ଓଡ଼ିଶାଲାଇଭ୍ ବ୍ୟୁରୋ

ଦୁଷ୍କର୍ମ ଅଭିଯୋଗରେ ଗିରଫ ହୋଇ ଏବେ ଚର୍ଚ୍ଚାରେ ଅଛନ୍ତି ଶନିବାବା ଦାତି ମହାରାଜ। ଟିଭି ପରଦାରେ ଗ୍ରହ ନକ୍ଷତ୍ର, ରାଶିଫଳ ଏବଂ ଭାଗ୍ୟଫଳ କହୁଥିବା ଦାତି ମହାରାଜଙ୍କ ପିଲାଦିନ କେମିତି କଟିଥିଲା ଏବଂ ସେ କେମିତି ଶନିବାବା ହେଲେ ଜାଣନ୍ତୁ ଏହି ରିପୋର୍ଟରୁ।

ଢୋଲ ବଜାଇ ପେଟ ପୋଷୁଥିଲେ ଶନିବାବାଙ୍କ ପରିବାର

ରାଜସ୍ଥାନ ପାଲି ଜିଲ୍ଲା ଅନ୍ତର୍ଗତ ଅଲବସ ଗାଁରେ ଜନ୍ମ ହୋଇଥିବା ଦାତି ମହାରାଜଙ୍କ ପିଲାଦିନ ନାଁ ଥିଲା ମଦନ। ଅଭାବ ଅସୁବିଧା ଭିତରେ ବଢ଼ିଥିଲେ ଦାତି ମହାରାଜ। ସେତେବେଳେ ତାଙ୍କ ପରିବାର ଢୋଲ ବଜାଇ ପେଟ ପୋଷୁଥିଲେ।  ଦାତି ମହାରାଜଙ୍କ ବାପା ଦେବାରାମ ମଧ୍ୟ ଢୋଲ ବଜାଉଥିଲେ।

ଜନ୍ମର ଚାରି ମାସ ପରେ ଦାତି ମହାରାଜଙ୍କ ମା’ଙ୍କର ଦେହାନ୍ତ ହୋଇଥିଲା। ବାପା ଦେବାରାମ ଢୋଲ ବଜାଇ ପରିବାର ଚଳାଉଥିଲେ। ହେଲେ କିଛି ବର୍ଷ ପରେ ଦେବାରାମ ମଧ୍ୟ ଆରପାରିକୁ ଚାଲି ଯାଇଥିଲେ। ପରିବାରର ବୋଝ ପଡ଼ିଥିଲା ଦାତି ମହାରାଜ ଓରଫ୍ ମଦନଙ୍କ ଉପରେ। ଗାଁର ଜଣେ ସମ୍ପର୍କୀୟଙ୍କ ସହ ସେ ଦିଲ୍ଲୀ ଚାଲି ଆସିଥିଲେ। ଦିଲ୍ଲୀରେ ସେ ଚା’ ବିକିବା ଆରମ୍ଭ କରିଥିଲେ।

କ୍ୟାଟରିଙ୍ଗ ବ୍ୟବସାୟ

ଦିଲ୍ଲୀରେ ଚା ବିକିବା ସହ ମଦନ କିଛି ଛୋଟମୋଟ କାମ ମଧ୍ୟ କରୁଥିଲେ। ଏହି ସମୟରେ ସେ କ୍ୟାରିଙ୍ଗ ବ୍ୟବସାୟ ଆରମ୍ଭ କରିଥିଲେ। କ୍ୟାଟରିଙ୍ଗ ବ୍ୟାସାୟରୁ ଭଲ ରୋଜଗାର ହେବାରୁ ମଦନ ୧୯୯୬ ମସିହା ପର୍ଯ୍ୟନ୍ତ ଏହି ବ୍ୟବସାୟ ଚାଲୁ ରଖିଥିଲେ। ଠିକ୍ ଏତିକି ବେଳେ ରାଜସ୍ଥାନର ଜଣେ ଜ୍ୟୋତିଷଙ୍କ ସଂସ୍ପର୍ଶରେ ଆସିଥିଲେ ମଦନ।

ମଦନ ଏହି ଜ୍ୟୋତିଷଙ୍କୁ ନିଜ ଗୁରୁ କରି ଜ୍ୟୋତିଷ ଶିକ୍ଷା ଆରମ୍ଭ କରିଥିଲେ। ଜ୍ୟୋତିଷ ଶାସ୍ତ୍ର ସମ୍ପର୍କରେ ଜ୍ଞାନ ଆହରଣ କରିବା ପରେ ମଦନ ନିଜ ନାଁ ବଦଳାଇ ଦାତି ମହାରାଜ ରଖିଥିଲେ।

କୈଳାଶ କଲୋନିରେ ପ୍ରଥମ ଜ୍ୟୋତିଷ ସେଣ୍ଟର

ମଦନରୁ ଦାତି ମହାରାଜ ହେବା ପରେ ସେ ପ୍ରଥମେ ଦିଲ୍ଲୀ କୈଳାସ କଲୋନିରେ ଜ୍ୟୋତିଷ ସେଣ୍ଟର ଖୋଲିଥିଲେ। ତାଙ୍କ ଭବିଷ୍ୟଗଣନାରେ ଲୋକଙ୍କ ଭାଗ୍ୟ ଫିଟୁ କି ନଫିଟୁ କିନ୍ତୁ ଦାତି ମହାରାଜଙ୍କ ଭାଗ୍ୟ ପୂରା ବଦଳି ଯାଇଥିଲା।

ଏହି ଜ୍ୟୋତିଷ ସେଣ୍ଟର ଦ୍ୱାରା ଦାତି ମହାରାଜ ଦିଲ୍ଲୀ କିଛି ବ୍ୟବସାୟୀ ଏବଂ ରାଜନେତାଙ୍କ ନିକଟତର ହୋଇଥିଲେ। ଏହି ସମୟରେ ଦାତି ମହାରାଜଙ୍କ ଉପରେ ଖୁସି ହୋଇ ଜଣେ ଭକ୍ତ ଫତେହପୁରଠାରେ ଥିବା ନିଜ ମନ୍ଦିର ଦାନ କରିଦେଇଥିଲେ। ଦାତି ମହାରାଜ ଏହି ମନ୍ଦିରର ଦେଖାଶୁଣା କରିବା ସହ ତାଙ୍କ ଭବିଷ୍ୟଗଣନାକୁ ଆଗକୁ ବଢ଼ାଇଥିଲେ।

ପରେ ଦାତି ମହାରାଜ ସେହି ମନ୍ଦିରର ଆଖପାଖରେ ଥିବା ଜମିକୁ ଚତୁରତାର ସହ କବ୍‌ଜା କରି ଶନିଧାମ ମନ୍ଦିର ନିର୍ମାଣ କରିଥିଲେ।

ଶନିଧାମ ମନ୍ଦିର ନିର୍ମାଣ କରିବା ଦାତି ମହାରାଜଙ୍କ ଭାଗ୍ୟ ଭିନ୍ନ ମୋଡ଼ ନେଇଥିଲା। କିଛି ଟିଭି ଚ୍ୟାନେଲର ଭାଗ୍ୟଫଳ କାର୍ଯ୍ୟକ୍ରମରେ ତାଙ୍କୁ ଦେଖିବାକୁ ମିଳିଲା। ଫଳରେ ବଡ଼ ବଡ଼ ବ୍ୟବସାୟୀ ଏବଂ ରାଜନେତାଙ୍କ ସହ ସହ ଦାତି ମହାରାଜଙ୍କ ସମ୍ପର୍କ ଘନିଷ୍ଠ ହୋଇଥିଲା।

୭ ଏକର ଜମିରେ ଶନିଧାମ ମନ୍ଦିର

ତିନି ଦଶନ୍ଧି ତଳେ ଦାତି ମହାରାଜ ଯେଉଁ ଶନିଧାମ ମନ୍ଦିର ନିର୍ମାଣ କରିଥିଲେ ତାହା ଏବେ ଦକ୍ଷିଣ ଦିଲ୍ଲୀର ଛତରପୁର ଅଞ୍ଚଳରେ ରହିଛି। ଶନି ମନ୍ଦିର ଛଡ଼ା ଦାତି ମହାରାଜଙ୍କର ଗୋଟିଏ ଫାର୍ମ ହାଉସ୍ ଅଛି। ବର୍ତ୍ତମାନ ଏହି ଶନି ମନ୍ଦିର ୭ ଏକର ଜମିରେ ଠିଆ ହୋଇଛି।

ରାଜସ୍ଥାନର ପାଲି ଜିଲ୍ଲାରେ ଅନାଥ ଛୁଆମାନଙ୍କ ପାଇଁ ଦାତି ମହାରାଜ ଏକ ଆଶ୍ରମ ତିଆରି କରିଛନ୍ତି। ଏହି ଆଶ୍ରମକୁ ବିଭିନ୍ନ ସଂସ୍ଥାରୁ ଅର୍ଥ ଆସୁଥିବା ଜଣାପଡ଼ିଛି। ଏହାସହ ଦାତି ମହାରାଜ ଗୋଟିଏ ସ୍କୁଲ ଏବଂ ଗୋଶାଳା ନିର୍ମାଣ କରିଛନ୍ତି।

ଜ୍ୟୋତିଷଶାସ୍ତ୍ର ଚର୍ଚ୍ଚାରୁ ମେଡିକାଲ କଲେଜ

ଜ୍ୟୋତିଷ ଶାସ୍ତ୍ର ଚର୍ଚ୍ଚା କରୁଥିବା ଦାତି ମହାରାଜ ଆୟୁର୍ବେଦ ଉପରେ ଗବେଷଣା କରିଛନ୍ତି ଦାତି ମହାରାଜ। ଆୟୁର୍ବେଦ ମେଡିକାଲ କଲେଜ ଖୋଲିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଥିଲେ ଶନିବାବା। ଶନିବାବା ଆଶ୍ରମ ଚଲାଇବା ପାଇଁ ଏକ କମିଟି ଗଠନ କରିଥିଲେ। ଏସବୁ ପରିଚାଳନା ପାଇଁ କୋଟି କୋଟି ଟଙ୍କାର ଚାନ୍ଦା ମିଳୁଥିବା ଜଣାପଡ଼ିଛି। ଏବେ ଦାତି ମହାରାଜ ଗିରଫ ହେବା ପରେ ଆଶ୍ରମ ପରିଚାଳନା କରୁଛନ୍ତି ତାଙ୍କ ଭାଇ ଅର୍ଜୁନ।

Comment