ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଦୁର୍ବଳ ହୋଇଯାଇଥିବାରୁ ମୁଣ୍ଡଫଟା ଖରାରେ ରାଜ୍ୟବାସୀ ଅସ୍ତବ୍ୟସ୍ତ ହୋଇଯାଉଛନ୍ତି।

ଜୁନ୍ ୮ ତାରିଖରେ ଓଡ଼ିଶାରେ ପ୍ରବେଶ କରିଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ମୌସୁମୀ ଆସିବା ଦିନ ଝିପି ଝିପି ବର୍ଷାରେ ଭିଜିଥିଲା ଓଡ଼ିଶାର କିଛି ଅଞ୍ଚଳ। ଏହା ପରଠୁ ଆଉ ବର୍ଷାର ଦେଖାନାହିଁ। ମୁଣ୍ଡଫଟା ଖରାରେ ସାରା ଓଡ଼ିଶା ସିଝୁଛି। ସୋମବାର ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ୪୨.୩ ଡିଗ୍ରୀ ସେଲ୍‌ସିୟସ୍ ରେକର୍ଡ କରାଯାଇଛି।

ଗଲା ଚାରି ଦିନ ହେଲା ଓଡ଼ିଶାରେ ତାପମାତ୍ରା ବୃଦ୍ଧି ପାଇଛି। ରବିବାର ଦିନ ୭ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା। ଭୁବନେଶ୍ୱରରେ ତାପମାତ୍ରା ୪୨ ଡିଗ୍ରୀ ରହିଥିଲା। ମୌସୁମୀ ଦୁର୍ବଳ ହୋଇଯାଇ ଥିବାରୁ ରାଜ୍ୟରେ ଆହୁରି ୫ ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

କଟକ, ଅନଗୁଳ, ବଲାଙ୍ଗିର, ସମ୍ବଲପୁର, ଝାରସୁଗୁଡ଼ା, ବାଲେଶ୍ୱର ଆଦି ଜିଲ୍ଲାରେ ତାପମାତ୍ରା ୪୦ ଡିଗ୍ରୀ ଛୁଇଁଛି।

ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେଲେ ମୌସୁମୀ ବାୟୁ ସକ୍ରିୟ ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

ଖରାର ପ୍ରକୋପ ବଢ଼ୁଥିବାରୁ ଅସ୍ତବ୍ୟସ୍ତ ହୋଇଯାଉଛନ୍ତି ଲୋକେ। ଘରୁ ବହାରକୁ ବାହାରିଲେ ମୁହଁ ଦେହ ଖରାରେ ସିଝି ଯାଉଛି। ବର୍ଷାକୁ ଲୋକେ ଅପେକ୍ଷା କରିଥିଲେ ମଧ୍ୟ ବର୍ଷା ଲୁଚକାଳି ଖେଳୁଛି।

Comment