ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ୱରରେ ଆୟୋଜିତ ତିନିଦିନିଆ କଳିଙ୍ଗ ସାହିତ୍ୟ ଉତ୍ସବର ଉଦଯାପନି ଦିବସରେ ଲେଖକ ଡକ୍ଟର ମୃଣାଳ ଚାଟାର୍ଜୀଙ୍କ ଦୁଇଟି ଇଂରାଜୀ ପୁସ୍ତକ ‘ୱିଣ୍ଡୋ ସିଟ୍’ ଓ ‘ଶକ୍ତି’ ଉନ୍ମୋଚିତ ହୋଇଯାଇଛି। ଏହାକୁ ଉନ୍ମୋଚନ କରିଛନ୍ତି ପ୍ରଫେସର କମଳାକାନ୍ତ ଦାଶ, ଏମ୍. ମହାଜନ ଏବଂ ଦୀକ୍ଷା ତିୱାରୀ।

ଏହି ଅବସରରେ ଡକ୍ଟର ଚାଟାର୍ଜୀ ଉପସ୍ଥିତ ସାହିତ୍ୟିକ ଗୋଟିଏ ଲେଖାଏଁ ଆମ୍ବ ଟାକୁଆ ଦେଇ ବର୍ଷା ଋତୁରେ ଏହାକୁ ଲଗାଇବା ପାଇଁ ଅନୁରୋଧ କରିଥିଲେ।

ଡକ୍ଟର ମୃଣାଳ ଚାଟାର୍ଜୀ କହିଛନ୍ତି, “ପ୍ରତ୍ୟେକ ମଞ୍ଜି ପଛରେ ଯେମିତି ଏକ ସମ୍ଭାବନା ଥାଏ ସେମିତି ପ୍ରତ୍ୟେକ ଝରକା କିଛି ସମ୍ଭାବନା ଓ ଅନ୍ତର୍ନିହିତ ଶକ୍ତିକୁ ସୂଚାଇଥାଏ। ମଞ୍ଜିଟିଏ ବୁଣିଲେ ଯେବେ ଏହା ଗଛରେ ପରିଣତ ହୁଏ, ସେତେବେଳେ ତା’ର ଅନ୍ତର୍ନିହିତ ଶକ୍ତି ଓ କ୍ଷମତାକୁ ଆମେ ଅନୁଭବ କରିଥାଉ। ସେହିଭଳି ଝରକାଟିଏ ଆମକୁ ବାହାର ଦୁନିଆ ଦେଖାଇଥାଏ ଏବଂ ଅଜଣା ଲୋକଙ୍କ ସହ ସମ୍ପର୍କ ବାନ୍ଧିବାରେ ସହାୟକ ହୋଇଥାଏ। ଏହି ଦୁଇଟାରେ ଅର୍ଥାତ୍ ଗଛ ଓ ଝରକା ମଧ୍ୟରେ ନିଜକୁ ତଥା ଦୁନିଆକୁ ବଦଳାଇବାର ଶକ୍ତି ଥାଏ।”

‘ୱିଣ୍ଡୋ ସିଟ୍’ ପୁସ୍ତକରେ ଦୈନନ୍ଦିନ ଜୀବନରେ ଆମେ ସାମ୍ନା କରୁଥିବା କିଛି ସାଧାରଣ କଥାକୁ ଲେଖକ ଅତି ସରଳ ଭାବେ ଉପସ୍ଥାପିତ କରିଛନ୍ତି। ପ୍ରାତଃଭ୍ରମଣ, ବର୍ଷା, ଖାଦ୍ୟ, ମାଗଣା ପ୍ରସାଦ, ସୁନା ଦର ପରି କିଛି ଅତିସାଧାରଣ କଥାକୁ ଅର୍ଥପୂର୍ଣ୍ଣ ଓ ମନୋରଞ୍ଜନ ଶୈଳୀରେ ଲେଖା ଯାଇଥିବାବେଳେ କିଛି ସ୍ଥାନରେ ବ୍ୟଙ୍ଗର ଛୁଙ୍କ କାହାଣୀକୁ ଆହୁରି ପାଠକୀୟ କରିଛି।

ସେହିପରି ଜୟପୁର ରହଣିକୁ ନେଇ ଲେଖକ କେତୋଟି ତଥ୍ୟଯୁକ୍ତ ଭ୍ରମଣ କାହାଣୀ ଲେଖିଛନ୍ତି। ଜୟପୁରର ଜନ୍ତର ମନ୍ତରର କଥା, ଏହାର ଆଲୋକ ଏବଂ ଶବ୍ଦ ସୋ’, ପୁଣି ଇଂରାଜୀ ସୋ’ ପାଇଁ ଦୁଇଶହ ଟଙ୍କା ଟିକେଟ୍ ଓ ହିନ୍ଦି ସୋ’ ପାଇଁ ଶହେ ଟଙ୍କା ଟିକେଟ୍ ମୂଲ୍ୟର କାରଣ ଜାଣି ନପାରିବା ଆଦିକୁ ସେ ସୂକ୍ଷ୍ମ ଭାବେ ବର୍ଣ୍ଣନା କରିଛନ୍ତି। ସେହିଭଳି ଉପନ୍ୟାସ ‘ଶକ୍ତି’ରେ ଶକ୍ତି ବିନ୍ୟାସର ବିଭିନ୍ନ ବିଭବ ଉପରେ ସେ ଆଲୋଚନା କରିଛନ୍ତି।

Comment