ଓଡ଼ିଶାଲାଇଭ୍ ବ୍ୟୁରୋ

ନୂଆଦିଲ୍ଲୀରେ ଶେଷ ହୋଇଛି ନୀତି ଆୟୋଗର ଚତୁର୍ଥ ଗଭର୍ଣ୍ଣିଂ କାଉନସିଲ ବୈଠକ। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଧ୍ୟକ୍ଷତା କରିଥିବା ବେଳେ ଅଧିକାଂଶ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗଦେଇ ନିଜର ଦାବି ଉପସ୍ଥାପନ କରିଛନ୍ତି।

ହେଲେ ଏହି ବୈଠକରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ନଥିବାରୁ ବିରୋଧୀ କରିଛନ୍ତି ତୁମ୍ବିତୋଫାନ। ମୁଖ୍ୟମନ୍ତ୍ରୀ କାହିଁକି ନୀତି ଆୟୋଗ ବୈଠକରେ ଯୋଗ ଦେଲେନି ବୋଲି ବିରୋଧୀ କଂଗ୍ରେସ ଏବଂ ବିଜେପି ପ୍ରଶ୍ନ କରିଛନ୍ତି।

“ଗତବର୍ଷ ହୋଇଥିବା ନୀତି ଆୟୋଗ ବୈଠକକୁ ମୁଖ୍ୟମନ୍ତ୍ରୀ ଯାଇଥିଲେ। ହେଲେ ବର୍ଷକ ଭିତରେ କ’ଣ କରିବର୍ତ୍ତନ ହୋଇଗଲା ଯେ ନବୀନବାବୁ ନୀତି ଆୟୋଗ ବୈଠକକୁ ଗଲେନାହିଁ? ଏହା ଆମ ଦେଶର ହେଉଛି ସବୁଠୁ ବଡ଼ ଫୋରମ୍। ସେଠାରେ ସବୁ ରାଜ୍ୟମାନଙ୍କ ବିଷୟରେ ଆଲୋଚନା ହୁଏ। ମୁଖ୍ୟମନ୍ତ୍ରୀ ନଯିବା ନିନ୍ଦନୀୟ”, କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ।

କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ମଧ୍ୟ ସମାଲୋଚନା କରିଛନ୍ତି।

ଜୁଏଲ କହିଛନ୍ତି, “ସାମ୍ବାଧାନିକ ବିଧି ବ୍ୟବସ୍ଥାକୁ ଉଲ୍ଲଂଘନ କରିଛନ୍ତି ନବୀନ ବାବୁ। ସମ୍ବିଧାନର ଶପଥ ନେଇ ନବୀନ ବାବୁ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ହେଲେ ସମ୍ବିଧାନ ନିୟମକୁ ପାଳନ କରୁ ନାହାନ୍ତି। ସାମ୍ବାଧାନିକ ଦାୟିତ୍ୱକୁ ଭୁଲି ସେ ଦଳକୁ ଅଧିକ ଗୁରୁତ୍ବ ଦେଉଛନ୍ତି। ଏହା ରାଜ୍ୟ ପାଇଁ ଆଦୌ ଶୁଭଙ୍କର ନୁହେଁ।”

ବିଜେପି ଏବଂ କଂଗ୍ରେସକୁ ମତ ଉପରେ ପ୍ରତିକ୍ରିୟ ରଖିଛନ୍ତି ବିଜେଡି ମୁଖପାତ୍ର ପ୍ରତାପ କେଶରୀ ଦେବ।

ପ୍ରତାପ କେଶରୀ ଦେବ କହିଛନ୍ତି, “ମୁଖ୍ୟମନ୍ତୀ ନୀତି ଆୟୋଗ ବୈଠକକୁ ଯିବା ନିହାତି ଦରକାର ବୋଲି କେଉଁଠି ଲେଖାଯାଇଛି? ନୀତି ଆୟୋଗ ଏକ ସାମ୍ବିଧାନିକ ବ୍ୟବସ୍ଥା ନୁହେଁ। ଅତୀତରେ ବି ନୀତି ଆୟୋଗ ବୈଠକକୁ ମୁଖ୍ୟମନ୍ତ୍ରୀ ଯାଇ ନାହାନ୍ତି। ଯେଉଁମାନେ ସମ୍ବିଧାନ ବିଷୟରେ ଜାଣି ନାହାନ୍ତି ସେମାନେ ଏପରି କହିବା ଭୁଲ୍।”

ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ନୀତି ଆୟୋଗ ବୈଠକରେ ଚାଷୀଙ୍କ ଆୟ ଦୁଇଗୁଣ କରିବା, ଆୟୁଷ୍ମାନ ଭାରତ, ଆକାଂକ୍ଷା ଜିଲ୍ଲାମାନଙ୍କର ବିକାଶ, ପୋଷଣ ମିଶନ୍, ମିଶନ୍ ଇନ୍ଦ୍ରଧନୁଷ, ମହାତ୍ମା ଗାନ୍ଧିଙ୍କ ୧୫୦ତମ ଜନ୍ମ ବାର୍ଷିକୀ ପାଳନ ସମ୍ପର୍କରେ ଆଲୋଚନା ହୋଇଥିଲା।

୨୦୨୨ ସୁଦ୍ଧା ନ୍ୟୁ ଇଣ୍ଡିଆର ସ୍ୱପ୍ନ ପୂରଣ ପାଇଁ ଏସବୁ ଦିଗରେ କାର୍ଯ୍ୟ କରାଯିବା ଦରକାର ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Comment