ଓଡ଼ିଶାଲାଇଭ୍ ବ୍ୟୁରୋ

କଂଗ୍ରେସ ଭବନରେ ଗୁରୁତ୍ଵପୁର୍ଣ୍ଣ ବୈଠକ। ରାଜ୍ୟ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସଭାପତିତ୍ଵରେ ଚାଲିଛି ଏହି ବୈଠକ। ୧୧ଟି ଜିଲ୍ଲାର ନବ ନିର୍ବାଚିତ ସଭାପତି ଓ କାର୍ଯ୍ୟକାରୀ ସଭାପତିମାନେ ଏହି ବୈଠକରେ ଯୋଗ ଦେଇଛନ୍ତି।

୨୦୧୯ ପାଇଁ କଂଗ୍ରେସର ରୋଡ୍ ମ୍ୟାପ୍ ପ୍ରସ୍ତୁତି ପାଇଁ ବୁଧବାର ଦିନ ଭୁବନେଶ୍ୱର ରାଜ୍ୟ କଂଗ୍ରେସ ଭବନରେ ଗୁରୁତ୍ଵପୁର୍ଣ୍ଣ ବୈଠକ ବସିଛି। ଦୁଇ ଦିନ ଧରି ଚାଲିବ ଏହି ବୈଠକ।

ଏହି ବୈଠକରେ ରାଜ୍ୟର ୩୩ଟି ସାଂଗଠାନିକ ଜିଲ୍ଲା ମଧ୍ୟରୁ ୧୧ଟି ଜିଲ୍ଲାର ନବ ନିର୍ବାଚିତ ସଭାପତି ଓ କାର୍ଯ୍ୟକାରୀ ସଭାପତିମାନେ ଯୋଗ ଦେଇଛନ୍ତି।

ଗତ ୯ ତାରିଖରେ ଏଆଇସିସି ପକ୍ଷରୁ ୩୩ଟି ସାଂଗଠନିକ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା ପରେ ଏହା ହେଉଛି ଦଳର ପ୍ରଥମ ବୈଠକ। ବୈଠକରେ ଜିଲ୍ଲା କମିଟିର ଅନ୍ୟ କର୍ମକର୍ତ୍ତା ଚୟନ ସମ୍ପର୍କରେ ବି ବିସ୍ତୃତ ଭାବେ ଆଲୋଚନା ହେବ। ସବୁ ଜିଲ୍ଲାରେ ଦଳୀୟ ସଂଗଠନକୁ କିଭଳି ତୃଣମୂଳ ସ୍ତରରୁ ସୁଦୃଢ କରାଯାଇ ପାରିବ, ସେନେଇ ମଧ୍ୟ ପିସିସି ସଭାପତି ଜିଲ୍ଲା ମୁଖିଆଙ୍କୁ ଗୁରୁମନ୍ତ୍ର ଦେବେ।

ଜିଲ୍ଲା ସଂଗଠନର ସଭାପତି ଓ କାର୍ଯ୍ୟକାରୀ ସଭାପତିଙ୍କ ନାଁ ଘୋଷଣା ପରେ ଯେଉଁ ଅଞ୍ଚଳରେ ବାଦବିବାଦ ଦେଖାଦେଇଛି, ବୈଠକରେ ସେହି ଦ୍ୱନ୍ଦ୍ୱ ଦୂର ପାଇଁ ମଧ୍ୟ ଉଦ୍ୟମ ହେବ ବୋଲି ଚର୍ଚ୍ଚା ହେଉଛି। ବିଶେଷକରି କୋରାପୁଟ ଜିଲ୍ଲାର ଦୁଇ ବିଧାୟକ କୃଷ୍ଣଚନ୍ଦ୍ର ଶଗରିଆ ଓ ତାରା ପ୍ରାସାଦ ବାହିନୀପତିଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା କନ୍ଦଳ ସମାଧାନ ସୁତ୍ର ବାହାର କରାଯିବ ବୋଲି ଜଣାପଡ଼ିଛି।

ଆଗାମୀ ଦିନରେ ରାହୁଲ ଗାନ୍ଧିଙ୍କ ଓଡ଼ିଶା ଗସ୍ତ ଉପରେ ମଧ୍ୟ ବୈଠକରେ ଆଲୋଚନା ହେବାର ସମ୍ଭାବନା ରହିଛି।

LEAVE A REPLY

Please enter your comment!
Please enter your name here