇଭ୍ ବ୍ୟୁରୋ

ଆଗାମୀ ଦିନରେ ଦେଶରେ ଇସ୍ପାତ ଉତ୍ପାଦନ ବୃଦ୍ଧି କ୍ଷେତ୍ରରେ ଏକ ହଟ୍ ସ୍ପଟ୍ ହେବାକୁ ଯାଉଛି ଓଡ଼ିଶା।

ରାଜ୍ୟରେ ଥିବା ବିଜୁ ପଟ୍ଟନାୟକ ଷ୍ଟିଲ୍ ଇନଷ୍ଟିଚ୍ୟୁଟ୍‌ରେ ଆଇଆଇଟି ଭଳି ପାଠ୍ୟକ୍ରମ ପ୍ରଚଳନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦାବି କରିଛନ୍ତି। ମଙ୍ଗଳବାର ଦିନ ସଚିବାଳୟଠାରେ  କେନ୍ଦ୍ର ଇସ୍ପାତ ମନ୍ତ୍ରୀ ବୀରେନ୍ଦ୍ର ସିଂହଙ୍କ ସହ ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ ଏହି କଥା କହିଥିଲେ।

୨୦୦୨ ମସିହାରେ ଇସ୍ପାତ ପୁରୁଷ ବିଜୁ ପଟ୍ଟନାୟକଙ୍କ ନାମରେ ଓଡ଼ିଶାରେ ପ୍ରତିଷ୍ଠା ହୋଇଥିଲା ଏହି ଶିକ୍ଷା ଓ ତାଲିମ୍ ପ୍ରତିଷ୍ଠାନ। ବର୍ତ୍ତମାନ ସେଠାରେ ବିଭିନ୍ନ ପ୍ରକାର ସାର୍ଟିଫିକେଟ୍ କୋର୍ଷ ପ୍ରଦାନ କରାଯାଉଛି। ଏହାକୁ ଏକ ସ୍ୱୟଂଚାଳିତ ଜାତୀୟସ୍ତରର ଶିକ୍ଷା ଅନୁଷ୍ଠାନ ଭାବେ ପ୍ରତିଷ୍ଠା କରି ଏଥିରେ ବି.ଟେକ୍, ଏମ୍.ଟେକ୍ ଏବଂ ପିଏଚ୍‌ଡି ଆଦି ଶିକ୍ଷା ଓ ଗବେଷଣା କାର୍ଯ୍ୟକ୍ରମ ଚାଲୁ କରିବାକୁ ୨୦୦୪ ମସିହାରେ କେନ୍ଦ୍ର କ୍ୟାବିନେଟ୍ ନିଷ୍ପତ୍ତି ନେଇଥିଲେ। ତେବେ ଏହା କାର୍ଯ୍ୟକାରୀ ହୋଇନାହିଁ। ଏହି ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।

୨୦୩୦ ସୁଦ୍ଧା ଦେଶରେ ବାର୍ଷିକ ୩୦୦ ନିୟୁତ ଟନ୍ ଇସ୍ପାତ ଉତ୍ପାଦନର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ତା’ମଧ୍ୟରୁ କେବଳ ଓଡ଼ିଶାରୁ ୧୦୦ ନିୟୁତ ଟନ୍ ଇସ୍ପାତ ଉତ୍ପାଦନ ହେବ ବୋଲି କେନ୍ଦ୍ର ମନ୍ତ୍ରୀ ବୀରେନ୍ଦ୍ର ସିଂହ କହିଛନ୍ତି। ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ଇସ୍ପାତ ଉତ୍ପାଦନ କ୍ଷେତ୍ରରେ ଓଡ଼ିଶା ଏକ ଅଗ୍ରଣୀ ସ୍ଥାନ ଭାବେ ପରିଚୟ ହାସଲ କରିଛି।

ଯାଜପୁର ଜିଲ୍ଳାର କଳିଙ୍ଗ ନଗରରେ ଆଗାମୀ ଦିନରେ ଏକ ଇସ୍ପାତ ହବ୍ ପ୍ରତିଷ୍ଠାନ କରାଯିବ ବୋଲି ଚିନ୍ତା କରାଯାଉଛି। ଏହା ସମ୍ଭବ ହେଲେ ଓଡ଼ିଶାରୁ ଇସ୍ପାତ ଉତ୍ପାଦନ ପରିମାଣ ବୃଦ୍ଧି ପାଇବ। ୩ ବର୍ଷ ତଳେ ଦେଶର ଇସ୍ପାତ ଉତ୍ପାଦନ ପରିମାଣ ୮୧ ନିୟୁତ ଟନ୍ ଥିଲା। ଆଜି ତାହା ୧୦୨ ନିୟୁତ ଟନ୍ ଛୁଇଁଛି। ତେଣୁ ଆଗାମୀ ଦିନରେ ଇସ୍ପାତ ଉତ୍ପାଦନ ବୃଦ୍ଧି ପାଇଁ ଓଡ଼ିଶା ଏକ ହଟ୍ ସ୍ପଟ୍ ହେବାକୁ ଯାଉଛି।

Comment