ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜମୁଛି ରଜ ମଉଜ। ପିଠା ମହକରେ ମହକୁଛି ଗାଁରୁ ସହର। ଦୋଳି ଖେଳି, ପିଠା ଖାଇ ରଜରେ ମଉଜ କରୁଛନ୍ତି ଝିଅ-ବୋହୂ।

ଆଜି ହେଉଛି ରଜ ସଂକ୍ରାନ୍ତି। ଗାଁରୁ ସହର ସବୁଠି ଧୁମଧାମ୍‌ରେ ପାଳନ ହେଉଛି ରଜ। ଦୋଳି ଖେଳି, ପିଠା ଖାଇ ମଉଜ କରୁଛନ୍ତି ଝିଅ, ବୋହୂ। ଗାଁରେ ଦୋଳି ଏବଂ ପୁଚି ଖେଳି ଝିଅମାନେ ରଜ ପାଳୁଥିବା ବେଳେ ସହରରେ ବିଭିନ୍ନ ମହୋତ୍ସବ ପାଳନ କରାଯାଉଛି।

ଏହି ମହୋତ୍ସବରେ ଝିଅ, ବୋହୂମାନଙ୍କ ଭିତରେ ବିଭିନ୍ନ ପ୍ରତିଯୋଗିତା କରାଯାଉଛି। ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପୋଡ଼ପିଠା, ପାନ ଭଙ୍ଗା, ଝୋଟି ପକା ଆଦି ପ୍ରତିଯୋଗିତା କରାଯାଇ ଝିଅ, ବୋହୂମାନଙ୍କୁ ଉତ୍ସାହିତ କରାଯାଉଛି। ଝିଅ, ବୋହୂମାନେ ନୂଆ ପୋଷାକ ପିନ୍ଧି, ସଜେଇ ହୋଇ ରଜକୁ ମନଭରି ଉପଭୋଗ କରୁଛନ୍ତି।

କେବଳ ପୋଡ଼ ପିଠା ନୁହେଁ, ଆରିଷା, କାକରା, ମଣ୍ଡା ଏବଂ ଚକୁଳି ପିଠାର ମହକରେ ପୂରପଲ୍ଲି ମହକୁଛି। ପାଗ ଭଲ ଥିବାରୁ ରଜ ମଉଜର ଆସର ଜମୁଛି। ପହିଲି ରଜକୁ ଉପଭୋଗ କରିବା ପରେ ରଜ ସଂକ୍ରାନ୍ତିରେ ମାହୋଲ ଆହୁରି ଜମି ଯାଇଛି।

ଭୁବନେଶ୍ୱର ଉପକଣ୍ଠ କଲ୍ୟାଣପୁରରେ ରଜ ଉତ୍ସବ ଧୁମଧାମ୍‌ରେ ପାଳନ ହେଉଛି। ଉତ୍ସବ ପଡ଼ିଆରେ ୧୦୦ଟି ଦୋଳି ଲଗାଯାଇଛି। ପଶାଖେଳ ଏବଂ ପୁଚି ଖେଳରେ ସମସସ୍ତେ ମସଗୁଲ୍ ଅଛନ୍ତି।

ରଜ ପର୍ବ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାବାସୀଙ୍କୁ ଓଡ଼ିଆରେ ଟୁଇଟ କରି ଶୁଭେଚ୍ଛା ଜଣାଇଛନ୍ତି। ରଜ ପର୍ବ ସମାଜରେ ଆନନ୍ଦ, ଉଲ୍ଲାସ, ଉତ୍ସାହ ଭରିଦେଉ ବୋଲି ମୋଦି ଟୁଇଟ କରିଛନ୍ତି।

ରଜ ପର୍ବରେ ରଜ ପାନର ସୁଆଦ ନିଆରା। ଏଥିପାଇଁ ବିଭିନ୍ନ ସ୍ଥାନରେ ଖୋଲିଛି ରଜ ପାନ ଷ୍ଟଲ। ରଜ ପାନ ଦେଇ ପରସ୍ପର ପରସ୍ପରକୁ ଶୁଭେଚ୍ଛା ଜଣାଉଛନ୍ତି।

Comment