ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଦେଶୀ ଡଙ୍ଗାରେ ବାଲୁଗାଁ ଫେରୁଥିଲେ ୧୬ ଯାତ୍ରୀ
  • ଚିଲିକା ମଝିରେ ମାଡ଼ି ଆସିଲା ମେଘ ପବନ
  • ଭାରସାମ୍ୟ ହରାଇଲା ଡଙ୍ଗା
  • ୧୬ ଜଣ ଯାତ୍ରୀ ଚିଲିକାରେ ବୁଡ଼ି ଯାଇଥିଲେ
  • ଦମକଳ, ନାଭାଲ, ଓଡ୍ରାଫ ଟିମ୍‌ର ସର୍ଚ୍ଚ ଅପରେସନ ଜାରି
  • ୧୨ ଜଣ ଯାତ୍ରୀ ଉଦ୍ଧାର, ୨ ମୃତ
  • ୨ ଏବେ ବି ନିଖୋଜ
  • ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଶେଷ ରଜରେ ଖୁସି ମନାଇବା ପାଇଁ ବିଭିନ୍ନ ଆଡ଼ୁ ଚିଲିକାରେ ଏକାଠି ହୋଇଥିଲେ ପର୍ଯ୍ୟଟକ। ଖୁସି ମନରେ ବୁଲୁଥିଲେ। ମା’ କାଳିଜାଈଙ୍କୁ ଦର୍ଶନ କରିବା ସହ ଚିଲିକାର ନୀଳ ଜଳ ରାଶିରେ ବୋଟିଂର ମଜା ନେଉଥିଲେ। କିନ୍ତୁ ଶନିବାର ସନ୍ଧ୍ୟାରେ ସବୁ ମଉଜ ମଜଲିସ ଫିକା ପଡ଼ିଯାଇଛି।

୧୬ ଜଣ ଯାତ୍ରୀଙ୍କୁ ନେଇ କାଳିଜାଈରୁ ବାଲୁଗାଁ ଅଭିମୁଖେ ଯାଉଥିବା ଦେଶୀ ଡଙ୍ଗା ଚିଲିକା ମଝିରେ ବୁଡ଼ିଯିବାରୁ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ଡଙ୍ଗାରେ ଥିଲେ ୧୬ ଜଣ

ନୟାଗଡ଼, ରଣପୁର, ଭୁବନେଶ୍ୱର, ବାଲୁଗାଁ ଅଞ୍ଚଳର ୧୬ ଯାତ୍ରୀଙ୍କୁ ନେଇ ବାଲୁଗାଁରୁ ଗୋଟିଏ ଦେଶୀ ଡଙ୍ଗା ଯାଇଥିଲା କାଳିଜାଈ ଅଭିମୁଖେ। ଯାତ୍ରୀମାନେ ମା’ କାଳିଜାଈଙ୍କ ଦର୍ଶନ ସାରି ପୁଣି ସେହି ଡଙ୍ଗାରେ ହସଖୁସିରେ ଫେରୁଥିଲେ। କିନ୍ତୁ ଯାତ୍ରୀମାନଙ୍କ ହସଖୁସି ବେଶୀ ସମୟ ରହିପାରିଲାନି। ସନ୍ଧ୍ୟା ୬ଟା ସମୟରେ ଡଙ୍ଗାଟି ଚିଲିକା ମଝିରେ ଥିବା ବେଳେ ଅଚାନକ ପାହାଡ଼ କୋଣରୁ କଳାହାଣ୍ଡିଆ ମେଘ ଘୋଟି ଆସିଥିଲା। ତା’ ସାଙ୍ଗକୁ ପବନ ମଧ୍ୟ ହୋଇଥିଲା। ମେଘ ପବନରେ ମଝି ଚିଲିକାରେ ଡଙ୍ଗାଟି ଭାରସାମ୍ୟ ହରାଇବସିଲା।

ଡଙ୍ଗା ଚଳାକ ଯେତେ ଚେଷ୍ଟା କଲେ ବି ଡଙ୍ଗାକୁ ସମ୍ଭାଳି ପାରିନଥିଲେ। ଶେଷରେ ଡଙ୍ଗାଟି ଅଥଳ ପାଣିରେ ଓଲଟି ପଡ଼ିଲା। ୧୬ ଜଣ ଯାତ୍ରୀ ବୁଡ଼ିଗଲେ। ବିଜୁଳି ବେଗରେ ଏହି ଦୁଃଖଦ ଘଟଣା ଚାରଆଡ଼େ ପ୍ରଚାର ହୋଇଗଲା। ଦମକଳ ବାହିନୀ, ଓଡ଼୍ରାଫ ଟିମ୍, ମତ୍ସ୍ୟଜୀବୀ ବୁଡ଼ିଯାଇଥିବା ଯାତ୍ରୀଙ୍କୁ ଖୋଜିବା ଆରମ୍ଭ କଲେ।

ପ୍ରଥମ ଦଫାରେ ୮ ଯାତ୍ରୀ ଉଦ୍ଧାର

ଖୋଜାଖୋଜିର ପ୍ରାୟ ଅଧଘଣ୍ଟା ପରେ ୮ ଜଣ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଥିଲା। ହେଲେ ଏହି ୮ ଜଣଙ୍କ ମଧ୍ୟରେ ଥିବା ନାବାଳିକାର ମୃତଦେହ ଉଦ୍ଧାର କରାଯାଇଥିଲା। ନାବାଳିକାଙ୍କ ସମେତ ୭ ଜଣଙ୍କୁ ବାଲୁଗାଁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ନାବାଳିକାଙ୍କୁ ମୃତ ଘୋଷଣା କରିଥିଲେ।

ଦ୍ୱିତୀୟ ଦଫାରେ ଉଦ୍ଧାର ହେଲେ ଚାରି ଯାତ୍ରୀ

ପ୍ରଥମ ଦଫାରେ ଉଦ୍ଧାର ଯାତ୍ରୀଙ୍କୁ ଚିକିତ୍ସା ନିମନ୍ତେ ମେଡିକାଲରେ ଭର୍ତ୍ତି କରାଯିବା ପରେ ଆଉ ଚାରି ଜଣଙ୍କର ପତ୍ତା ପାଇଥିଲେ ଉଦ୍ଧାରକାରୀ ଦଳ। ସେମାନଙ୍କୁ ମଧ୍ୟ ବାଲୁଗାଁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ୨ ଜଣଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାକୁ ସେମାନଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିଲା।

୨ ମୃତଦେହ ଉଦ୍ଧାର

ଚିଲିକା ଡଙ୍ଗାଉଡ଼ିରେ ଦୁଃଖଦ ଘଟଣା ଘଟିଛି। ଦୁଇ ଝଣ ଅଥଳ ପାଣିରେ ବୁଡ଼ି ପ୍ରାଣ ହରାଇଛନ୍ତି। ମୃତକଙ୍କ ମଡ଼ରେ ଅଛନ୍ତି ଜଣେ ନାବାଳିକା।ମୃତ ନାବାଳିକା ଜଣକ ହେଉଛନ୍ତି ବାଲୁଗାଁର ଶ୍ରଦ୍ଧାଞ୍ଜଳି ଦାସ। ସେ ତାଙ୍କ ମା’ ବାପାଙ୍କ ସହ କାଳିଜାଈ ବୁଲିବାକୁ ଯାଇଥିଲେ। ସେହିପରି ଆଉ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା। ମୃତକଙ୍କ ପରିଚୟ ମିଳିପାରିନି।

“ସନ୍ଧ୍ୟା ୬ଟାରେ ଏହି ଅଘଟଣ ଘଟିଛି। ଦେଶୀ ଡଙ୍ଗା ବୁଡ଼ିଯିବା ଖବର ପାଇବା ପରେ ଆମ ଟିମ୍ ସଙ୍ଗେସଙ୍ଗେ ଘଟଣାସ୍ଥଳରେ ପହଞ୍ଚି ସର୍ଚ୍ଚ ଅପରେସନ ଜାରି କରିଥିଲା। ୧୨ ଜଣଙ୍କୁ ଉଦ୍ଧାର କରାଯାଇଛି। ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ଆଉ ୨ ଜଣ ନିଖୋଜ ଅଛନ୍ତି। ସେମାନଙ୍କୁ ଖୋଜା ଚାଲିଛି”, କହିଛନ୍ତି ବାଲୁଗାଁ ଦମକଳ କେନ୍ଦ୍ର ଅଧିକାରୀ ନିତ୍ୟାନନ୍ଦ ଜେନା।

ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଚିଲିକା ଡଙ୍ଗାବୁଡ଼ି ଘଟଣାରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନିଖୋଜ ଯାତ୍ରୀଙ୍କୁ ଉଦ୍ଧାର କରିବା ପାଇଁ ଏସ୍‌ଆର୍‌ସି, ଖୋର୍ଦ୍ଧା ଏବଂ ଗଞ୍ଜାମ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ଉଦ୍ଧାର କାର୍ଯ୍ୟରେ ସମସ୍ତ କର୍ମଚାର ସହାୟତା କରିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି। ଘଟଣାସ୍ଥଳରେ ଖୋର୍ଦ୍ଧା ଜିଲ୍ଲାପାଳ, ଏସ୍‌ପି ପହଞ୍ଚି ଉଦ୍ଧାର କାର୍ଯ୍ୟର ତଦାରଖ କରିଛନ୍ତି। ଅନ୍ଧାର ହୋଇଯିବାରୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି।

୨୦୧୬ରେ ବୁଡ଼ିଥିଲା ଡଙ୍ଗା

୨୦୧୬ ଡିସେମ୍ବର ମାସରେ ୨୯ ଜଣ ଯାତ୍ରୀଙ୍କୁ ନେଇ ଗୋଟିଏ ଦେଶୀ ଡଙ୍ଗା କାଲିଜାଈ ଅଭିମୁଖେ ଯାଇଥିଲା। ହେଲେ ଚିଲିକାରେ ଡଙ୍ଗାଟି ବୁଡ଼ିଯିବାରୁ ୩ ଜଣଙ୍କ ମୃତ୍ୟୁ ହୋଇଥିଲା ଏବଂ ୮ ଜଣ ନିଖୋଜ ହୋଇଥିଲେ। ଦୁଇ ବର୍ଷ ପରେ ପୁଣି ଚିଲିକାରେ ଆଉ ଏକ ଦୁଃଖଦ ଘଟଣା ଘଟିଛି।

Comment